ଦଶପଲ୍ଲା: ସ୍ଥାଣୁ ପାଲଟି ଯାଇଛନ୍ତି ଜନ୍ମ କଲା ବାପା । ରୋଜଗାରିଆ ଭେଣ୍ଡିଆ ପୁଅକୁ ହରାଇବାର ଦୁଃଖ ସହିବାକୁ ଜୁଟାଉଛନ୍ତି ସାହାସ । କେତେ କଷ୍ଟ କରି ପୁଅକୁ ବଡ କରିଥିଲେ, ଆଜି କିନ୍ତୁ ସେହି ପୁଅ ଅକାଳରେ ଦୁନିଆ ଛାଡି ଚାଲିଯାଇଛି । ଏପଟେ ପରିବାର ଲୋକ କାନ୍ଦି କାନ୍ଦି ନୟାନ୍ତ । କେମିତି ବା ନ କାନ୍ଦିବେ ଘରର କୁଳ ନନ୍ଦନ ସବୁ ଦିନ ପାଇଁ ଚାଲିଯାଇଛି ଆରପାରିକୁ । ଦଶପଲ୍ଲା ବ୍ଲକ ଡିହଗାଁ ପଞ୍ଚାୟତ ଅନ୍ତର୍ଗତ ମଧୁପୁର ଗ୍ରାମର ଖଦାଳ ପ୍ରଧାନଙ୍କ ପୁଅ ଶ୍ରୀକାନ୍ତ ପ୍ରଧାନ। ଯାହାଙ୍କ ପାଇଁ ଜନ୍ମଦିନ ହେଲା ଜୀବନର ଶେଷଦିନ ।
ଦୁର୍ଘଟଣାରେ ଚାଲିଗଲା ଭେଣ୍ଡିଆ ପୁଅର ଜୀବନ । ଘରର ରୋଜଗାରିଆ ପୁଅକୁ ହରାଇ ବାପା,ମା,ଭାଇ, ସାହି ପଡିଶା ସଭିଏଁ ଦୁଃଖରେ ହୋଇପଡିଛନ୍ତି ମ୍ରିୟମାଣ । ତେବେ ୪ ଦିନପରେ ଗତକାଲି ଗାଁକୁ ଫେରିଥିଲା ପୁଅର ମୃତଶରୀର । ଗାଁରେ ମୃତଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।
ତେବେ ଯାହା ସୂଚନା ମିଳିଛି, ବିଘ୍ନ ବିନାଶକଙ୍କ ପୂଜା ଅର୍ଥାତ୍ ଗଣେଶ ପୂଜା ଦିନ ଥିଲା ଶ୍ରୀକାନ୍ତଙ୍କ ଜନ୍ମଦିନ । ଶ୍ରୀକାନ୍ତ ଗୁଜୁରାଟର ଅହମ୍ମଦବାଦ ନିକଟବର୍ତ୍ତୀ ଭୂଜରେ ରହି ଚାକିରି କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ । ତେବେ ଗଣେଶ ପୂଜା ଦିନ ଶ୍ରୀକାନ୍ତଙ୍କ ଜନ୍ମଦିନ ଥିବାରୁ ଜନ୍ମଦିନ ପାଳନ ପାଇଁ ସେ ସାଙ୍ଗମାନଙ୍କ ସହ ଚିକେନ୍ ଆଣିବାକୁ ଯାଇଥିଲେ ।
ବାଇକ୍ ଯୋଗେ ଚିକେନ୍ ନେଇ ଫେରୁଥିବାବେଳେ ଅଧା ରାସ୍ତାରେ ଏକ ମଇଁଷୀ ଶ୍ରୀକାନ୍ତଙ୍କ ଗାଡ଼ି ସାମ୍ନାକୁ ଆସିଯିବାରୁ ତାଙ୍କ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଶ୍ରୀକାନ୍ତଙ୍କ ସହ ଯାଉଥିବା ତାଙ୍କ ସାଙ୍ଗର ହାତ, ଗୋଡ଼ ଭାଙ୍ଗିଯାଇଥିବା ବେଳେ ଶ୍ରୀକାନ୍ତଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ସଙ୍ଗେସଙ୍ଗେ କିଛି ସ୍ଥାନୀୟ ଲୋକ ପହଁଚି ନିକଟରେ ଥିବା ଏକ ହସ୍ପିଟାଲରେ ତାଙ୍କୁ ଭର୍ତି କରିଥିଲେ । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀକାନ୍ତଙ୍କ ମୃତ୍ୟୁ ହୋଇଥିଲା । ତେବେ ଯେତେବେଳେ ଶ୍ରୀକାନ୍ତଙ୍କ ମୃତ୍ୟୁ ଖବର ଆସି ପହଞ୍ଚିଲା ମଧୁପୁର ଗାଁରେ ସେତେବେଳେ ବାପା, ମାଆ ଓ ଭାଇ କେହିବି ବିଶ୍ୱାସ କରିପାରିଲେ ନାହିଁ ଯେ, ଶ୍ରୀକାନ୍ତ ସବୁଦିନ ପାଇଁ ଚାଲିଗଲେ ଅଫେରା ରାଇଜକୁ ।
ଏପଟେ ଗତକାଲି ପୁଅର ମୃତଦେହ ମଧୁପୁରରେ ପହଞ୍ଚିବା ପରେ ଗାଁରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଥିଲା । ଘରର ଏକମାତ୍ର ରୋଜଗାରିଆ ପୁଅର ମୃତ୍ୟୁ ପରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିବାବେଳେ, ପରିବାରକୁ କିଛି ସାହାଯ୍ୟ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଓ ସମ୍ପର୍କୀୟ ମାନେ ସରକାରଙ୍କୁ
ଅନୁରୋଧ କରିଛନ୍ତି ।