ଛଳନା ପ୍ରେମକୁ ଏ ଏକ ଶିକ୍ଷା: ଦୁର୍ଘଟଣାରେ ପ୍ରେମିକ ହୋଇଗଲା ଦିବ୍ୟାଙ୍ଗ, ହାତ ନଛାଡି ସେବା କରିବାକୁ ଶପଥ ନେଲା ପ୍ରେମିକା

ଅନୁଗୁଳ(କେନ୍ୟୁଜ୍): ପ୍ରେମ ପବିତ୍ର ଶାଶ୍ୱତ ଓ ଚିରନ୍ତନ । ପ୍ରେମ ମାନେନା ବାଧା କି ବନ୍ଧନ । ଜଣେ ଦିବ୍ଯାଙ୍ଗ ପ୍ରେମିକଙ୍କ ପାଇଁ ସାରା ଜୀବନ ଗୋଡ଼ କାଢି ନିଜ ଘରୁ ଚାଲି ଆସିଲେ ପ୍ରେମିକଙ୍କ ପାଖକୁ ସ୍ବପ୍ନାରାଣୀ । ଆଜିର ଯୁବପିଢି ପ୍ରମର ପରିଭାଷାକୁ ଭିନ୍ନ ନଜରରେ ଦେଖୁଥିବା ବେଳେ ସ୍ବପ୍ନାରାଣୀଙ୍କ ପାଇଁ ଏହାର ମାନେ ଭିନ୍ନ । ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିହେବନାହିଁ । ଜଗତସିଂହପୁର ଅଞ୍ଚଳର ସ୍ବପ୍ନାରାଣୀ ବାରିକ ଓ ତାଳଚେର ବଜ୍ରକୋଟ ଅଞ୍ଚଳର ଜିତେନ୍ଦ୍ର ବାରିକଙ୍କ ଭଲପାଇବା  ଯେ କେହିବି ଦେଖିଲେ ଆଖି  ଓଦା ହୋଇଯିବ ।

ଦୀର୍ଘ ସାତ ବର୍ଷ ପୂର୍ବେ ଜଗତସିଂହପୁରର ଏକ ସେଲୁନରେ ରହି କାର୍ଯ୍ଯ କରୁଥିଲେ ବଜ୍ରକୋଟ ଗ୍ରାମର ଜିତେନ୍ଦ୍ର । ସେହିଠାରେ ହିଁ ପ୍ରଥମ ଦେଖାରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ ଆଉ ତାପରେ କଥାବାର୍ତ୍ତା । ସେଠାରେ କିଛି ବର୍ଷ କାର୍ଯ୍ଯ କରିବା ପରେ ସେଠାରୁ ନିଜ ଗ୍ରାମ ବଜ୍ରକୋଟକୁ ଚାଲି ଆସିଥିଲେ ଜିତେନ୍ଦ୍ର । ଆଉ ଘର ଠାରୁ ଅଳ୍ପ କିଛି ଦୂର ଡେରେଙ୍ଗ ଜିନ୍ଦଲରେ ଶ୍ରମିକ ଭାବେ କାର୍ଯ୍ଯ କରୁଥିଲେ । କିନ୍ତୁ ହଠାତ ଦିନେ କାର୍ଯ୍ଯରୁ ଘରକୁ ଫେରୁଥିବା ବେଳେ ଏକ ଦୁର୍ଘଟଣା ଘଟି ଏକ ଟ୍ରକ ତଳେ ପଡିଯାଇଥିଲେ ଆଉ ଟ୍ରକଟି ତାଙ୍କ ଦୁଇ ଗୋଡ଼ରେ ଚଢି ଯାଇଥିଲା । ଜିତେନ୍ଦ୍ର ବଞ୍ଚିଗଲେ ସିନା କିନ୍ତୁ ସବୁଦିନ ପାଇଁ ହରାଇ ଦେଲେ ନିଜର ଦୁଇଟି ଗୋଡ଼ ।ସେପଟେ ପୁଅର ଏଭଳି ଅବସ୍ଥା ଦେଖି ମା ବି ଚାଲିଗଲା ଆରପାରିକୁ ।ମା ଚାଲିଯିବା ପରେ ଜିତେନ୍ଦ୍ରଙ୍କ ଦେଖାଶୁଣା କରିବାକୁ ସ୍ବପ୍ନାରାଣୀ ମନସ୍ଥ କରି ନିଜ ଘରେ ତାଙ୍କ ପ୍ରେମ କଥା ଜଣାଇଥିଲେ। କିନ୍ତୁ ଜିତେନ୍ଦ୍ର ଜଣେ ଦିବ୍ଯାଙ୍ଗ ହୋଇଥିବାରୁ ତାଙ୍କୁ ବିବାହ କରିବାକୁ ପରିବାର ମନା କରିଥିଲେ । ବାସ ସେତିକି କଥା ଶୁଣି ସ୍ବପ୍ନାରାଣୀ ସହି ନପାରି ଘରୁ ଗୋଡ଼ କାଢି ଚାଲି ଆସିଲେ ନିଜ ପ୍ରେମିକଙ୍କ ପାଖକୁ ।

ସ୍ବପ୍ନାରାଣୀ ଓ ଜିତେନ୍ଦ୍ରଙ୍କ ବିବାହ ଚଳିତ ଜୁଲାଇ ୮ ତାରିଖରେ ହୋଇଥିବା ବେଳେ ତାଳଚେର ଉପଜିଲ୍ଲାପାଳଙ୍କ ଅଫିସ ନିକଟରେ ପୁଣି ଥରେ କୋର୍ଟ ମ୍ଯାରେଜ କରିଥିଲେ ଉଭୟ । ତେବେ ଜିତେନ୍ଦ୍ର ଓ ପରିବାରର ସମସ୍ତ ଦାୟିତ୍ୱ ଏବେ ସ୍ବପ୍ନାରାଣୀ ନେଉଥିବାରୁ ଏବେ ବେଶ ଖୁସି ଅଛନ୍ତି ପରିବାର ଓ ଗ୍ରାମବାସୀ । ଦିବ୍ଯାଙ୍ଗ ଜିତେନ୍ଦ୍ରଙ୍କ ମା ଚାଲିଯିବା ପରେ ପ୍ରେମିକଙ୍କ ଦୁଃଖ ସମୟରେ ଆସି ତାଙ୍କ ସହ ସାରା ଜୀବନ ବାଟ ଚାଲିବାକୁ ନିଷ୍ପତ୍ତି ନେଇଥିବାରୁ ଏବେ ଚାରି ଆଡୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି ।ଆଜିକାଲି ମଣିଷ ସମାଜରେ ପ୍ରେମରେ ଅନେକ ପ୍ରତାରଣା ଦେଉଥିବାବେଳେ ସ୍ବପ୍ନାରାଣୀ ଓ ଜିତେନ୍ଦ୍ରଙ୍କ ପ୍ରେମ କାହାଣୀ ସମାଜ ପାଇଁ ଏକ ନିଆରା ଉଧାହରଣ ସୃଷ୍ଟି କରିଛି । ତେବେ ସରକାରଙ୍କ ପକ୍ଷରୁ ଯଦି କିଛି ସାହାଯ୍ଯ ସହଯୋଗ ମିଳିପାରନ୍ତା ତେବେ ଉଭୟଙ୍କ ଦାମ୍ପତ୍ୟ ଜୀବନ ହସ ଖୁସିରେ ଭରି ଯାଆନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.