ଏମସିଏ ପାଠ ପଢି ଚାକିରୀ ଛାଡି ରାଜନୀତିରେ ପାଦ ଥାପିଲେ ଆଦିବାସୀ ଯୁବତୀ
![mca](https://knewsodisha.com/wp-content/uploads/2022/01/mca.jpg)
ଗୁଣୁପୁର(କେନ୍ଯୁଜ୍): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ବହୁ ଶିକ୍ଷିତ ଯୁବକ ଯୁବତୀ । କେହି ଇଂଜିନିଅରିଂ ପାଠ ପଢି ରାଜନୀତି ମଇଦାନକୁ ଓହ୍ଲାଉ ଥିବାବେଳେ ଆଉ କେହି ଡାକ୍ତର ପରି ପେଶାକୁ ପଛରେ ପକାଇ ରାଜନୀତି ନିଶାରେ ମାତିଛନ୍ତି । ତେବେ ଏଭଳି ରେସରେ ଯୋଡି ହୋଇଛନ୍ତି ଆଉ ଜଣେ ଆଦିବାସୀ ଉଚ୍ଚ ଶିଖିତା ଯୁବତୀ। ଯିଏକି ଏମ ସି ଏ ପାଠ ପଢି ଏକ ଘରୋଇ କମ୍ପାନୀର ଚାକିରୀରୁ ଇସ୍ତଫା ଦେଇ ରାଜନୀତିରେ ପାଦ ଥାପିଛନ୍ତି ।
ରାମାନାଗୁଡା ବ୍ଲକ ଅନ୍ତର୍ଗତ କୁଜେନ୍ଦ୍ରୀ ଗ୍ରାମର ଉଚ୍ଚ ଶିକ୍ଷିତା ଯୁବତୀ ଜଣକ ହେଲେ ସସ୍ମିତା ଗମାଙ୍ଗ ।ଗୁଣୁପୁର୍ ସ୍ଥିତ ଏକ ବୈଷୟିକ ବିଦ୍ୟାଳୟରୁ ଏମ ସି ଏ ପାଠ ସାରି ଭୁବନେଶ୍ୱର ସ୍ଥିତ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ ।କିନ୍ତୁ ରାଜନୀତି ପ୍ରତି ଅହେତୁକ ଦୁର୍ବଳତା ଥିବାରୁ ବର୍ତମାନ ଚାକିରିରୁ ଇସ୍ତଫା ଦେଇ ରାମାନାଗୁଡା ବ୍ଲକ ଖ ଜୋନ୍ ରୁ ଜିଲ୍ଲା ପରିଷଦ ଆସନ ପାଇଁ କଂଗ୍ରେସ ପକ୍ଷରୁ ଗୁଣୁପୁର୍ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦାଖଲ କରି ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି ।
ଆଗାମୀ ଦିନରେ ଲୋକଙ୍କ ସେବା କରିବା ସହ ଆଂଚଳିକ ସମସ୍ୟା ପ୍ରତି ଗୁରୁତ୍ୱ ଦେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚ ଶିକ୍ଷିତ ଯୁବତୀ ଜଣକ । ନିର୍ବାଚନ ଲଢ଼ୁଥିବାରୁ ବେଶ ଗର୍ବିତ ଥିବା ଗାଁ ଲୋକ କହିଛନ୍ତି। ଅପରପକ୍ଷେ ଚଳିତ ତ୍ରିସ୍ତରୀୟ ପଂଚାୟତରେ ଅନେକ ଶିଖିତ ପାର୍ଥୀ ନିର୍ବାଚନକୁ ଓହ୍ଲାଇଛନ୍ତି । ତେଣୁ ଏହା ଗଣତନ୍ତ୍ର ପାଇଁ ଅତ୍ୟନ୍ତ ଶୁଭଙ୍କର ବୋଲି ପ୍ରକାଶ କରିଛନ୍ତି ରାଜନୈତିକ ସମୀକ୍ଷକ ।