ଭୁବନେଶ୍ୱର : ଆଇଆଇସି ପରିଚୟ ଦେଇ ଥାନାକୁ ଡାକିଲେ । ଥାନା ସମ୍ମୁଖରେ ପହଞ୍ଚିବା ପରେ ଯୁବକଙ୍କୁ କାଳିମାଡ଼ ଓ ମରଣାନ୍ତକ ଆକ୍ରମଣ କଲେ । ଭୁବନେଶ୍ବର ସହିଦନଗର ଥାନା ସମ୍ମୁଖରେ ଏଭଳି ଘଟଣା ଘଟିଛି । ଇତିଶ ପ୍ରଧାନଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଅନ୍ୟ ଦୁଇଜଣ ହେଲେ ବିପ୍ଳବ ପରିଡା ଓ ଅର୍ପଣ ମିଶ୍ର । ଅନ୍ୟ ଦୁଇଜଣ ହେଲେ ବିପ୍ଳବ ପରିଡା ଓ ଅର୍ପଣ ମିଶ୍ର । ଅଭିଯୋଗକାରୀ ସରୋଜ କୁମାର ମିଶ୍ରଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ କରିବା ସହ ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଅନୁଯାୟୀ, ଗତ ନଭେମ୍ବର ୦୯ ତାରିଖ ବିଳମ୍ବିତ ରାତିରେ ତିନି ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀ ମାନେ ମିଶି ସରୋଜ ମିଶ୍ରଙ୍କୁ ଫୋନ କରି ନିଜକୁ ସହିଦନଗର ଥାନାର ଥାନାଧିକାରୀ ବୋଲି କହିବା ସହ ତାଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି ଏବଂ ତୁରନ୍ତ ଥାନାକୁ ଆସି ଦେଖା କରିବାକୁ କହିଥିଲେ । ଏହାପରେ ସରୋଜ ଥାନା ସମ୍ମୁଖରେ ପହଂଚିବା ପରେ ଅଭିଯୁକ୍ତମାନେ ଘେରିଯାଇ ମୁହଁରେ କାଳିମାଡ଼ କରିବା ସହ ଭୁଜାଲି ଓ ଭଙ୍ଗା କାଚ ବୋତଲରେ ଆକ୍ରମଣ କରିଥିଲେ।
ତେବେ ଘଟଣାର ୫ଦିନ ପୂର୍ବରୁ ଅଭିଯୋଗକାରୀ ସରୋଜ ମିଶ୍ରଙ୍କୁ ଦାଦାବଟି ମାଗିଥିଲେ ଅଭିଯୁକ୍ତ । ଦାଦାବଟି ଦେବା ପାଇଁ ମନା କରିବାରୁ ଯୋଜନା ମୁତାବକ ଆକ୍ରମଣ କରିଥିଲେ । ଅଭିଯୋଗ ପରେ ୩ଜଣଙ୍କୁ ଗିରଫ କରିଛି ପୋଲିସ । ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତ ବିପ୍ଲବ ପରିଡାଙ୍କ ନାମରେ ବିଭିନ୍ନ ଥାନାରେ ୫ ଗୋଟି ମାମଲା ରହିଥିବା ବେଳେ, ଅଭିଯୁକ୍ତ ଇତିଶ ପ୍ରଧାନଙ୍କ ନାମରେ ମଧ୍ୟ ୫ ଗୋଟି ଅପରାଧିକ ମାମଲା ରହିଛି ।