ଭୁବନେଶ୍ୱର: ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁକୁ ନେଇ ଏବେ ଚର୍ଚ୍ଚା । କେମିତି ହେଲା ତାଙ୍କର ମୃତ୍ୟୁ? ବିଭିନ୍ନ ଲୋକ କହୁଛନ୍ତି ବିଭିନ୍ନ କଥା । ଶୁଣାଯାଉଛି କି, କୁଆଡେ ନିଶା ନିବାରଣ କେନ୍ଦ୍ରର କର୍ମଚାରୀ ଯୁବକଙ୍କୁ ବାଡେଇ ମାରିଦେଇଛନ୍ତି । ଭୁବନେଶ୍ୱର ଏୟାରପୋର୍ଟ ଥାନା ଅଞ୍ଚଳରେ ଥିବା ଏକ ନିଶା ନିବାରଣ କେନ୍ଦ୍ର ନାଁରେ ଆସିଛି ଏଭଳି ଏକ ସାଙ୍ଘାତିକ ଅଭିଯୋଗ । ତେବେ ମୃତ ଯୁବକ ଜଣକ ହେଉଛନ୍ତି ୟୁନିଟ୍-୬ ଅଞ୍ଚଳର ସୁମନ୍ତ ପଣ୍ଡା । ଆଉ କାନ୍ଦୁଥିବା ଏଇ ମହିଳା ଜଣକ ହେଉଛନ୍ତି ସୁମନ୍ତଙ୍କ ଧର୍ମପତ୍ନୀ ସୁମିତ୍ରା ପଣ୍ଡା ।
ତେବେ ସୂଚନା ମୁତାବକ, ଗତକାଲି ସୁମନ୍ତଙ୍କୁ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲେ ପରିବାର ଲୋକ । ଏହା ପ୍ରଥମ ଥର ନୁହେଁ । ପୂର୍ବରୁ ଅନେକ ଥର ସୁମନ୍ତଙ୍କୁ ଏଭଳି ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କାହିଁକି ନା ସୁମନ୍ତ ପ୍ରତିଦିନ ନିଶା ଖାଇ ଘରେ ପାଟିତୁଣ୍ଡ ମାରପିଟ୍ କରିଥାନ୍ତି । ଯାହାକୁ ନେଇ ଗତକାଲି ପୁଣି ସୁମନ୍ତଙ୍କୁ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଭର୍ତ୍ତି କରିବାର କେଇ ଘଣ୍ଟା ଭିତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ଆସି ପହଁଚିଥିଲା ।
ତେବେ କେମିତି, କେଉଁ ପରିସ୍ଥିତି ତାଙ୍କର ଦେହାନ୍ତ ହୋଇଛି ତାହା ସ୍ପଷ୍ଟ ଭାବେ ଜଣାପଡିନଥିବାବେଳେ, ଏପଟେ ସୁମନ୍ତଙ୍କ ଶରୀରରେ ମାଡ଼ ଦାଗ ରହିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏଥିସହ ନିଶା ନିବାରଣ କେନ୍ଦ୍ରରେ ଥିବା ସିସିଟିଭି ଯାଞ୍ଚ ପାଇଁ ଦାବି କରିଛନ୍ତି । କିନ୍ତୁ ପରିବାର ପକ୍ଷରୁ ଏଯାଏ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଥାନା ଅଧିକାରୀ କହିଛନ୍ତି ।
ଏପଟେ ଭୁବନେଶ୍ୱର ୟୁନିଟ ୬ ଅଞ୍ଚଳର ଏହି ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ ଘଟଣା ପରେ ଏବେ ଖଣ୍ଡଗିରି ଥାନା ପକ୍ଷରୁ ଏକ ୟୁଡି ମାମଲା ରୁଜୁ ହୋଇଛି । ଅନ୍ୟପଟେ ମୃତ ଯୁବକଙ୍କ ଭିଣୋଇ ସୂର୍ଯ୍ୟନାରାୟଣ ପାଢ଼ୀ କହିଛନ୍ତି ମୃତ ସୁମନ୍ତ ପୂର୍ବରୁ ନିଶା ସେବନ କରୁଥିଲେ । ଆଗରୁ ମଧ୍ୟ ସେ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ତେବେ ବର୍ତ୍ତମାନ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଯାଇ ଘଟଣାର ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ।
ତେବେ ସାଧାରଣରେ ଏବେ ଉଙ୍କି ମାରୁଛି ଗୋଟେ ପ୍ରଶ୍ନ, କି ସତରେ କଣ ନିଶା ନିବାରଣ କେନ୍ଦ୍ରରେ ନିଶା ଛଡ଼ାଇବା ପାଇଁ ଯୁବକଙ୍କୁ ପିଟି ପିଟି ମାରିଦେଲେ ? ନା ଘଟଣା ଆଉ କିଛି ? ତେବେ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଖୋଲି ଚାଲିଛି ନିଶା ନିବାରଣ କେନ୍ଦ୍ର। ଉଦ୍ଦେଶ୍ୟ ହେଉଛି ନିଶା ଛାଡ଼ି ପାରୁନଥିବା ଲୋକଙ୍କୁ ନିଶା ମୁକ୍ତ କରାଇବା । ସେମାନଙ୍କ ଭବିଷ୍ୟତ ଜୀବନକୁ ସୁଧାରିବା ।
ହେଲେ ଏହି କେନ୍ଦ୍ରଗୁଡ଼ିକରେ ପ୍ରକୃତରେ କଣ ଘଟୁଛି ତାକୁ ତଦାରଖ କରିବାକୁ କେହି ନାହାନ୍ତି । ନିଶାଡିଙ୍କୁ ନିଶାରୁ ମୁକ୍ତ କରିବା ବଦଳରେ ଅକଥନୀୟ ନିର୍ଯାତନା ଦିଆଯାଉଥିବା ନେଇ ଅନେକ ଅଭିଯୋଗ ବି ଆସୁଛି । ଯାହାଫଳରେ ମୃତ୍ୟୁ ବି ଘଟୁଥିବା ନଜିର ରହିଛି । ତେବେ ସୁମନ୍ତଙ୍କର ମୃତ୍ୟୁ ପଛର ପ୍ରକୃତ ସତ କଣ ତାହା ତଦନ୍ତ ପରେ ହିଁ ସାମ୍ନାକୁ ଆସିବ ।