ପରକୀୟ ପ୍ରୀତିରୁ ହତ୍ୟାକାଣ୍ଡ ସନ୍ଦେହ, କେନାଲ ବନ୍ଧ ଉପରୁ ମିଳିଲା ଯୁବକଙ୍କ ମୃତଦେହ

ପିପିଲି : ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ । ପୁରୀ ଜିଲ୍ଲା ପିପିଲି କଣ୍ଟିରେ ଅଭାବନୀୟ ଘଟଣା ଘଟିଛି । କେନାଲ ବନ୍ଧ ଉପରୁ ମୃତଦେହ ଜବତ କରିଛି ପୋଲିସ । ମୃତକ ହେଲେ କଣ୍ଟି ବାଲିମାଳ ସାହିର ନୀଳକଣ୍ଠ ପାଇକରାୟ । ପରକୀୟ ପ୍ରୀତିରୁ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । ପରିବାର ଲୋକଙ୍କ ଅଭିଯୋଗ ପରେ ତିନି ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ ।
ମିଳିଥିବା ସୂଚନା ଅନୁଯାୟୀ ରବିବାର ରାତିରେ କିଛି ଲୋକ ଫୋନ୍ କରି ନୀଳକଣ୍ଠଙ୍କୁ ଡାକିଥିଲେ । ନୀଳକଣ୍ଠ ଘରୁ ବାହାରକୁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ମାତ୍ର ରାତି ପ୍ରାୟ ୧ଟା ସମୟରେ ନିକଟବର୍ତ୍ତୀ କେନାଲ ବନ୍ଧର ଏକ ମଣ୍ଡପ ନିକଟରୁ ଗୁରୁତର ଅବସ୍ଥାରେ ପରିବାର ଲୋକ ନୀଳକଣ୍ଠଙ୍କୁ ଉଦ୍ଧାର କରିଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ନୀଳକଣ୍ଠଙ୍କୁ ଫୋନ୍ କରି ଡାକିବା ପରେ ହତ୍ୟା କରାଯାଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଘଟଣାକୁ ନେଇ ୩ଜଣଙ୍କୁ ଅଟକ ରଖିଛି ପୋଲିସ । ଅଟକଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି । ତେବେ ପୋଲିସ ପହଞ୍ଚି ମୃତଦେହ ଜବତ କରି କ୍ୟାପିଟାଲ ହସପିଟାଲକୁ ପଠାଇଛି ।