ନୟାଗଡ଼: ବ୍ୟାପାରଟା କଣ ଜଣାପଡ଼ିନି ହେଲେ ଶିକ୍ଷୟିତ୍ରୀଙ୍କୁ ଛୁରା ମାଡ଼ କରିବା ପରେ ନିଜ ବେକ କାଟିଲେ ଯୁବକ, ଉଭୟ ଗୁରୁତର

ନୟାଗଡ଼(କେନ୍ୟୁଜ୍): ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଶିକ୍ଷୟିତ୍ରୀଙ୍କ ବେକ କାଟିବା ପରେ ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଯୁବକ। ଏଭଳି ଘଟଣା ଘଟିଛି ନୟାଗଡ ଜିଲ୍ଲା ଶରଣକୂଳ ଥାନା ଗୋଡିପଡା ଅଞ୍ଚଳରେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ପ୍ରକାରେ, ଶିକ୍ଷୟିତ୍ରୀଙ୍କ ଘର ପୁରୀ ଜିଲ୍ଲାର ବ୍ରହ୍ମଗିରି ଅଞ୍ଚଳରେ ହୋଇଥିବା ବେଳେ ସେ ୮ ବର୍ଷ ହେବ ଗୋଡ଼ିପଡ଼ାର ସର୍ଦାର ପଟେଲ ବିଦ୍ୟାପୀଠରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରିଆସୁଥିଲେ। ଆଜି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ସୁକାନ୍ତ ବେହେରା ନାମକ ଜଣେ ଯୁବକ ଗୋଡ଼ିପଡ଼ା ସର୍ଦାର ପଟେଲ ସ୍କୁଲକୁ ଆସି ଶିକ୍ଷୟିତ୍ରୀଙ୍କୁ ଖୋଜିଥିଲେ। ପରେ ଶିକ୍ଷୟିତ୍ରୀ ନିଜ ବାସଭବନରେ ଥିବାର ଜାଣିବାକୁ ପାଇଥିଲେ।

ଖବର ପାଇବା ପରେ ସୁକାନ୍ତ ସିଧା ଶିକ୍ଷୟିତ୍ରୀଙ୍କ ଘରକୁ ଯାଇ ଅତର୍କିତ ଭାବେ ଶିକ୍ଷୟିତ୍ରୀଙ୍କୁ ଛୁରାମାଡ଼ କରିଥିଲେ । ଯାହାଫଳରେ ଶିକ୍ଷୟିତ୍ରୀଙ୍କ ମୁଣ୍ଡରେ ଗଭୀର କ୍ଷତ ଲାଗିଛି। ଯୁବକ ଜଣକ ବାରମ୍ବାର ଛୁରାରେ ଆକ୍ରମଣ କରୁଥିବାରୁ ସ୍ଥାନୀୟ ବାସିନ୍ଦା ଛଡାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଯୁବକ ଜଣକ ଧରିଥିବା ଛୁରୀରେ  ନିଜ ବେକକୁ କାଟି ଦେଇଥିଲେ ।ଯାହା ଫଳରେ ଉଭୟ ଘଟଣା ସ୍ଥଳରେ ଗୁରୁତର ହୋଇପଡିଥିଲେ। ସ୍ଥାନୀୟ ଲୋକେ ପୋଲିସରେ ଖବର ଦେବା ସହ ନୟାଗଡ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।  ତେବେ ବର୍ତ୍ତମାନ ସୁଦ୍ଧା ଘଟଣାର କାରଣ ଜଣା ପଡିନଥିବା ବେଳେ ପ୍ରେମ ବ୍ୟାପାରରୁ ଏହା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ଛୁରାମାଡ଼ କରୁଥିବା  ଯୁବକଙ୍କୁ ଛଡାଇବା ବେଳେ ଘରର ମାଲିକ ସମେତ ୩ ଜଣ ଆହାତ ହୋଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.