ଷ୍ଟେସନରୁ ନିଖୋଜ ହେଲେ ଯୁବତୀ, ଅପହରଣ ସନ୍ଦେହ କରୁଛନ୍ତି ପରିବାର ଲୋକେ

ତାଳଚେର: କାନ୍ଦି କାନ୍ଦି ଭାଇର ଧୈର୍ଯ୍ୟ ରହୁନି । ଏପଟେ ବାପା ବି ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି । କାରଣ ଘରର ଅଲିଅଳି ଝିଅ ନିଖୋଜ ହୋଇଯାଇଛନ୍ତି । ଭୁବନେଶ୍ବର ଯିବାକୁ ଆସି ତାଳଚେର ଷ୍ଟେସନରୁ ନିଖୋଜ ହେଲେ ଯୁବତୀ । ଭୁବନେଶ୍ବରରେ ଏକ ଘରୋଇ କମ୍ପାନୀରେ କାମ କରି ଘରକୁ ଟଙ୍କା ପଠାଉଥିଲେ । ଘରର ଝିଅ ନୁହେଁ ବରଂ ରୋଜଗାରିଆ ପୁଅ ଭଳି ସବୁ କିଛି କରୁଥିଲେ । କିନ୍ତୁ ଆଜି ସେଇ ଝିଅ କୁଆଡେ ନିଖୋଜ ହୋଇଯାଇଥିବା ଜାଣି ନିଜକୁ ସମ୍ଭାଳି ପାରୁନାହାଁନ୍ତି ବାପା ଆଉ ଭାଇ ଭାଉଜ । ତେବେ ଘଟଣାଟି ହେଉଛି ତାଳଚେର ଷ୍ଟେସନ ଅଞ୍ଚଳର ।

ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଲୋଧାଝରି ଗ୍ରାମର ସୁଭଦ୍ରା ପାଡ଼ିନ । ଆଜିକୁ ୪ ବର୍ଷ ଧରି ଭୁବନେଶ୍ଵରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । କିଛି ଦିନ ତଳେ କମ୍ପାନୀରୁ ଛୁଟି ନେଇ ଘରକୁ ବୁଲି ଆସିଥିଲେ । ୨୬ ତାରିଖ ପୁନଶ୍ଚ ଭୁବନେଶ୍ୱର ଯିବା ପାଇଁ ଘରୁ ବାହାରି ଆସିଥିଲେ । ତାଳଚେର ଷ୍ଟେସନରେ ପହଞ୍ଚି ଟ୍ରେନ ନଥିବା ଜାଣିବାକୁ ପାଇଥିଲେ । ତେଣୁ ଅଟୋରିକ୍ସା କରି ତାଳଚେର ରୋଡ ଷ୍ଟେସନ ବାହାରି ଯାଇଥିଲେ । କିନ୍ତୁ ଅଟୋରେ ବାହାରି ଯିବା ପରେ ହଠାତ ସୁଭଦ୍ରାଙ୍କ ଫୋନ୍ ସ୍ୱିଚଅଫ ହୋଇ ଯାଇଥିଲା ।

ଘର ଲୋକ ଯେତେ ଚେଷ୍ଟା କଲେ ବି ତାଙ୍କ ଫୋନ୍ ଲାଗି ନ ଥିଲା । ଯାହାପରେ ପରିବାର ଲୋକେ ଚିନ୍ତିତ ହୋଇ ଝିଅକୁ ଖୋଜିବାକୁ ବାହାରି ପଡିଥିଲେ । କିନ୍ତୁ ବହୁତ୍ ଖୋଜାଖୋଜି ପରେ ମଧ୍ୟ ଝିଅର ସନ୍ଧାନ ପାଇ ପାରିନଥିଲେ ପରିବାର ଲୋକେ । ପର ଦିନ ପରିବାର ଲୋକେ ତାଳଚେର ଷ୍ଟେସନ ପରିସରରେ ଥିବା ରେଳବାଇ ଫାଣ୍ଡିରେ ଝିଅ ନିଖୋଜ ଥିବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ ଝିଅର ଭାଇ ପ୍ରଶାନ୍ତ କୁମାର ପାଡିନ । ଘର ଚଳାଉଥିବା ଝିଅକୁ ନ ପାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ଝିଅର ବାପା ପଞ୍ଚାନନ ପାଡିନ ।

ଝିଅକୁ ଅଟୋ ଚାଳକ କେଉଁଆଡେ ଅପହରଣ କରିନେଇଥିବା ମଧ୍ୟ ଘର ଲୋକ ସନ୍ଦେହ କରୁଛନ୍ତି । କାରଣ ତାଳଚେର ରୋଡ ଷ୍ଟେସନରୁ ଫେରିବା ପରେ ଅଟୋ ଭିତରେ ଝିଅର ବ୍ୟାଗ୍ ଏବଂ ଅନ୍ୟ କିଛି ଜିନିଷ ଥିବା ନେଇ ଅଟୋ ଷ୍ଟାଣ୍ଡର ଅନ୍ୟ ଅଟୋ ଚାଳକମାନେ ଝିଅର ପରିବାରକୁ ସୂଚନା ଦେଇଥିଲେ । ତେବେ ପୋଲିସ ଉକ୍ତ ଅଟୋକୁ ଜବତ୍ କରିଛି କିନ୍ତୁ ଅଟୋ ଚାଳକ ଜଣକ କେଉଁଆଡେ ଫେରାର ହୋଇଯାଇଥିବାରୁ ସନ୍ଦେହ ଆହୁରି ଘନୀଭୂତ ହେଉଛି । ତେବେ ଝିଅର ଫେରିବା ବାଟକୁ ଚାହିଁ ବାପା, ଭାଇ, ଭାଉଜ ରେଳବାଇ ଫାଣ୍ଡିରେ ଅପେକ୍ଷାରେ ବସିଛନ୍ତି ।

Also read: ଚାକିରି ହରାଇ ଶେଷରେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କଲେ ଯୁବକ