ଜଳପ୍ରପାତରେ ଗାଧୋଇବା ପାଇଁ ପ୍ଲାନ୍ କରିଥିଲେ ସବୁ ସାଙ୍ଗ, କିନ୍ତୁ ଚାଲିଗଲା ଜଣଙ୍କ ଜୀବନ

ରାୟଗଡ଼ା(କେନ୍ୟୁଜ): ମୃତ୍ୟୁ କେତେବେଳେ ଯେ ଆସେ ତାର ସମୟ ନଥାଏ । ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ । କିନ୍ତୁ ବୟସ ହେବା ପୂର୍ବରୁ ଯଦି କେହି ମୃତ୍ୟୁବରଣ କରେ । ତେବେ ତା ପରିବାର ଛାରଖାର ହୋଇଯାଏ । ଜଣେ ଯୁବକଙ୍କର ଅକାଳରେ ହୋଇଛି ମୃତ୍ୟୁ । ଘରୁ ସାଙ୍ଗମାନଙ୍କ ସହ ବୁଲିବା ପାଇଁ ବାହାରିଥିଲେ । ଜଳପ୍ରପାତରେ ଗାଧୋଇବା ପାଇଁ ପ୍ଲାନ୍ କରିଥିଲେ ସବୁ ସାଙ୍ଗ । କିନ୍ତୁ ସାଙ୍ଗମାନଙ୍କ ଭିତରୁ ଜଣଙ୍କ ଜୀବନ ଯିବ, କେହି କେବେ କଳ୍ପନା ବି କରିନଥିଲେ ।
ରାୟଗଡ଼ା ଗୁଣୁପୁର ସହରର ସରୋଜ ମିଶ୍ରଙ୍କ ସହ ଘଟିିଯାଇଛି ଏମିତି କିଛି । ନିଜ ସାଙ୍ଗମାନଙ୍କ ସହ ଜଳପ୍ରପାତ ଦେଖିବାକୁ ଯାଇଥିଲେ । ଜଳପ୍ରପାତର ପାଣି ଦେଖି ସରୋଜଙ୍କ ମନରେ ଗାଧୋଇବାକୁ ଭାରି ଇଚ୍ଛା ହୋଇଥିଲା । କିନ୍ତୁ ପାଣିର ଗଭୀରତା ବିଷୟରେ ଅନୁମାନ କରିନଥିଲେ କେହି । ଅତ୍ୟଧିକ ଗରମ ହେଉଥିବାରୁ ସରୋଜ ଜଳପ୍ରପାତରେ ଗାଧୋଇବାର ମଜା ନେବା ପାଇଁ ଗଭୀର ପାଣି ଭିତରକୁ ଡେଇଁ ପଡ଼ିଥିଲେ । ବାସ ତା ପରେ ଘଟିଗଲା ଅଭାବନୀୟ ଘଟଣା ।
ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ଚାଟିକଣା ଜଳ ପ୍ରପାତ୍ ନିକଟରେ ଘଟିଛି ଏଭଳି ଅଘଟଣ । ୩ ଜଣ ବନ୍ଧୁଙ୍କ ସହିତ ଗୁଣୁପୁର ସହରର ସରୋଜ ମିଶ୍ର ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଚାଟିକଣାରେ ଥିବା ଜଳ ପ୍ରପାତକୁ ଗାଧୋଇବାକୁ ଯାଇଥିଲେ। ବଡ଼ ଗଦଗଦାଠାରେ ଗାଧୋଇବାକୁ ଯାଇ ସରୋଜ ମିଶ୍ର ନିଖୋଜ ହୋଇଥିଲେ । ତେବେ ଯୁବକ ଜଣଙ୍କ ଗଭୀର ପାଣିରେ ଲମ୍ପ ଦେଇଥିଲେ । ଦୀର୍ଘ ସମୟ ପରେ ସେ ପାଣି ଭିତରୁ ନ ବାହାରିବାରୁ ସାଙ୍ଗମାନେ ପରିବାରକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଦମକଳ ବାହିନୀ ଓ ଓଡ୍ରାଫ ଟିମ୍ କୁ ଖବର ଦିଆଯାଇଥିଲା । ଦମକଳ ବାହିନୀ ଓ ଓଡ୍ରାଫ୍ ଟିମ୍ ର ଘଟଣାସ୍ଥଳନରେ ପହଞ୍ଚି ଗଭୀର ପାଣିରେ ଖୋଜାଖୋଜି କରିଥିଲେ । ଦୀର୍ଘ ପାଞ୍ଚଘଣ୍ଟାର ପରିଶ୍ରମ ପରେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା ।
ଯୁବକଙ୍କ ନାକରେ ଗଭୀର ଆଘାତ ହୋଇଥିବାରୁ ସେ ପାଣିରେ ପଡି ଯାଇ ଶ୍ୱାସରୁଦ୍ଧ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପରିବାର ଓ ଅଞ୍ଚଳର ଶହଶହ ଲୋକ ପହଞ୍ଚିଥିଲେ। ମୃତଦେହକୁ ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା ।
ସରୋଜ ତ ନିଜ ପ୍ରାଣ ହରାଇଲେ । କିନ୍ତୁ ଆପଣ ଯଦି ଏମିତି କୌଣସି ସ୍ଥାନକୁ ବୁଲିବାକୁ ଯାଉଛନ୍ତି ତେବେ ସାବଧାନ ରୁହନ୍ତୁ । ଗଭୀର ପାଣିରେ ଗାଧୋଇବା ପାଇଁ ଯାଉଥିଲେ ନିକଟସ୍ତ ଲୋକଙ୍କ ଠାରୁ ପଚାରି ବୁଝନ୍ତୁ ପାଣିର ଗଭୀରତା କେତେ ? ପହଁରା ଜାଣିନଥିଲେ ଏଭଳି ସ୍ଥାନରେ ଗାଧୋଇବା ଠାରୁ ଦୂରେଇ ରୁହନ୍ତୁ । ଜଳପ୍ରପାତ ଭଳି ସ୍ଥାନରେ ପାହାଡ଼ରୁ ଗୋଡ଼ ଖସିବା ଭଳି ସମ୍ଭାବନା ମଧ୍ୟ ଥାଏ । ତେଣୁ ଦେଖି ଚାହିଁ ଏଭଳି ସ୍ଥାନରେ ବୁଲିବାକୁ ଯାଆନ୍ତୁ ।