ହାତରେ ଫାଇଲ୍ ଧରି ମହାନଦୀକୁ ଡେଇଁଲେ ଯୁବତୀ, ଅଳ୍ପକେ ଜୀବନ ବଞ୍ଚାଇଦେଲେ ସ୍ଥାନୀୟ ମତ୍ସଜୀବୀ

ବାଙ୍କୀ: ମହାନଦୀକୁ ଡେଇଁଲେ ଯୁବତୀ । ଆଜି ପୂର୍ବାହ୍ନ ୧୦ଟା ବେଳେ ଜଣେ ଯୁବତୀ ହାତରେ ଫାଇଲ୍ ଧରି ଜାତମୁଣ୍ଡିଆ ସୁବର୍ଣ୍ଣପୁର ହାଇଲେବଲ ବ୍ରିଜ୍ ଉପରେ ଚାଲି ଚାଲି ଆସି ହଠାତ୍ ମହାନଦୀ ଭିତରକୁ ଡେଇଁ ପଡିଥିଲେ । ମହାନଦୀକୁ ଯୁବତୀ ଡେଇଁବା ଦେଖି ରାସ୍ତାରେ ଯାତାୟତ କରୁଥିବା ଲୋକେ ନିକଟସ୍ଥ ସୁବର୍ଣ୍ଣପୁର ଫାଣ୍ଡିକୁ ଖବର ଦେଇଥିଲେ ।
ଫାଣ୍ଡି ଅଧିକାରୀ ଡମପଡା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ହେଲେ ସୁବର୍ଣ୍ଣପୁର ଗ୍ରାମର ମତ୍ସଜୀବୀମାନେ ଯୁବତୀଙ୍କୁ ପ୍ରାୟ ୧୦ କିମି ଦୁରରୁ ଉଦ୍ଧାର କରିଥିଲେ । ଯୁବତୀଙ୍କୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଯୁବତୀ ଜଣଙ୍କ ଅନୁଗୁଳ ଜିଲ୍ଲାର ତପସ୍ବିନୀ ନାୟକ। ପ୍ରେମ ବ୍ଯାପାରକୁ ନେଇ ଏପରି ଆତ୍ମହତ୍ଯା ଉଦ୍ଯମ କରିଥିବା ସନ୍ଦେହ କରାଯାଉଛି ।
ସୂଚନା ଥାଉକି, ଗତକାଲି ଭୁବନେଶ୍ୱର ଧଉଳିଠାରେ ଦୟାନଦୀକୁ ଡେଇଁପଡିଥିଲେ ଜଣେ ଯୁବକ । ପ୍ରେମିକା ସହ ଝଗଡ଼ା ପରେ ନଦୀକୁ ଡେଇଁଥିବା ସନ୍ଦେହ କରାଯାଉଛି। ତେବେ ଏଯାଏ ଅଗ୍ନିଶମ ବାହିନୀ ତାଙ୍କୁ ଖୋଜିବାରେ ବିଫଳ ହୋଇଛି।