ଫେସବୁକ ପୋଷ୍ଟରେ କମେଣ୍ଟ ଦେଇ ବହେ ଛେଚା ଖାଇଲେ ଯୁବକ

ବ୍ରହ୍ମପୁର : ପୋଲିସ ଗାଡିରୁ ଯୁବକକୁ ଭିଡିନେଲେ । ରାସ୍ତାରେ ମେଞ୍ଚାଏ ଲୋକ ଜମା ହୋଇ ଏକାକୀ ଯୁବକକୁ ନିର୍ଦ୍ଧୁମ ଛେଚିଲେ । ପୋଲିସ୍ ଚାହିଁଛି ହେଲେ ଡର ନାହିଁ କାହାକୁ । ପୋଲିସ ଉପସ୍ଥିତିରେ ହିଁ ଗାଡିରୁ ଯୁବକକୁ ଭିଡି ନେଇ ଆଖି ବନ୍ଦ ମାଡ ମାରିଲେ ଲୋକେ । ଅନେକ ଲୋକ ଜମା ହୋଇଛନ୍ତି ରାସ୍ତାରେ । ଏତେ ଲୋକ ମାରୁଛନ୍ତି ଗୋଟିଏ ଯୁବକକୁ । ଟାଣି ନେଇ ମୁହଁକୁ ମୁହଁକୁ ନାଦି ଦେଉଛନ୍ତି । କିଏ ବିଧା ଚାପୁଡା ମାରୁଛି ତ ପୁଣି କିଏ ବଡ କାଠ ଫାଳିଆ ନେଇଗଲାଣି ପିଟିବ ବୋଲି । ଏ ଦୃଶ୍ୟ ଦେଖି ସେଠାରେ କିଛି ଲୋକ ବୁଝି ପାରୁନଥିଲେ ଯେ କାହିଁକି ଜଣେ ଯୁବକକୁ ଏତେ ଜଣ ମିଶି ଏମିତି ଅନ୍ଧ ଭଳି ମାଡ ମାରୁଛନ୍ତି । ଆପଣଙ୍କ ମନରେ ବି ଏହି କଥା ନିଶ୍ଚୟ ଆସୁଥିବ । ଏ ଯୁବକ ଜଣଙ୍କ କଣ ଏମିତି କରିଦେଲେ ଯେ ଏତେ ନିର୍ମମ ଭାବେ ତାଙ୍କୁ ମାଡ ହେଉଛି । ତେବେ କହିବାକୁ ଚାହିଁବୁ ଯେ ଏସବୁ ଆଜ୍ଞା କମେଣ୍ଟ ମରାକୁ ନେଇ ।

ଫେସବୁକରେ କମେଣ୍ଟ ମାରି ଯୁବକଙ୍କର ହୋଇଛି ଏପରି ଅବସ୍ଥା । ଗୋଟିଏ ପୋଷ୍ଟରେ ଯୁବକ ଦେଇଥିଲେ କମେଣ୍ଟ । ଯାହାପରେ ତାଙ୍କୁ ହୋଇଛି ଏମିତି ମରଣାନ୍ତକ ଆକ୍ରମଣ । ପୋଲିସ ଉପସ୍ଥିତିରେ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼ ମାରିଲେ ଲୋକ । ଗଞ୍ଜାମ ଜିଲ୍ଲା କୋଦଳା ଥାନା କଣ୍ଟାପଡା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଫେସବୁକରେ କମେଣ୍ଟ ମରାକୁ ନେଇ ରତ୍ନାକର ଖଟୁଆଙ୍କର କିଛି ଯୁବକଙ୍କ ସହ ବଚସା ହୋଇଥିଲା। ପରେ ବଚସା ହାତାହାତିରେ ପରିଣତ ହେଲା ।

ଫଳରେ ରତ୍ନାକର ସେଠାରୁ ଖସି ୧୧୨କୁ କଲ କରି ପୋଲିସକୁ ଜଣାଇଥିଲେ । ଖବର ପାଇ କୋଦଳା ପୋଲିସ ଘଟଣା ସ୍ଥଳରେ ପହଂଚି ରତ୍ନାକରକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ତେବେ ଏହି ଗାଁର କେତେଜଣ ବ୍ୟକ୍ତି ତାଙ୍କୁ ଛାଡି ନ ଥିଲେ। ଏପରି କି ପୋଲିସ ଉପସ୍ଥିତରେ ରତ୍ନାକରକୁ ଆକ୍ରମଣ କରିଥିବା ବେଳେ ପୋଲିସ ଗାଡିରୁ ତାକୁ ଭିଡ଼ି ଆଣି ତଳେ ପକାଇ ମାଡ ମାରିଥିଲେ କିଛି ଲୋକେ । ପରେ ଗ୍ରାମର କିଛି ଭଦ୍ର ଲୋକ ଓ ପୋଲିସ ସହାୟତା ରେ ରତ୍ନାକରକୁ ଉଦ୍ଧାର କରାଯାଇଥିଲା ।

ରତ୍ନାକର କୋଦଳା ଥାନାରେ ବାର ଜଣରୁ ଉର୍ଦ୍ଧ୍ୱ ବ୍ୟକ୍ତି ଙ୍କ ନାମରେ ଏତଲା ଦେବାପରେ ପୋଲିସ 535/ 2024 ରେ ଏକ ମାମଲା ରୁଜୁ କରିଥିଲେ । ଅନ୍ୟ ପକ୍ଷରେ ପୋଲିସକୁ ନିଜ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିଥିବା ଓ ଆଇନକୁ ଅବମାନନା କରିଥିବା ଯୋଗୁଁ ପୋଲିସ ପକ୍ଷରୁ 534/2024 ରେ ଏକ ମାମଲା ମଧ୍ୟ ରୁଜୁ କରିଥିବା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି । ରତ୍ନାକରକୁ କୋଦଳା ମେଡିକାଲକୁ ନେବା ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର କୁ ସ୍ଥାନାନ୍ତରିତ କରାଯାଇଛି । ଏପର୍ଯ୍ୟନ୍ତ କାହାରିକୁ ଗିରଫ କରା ନ ଯାଇଥିବା ପୋଲିସ ସୂଚନା ଦେଇଛି ।

You might also like