ଫୁଟବଲ୍ ଖେଳିବା ସମୟରେ ଚାଲିଗଲା ଯୁବକଙ୍କ ଜୀବନ, ଚକ୍ଷୁଦାନ କଲେ ପରିବାର ଲୋକେ

ହସ୍ପିଟାଲ ପରିସରରେ ଖେଳିଯାଇଛି ଦୁଃଖର କଳା ବାଦଲ । ଏଇ ସକାଳୁ ସକାଳୁ ଖେଳ ପଡ଼ିଆକୁ ଆସିଥିଲେ ମୋହିତ । ସବୁଦିନ ଭଳି ଫୁଟବଲ୍ ଖେଳିବାକୁ ଯାଇଥିଲେ । ସାଙ୍ଗମାନଙ୍କ ସହ ହସଖୁସିରେ ଚାଲିଥିଲା ଫୁଟବଲ୍ ଖେଳ । କିନ୍ତୁ ହଠାତ ମୋହିତଙ୍କର କଣ ହେଲା କେଜାଣି ବେହୋସ ହୋଇ ତଳେ ପଡ଼ିଗଲେ । ସାଙ୍ଗମାନେ ଯେତେ ଡାକିଲେ ବି ଶୁଣିଲେନି । ଡେରି ନକରି ମୋହିତଙ୍କୁ ଟେକି ଟେକି ଧରି ହସ୍ପିଟାଲରେ ପହଞ୍ଚିଥିଲେ ସାଙ୍ଗମାନେ । କିନ୍ତୁ ଯାହାର ସମୟ ସରି ଯାଇଥାଏ ସେଠି ଡାକ୍ତର ବା କଣ କରିବେ । ନିରବୀ ଗଲେ ସମସ୍ତେ । କାହିଁକି ନା ଖେଳୁ ଖେଳୁ ମୋହିତଙ୍କ ପ୍ରାଣ ବାୟୁ ଉଡ଼ି ଯାଇଥିବା ନେଇ ଡାକ୍ତର ସୂଚନା ଦେଲେ ।

ଫୁଟବଲ୍ ଖେଳିବା ସମୟରେ ଅଘଟଣ ଘଟି ମୋହିତ କୱାଡ ନାମକ ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି । ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜିରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗତ କାଲି ସକାଳ  ସମୟ ୬.୩୦ ମିନିଟରେ କଣ୍ଟାବାଞ୍ଜି ରେଲୱେ ଫୁଟବଲ୍ ଖେଳ ପଡ଼ିଆରେ ବନ୍ଧୁମାନଙ୍କ ସହିତ ଫୁଟବଲ୍ ଖେଳୁଥିଲେ ମୋହିତ । ଏହି ସମୟରେ ହଠାତ୍ ମୋହିତ ବେହୋସ ହୋଇ ତଳେ ପଡ଼ିଯିବାରୁ  ସ୍ଥାନୀୟ ଲୋକେ ଓ ତାଙ୍କ ସାଙ୍ଗମାନେ ତାଙ୍କୁ ତୁରନ୍ତ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁର କାରଣ ସ୍ପଷ୍ଟ ଜଣା ପଡିନଥିବା ବେଳେ ହୃଦଘାତରୁ ତାଙ୍କ ଜୀବନ ଯାଇଥିବା ଅନୁମାନ କରାଯାଉଛି ।

ମୋହିତଙ୍କ ମୃତ୍ୟୁ ଖବର ଶୁଣି ପରିବାର ଲୋକଙ୍କ ଅବସ୍ଥା ନ କହିବା ଭଲ । କିନ୍ତୁ ବଡ଼ କଥା ହେଉଛି ମୃତ୍ୟୁ ପରେ ମୋହିତଙ୍କ ଚକ୍ଷୁଦାନ କରିଛନ୍ତି ପରିବାର । ଏ ଦୁନିଆ ଛାଡ଼ି ଚାଲିଗଲେ ସିନା । କିନ୍ତୁ ତାଙ୍କ ଆଖିରେ ଦୁନିଆ ଦେଖିବ ଅନ୍ୟ ଜଣେ । ପୁଅକୁ ହରାଇଥିଲେ ବି ମହତ କାମ କରିଛନ୍ତି ପରିବାର । ଯାହା ଏ ସମାଜ ପାଇଁ ନିଶ୍ଚିତ ଭାବେ ଏକ ପ୍ରେରଣା ।

Also Read: