ଘରେ ଚୂନ ଲଗାଉଥିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ସରେ ଆସିଲେ ଯୁବକ, ମୃତ୍ୟୁ

ମୋହନା(କେନ୍ୟୁଜ): ଗଜପତି ଜିଲ୍ଲା ମୋହନା କଲେଜ ଛକରେ ଘଟିଛି ବଡ଼ ଧରଣର ଅଘଟଣ । ଜଣେ ବ୍ୟକ୍ତିଙ୍କ ଘରେ ରଙ୍ଗଲିପା କାର୍ଯ୍ୟରେ ନିୟୋଜିତ ଥିବା ବେଳେ ୧୧ କେଭି ବିଦ୍ୟୁତ ତାର ଲାଗି ଜଣେ ଯୁବକଙ୍କ ଜୀବନ ଯାଇଛି । ମୃତ ଯୁବକ ହେଉଛନ୍ତି ଖାରୀଗୁଡା ଗାଁର ମୁନା ନାୟକ । ମୃତ ଯୁବକ ଗରିବ ହୋଇଥିବା ବେଳେ ତାଙ୍କର ୨ଟି ଛୋଟ ଛୁଆ ଅଛନ୍ତି । ପରିବାର ଚଳାଇବା ପାଇଁ ଶ୍ରମିକ ଭାବେ କାମ କରୁଥିଲେ ମୁନା । ତେଣୁ ତାଙ୍କ ପରିବାରକୁ କ୍ଷତି ପୂରଣ ଦାବି କରିଛନ୍ତି ଅଞ୍ଚଳବାସୀ । ଯେଉଁ ଘରେ ଯୁବକ ଜଣକ ଚୂନ ଲଗାଉଥିଲେ ସେହି ଘର ମାଲିକଙ୍କ ଘର ଆଗରେ ମୃତଦେହ ରଖି ଧାରଣା ଦେଇଛନ୍ତି ପରିବାର ଲୋକେ । ଏଥିସହ ଶତାଧିକ ଲୋକେ କଲେଜ ଛକରେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ମୋହନା – ପାରଳାଖେମୁଣ୍ଡି ଏବଂ ବ୍ରହ୍ମପୁର – ରାୟଗଡା ୩୨୬ ନଂ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।