ପେଟ ପୋଷିବା ପାଇଁ କାମ କରିବାକୁ ଯାଇ ଶବ ହୋଇ ଗାଁକୁ ଫେରିଲେ ଯୁବତୀ

ଗୁଣୁପୁର: ଦାଣ୍ଡ ଦୁଆରେ ଆସି ପହଞ୍ଚିଛି ଝିଅର ଶବ । କାହାରି ଆଖିରେ ଶୁଖୁନି ଲୁହ । କାନ୍ଦ ବୋବାଳିରେ ଫାଟିପଡ଼ୁଛି ପୁରା ପରିବେଶ । କୋଉ ବାପା ମା’ ବି ଧୈର୍ଯ ଧରି ରହିବ । ବଢ଼ିଲା ଝିଅକୁ ଏମତି ଚାଲିଯିବାର ଦେଖି । ରୋଜଗାର କରି ବାପା ମା’ଙ୍କୁ ଦେଉଥିଲେ ଆଜି ସେହି ପୋଷଣାହାରୀ ଝିଅ ଏ ଦୁନିଆରେ ନାହିଁ । ଆଉ କେଇଟା ଦିନ ଯାଇଥିଲେ ଝିଅକୁ ବାହା ଦେଇଥାଆନ୍ତେ କେତେ ଆଶା କେତେ ସ୍ବପ୍ନ ଦେଖିଥିଲେ ଝିଅକୁ ନେଇ କିନ୍ତୁ ତା ପୂର୍ବରୁ ଚାଲିଗଲା । ଏଭଳି ଦୁଃଖଦ ଘଟଣା ରାୟଗଡା ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ କିତୁଂ ଗାଁରେ ଘଟିଯାଇଛି । ଯୁବତୀଙ୍କ ମୃତ୍ୟୁ କୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଜସ୍ପିନ ଶବର ନାମକ ଜଣେ ୨୦ ବର୍ଷ ବୟସର ଯୁବତୀ । କାମ ଖୋଜି ପେଟ ପୋଷିବା ପାଇଁ ବାହାର ଜିଲ୍ଲାକୁ ଯାଇଥିଲେ । କିଛିବର୍ଷ ପରେ ଯୁବତୀ ଜଣକ ଶବ ହୋଇ ଗାଁକୁ ଫେରିଛନ୍ତି । ଯୁବତୀଙ୍କ ମୃତଦେହ ବାଲେଶ୍ବର ରେଳ ଟ୍ରାକ ନିକଟରୁ ସୋମବାରରେ ଜବତ କରାଯାଇଥିଲା। ଗୁଣପୁର ବ୍ଲକ କିତୁଂ ଗ୍ରାମର ଲୁଗୁ ଶବରଙ୍କ ଝିଅ ବୋଲି ଜଣାପଡିଛି । ଏହି ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଜିଆରପି ପୁଲିସ ତଦନ୍ତ କରୁଛି ।

ଯୁବତୀ ଜଣକ ଯୁକ୍ତଦୁଇ ପାଠ ପଢା ସାରିବା ପରେ ବାଲେଶ୍ବରରେ ରହି ଏକ ଘରୋଇ କମ୍ପାନୀରେ ୩ ବର୍ଷ ହେଲା କାମ କରି ଆସୁଥିଲେ । ପରିବାର ଚଳେଇବା ପାଇଁ ଦିନ ରାତି କଠିନ ପରିଶ୍ରମ କରୁଥିଲେ । ତାଙ୍କ ର ମୃତ୍ୟୁକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଏହି ଘଟଣାକୁ ନେଇ ଲାଞ୍ଜିଆ ସୈାରା ଅଞ୍ଚଳବାସୀଙ୍କ ମନରେ ବିଭିନ୍ନ ସନ୍ଦେହ ଉଙ୍କି ମାରୁଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅନ୍ୟ ସାଙ୍ଗ ସହ ରେଳ ଲାଇନ୍ ପାର ହେଲାବେଳେ ଦୁର୍ଘଟଣା ହୋଇଥିବା ସନ୍ଦେହ କରାଯାଉଛି । ଏହା ସୁଚିନ୍ତିତ ରେଳ ଦୁର୍ଘଟଣା ନୁହେଁ ବରଂ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି ।

ଯୁବତୀଙ୍କ ମୃତ ଶରୀରକୁ ବାଲେଶ୍ବର ଜିଲ୍ଲା ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର ହୋଇଛି । ଶବ ବ୍ୟବଚ୍ଛେଦ ରିର୍ପୋଟ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି କୁହାଯାଇଛି । ଘଟଣା ର ପ୍ରକୃତ ତଦନ୍ତ କରାଯାଉ ନଚେତ ଆଗାମୀ ଦିନରେ ଆଦିବାସୀ ମହାସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ପରିବାର ଓ ଲାଞ୍ଜିଆ ସୌରା ଅଞ୍ଚଳର ଲୋକ ଚେତାବନୀ ଦେଇଛନ୍ତି ।