ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, ବନ୍ଧପଲ୍ଲୀ ଜଙ୍ଗଲକୁ ଯାଇଥିବା ବେଳେ ଅଘଟଣ
ଯାଜପୁର : ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବୈରୀ ରେଞ୍ଜ ଅଧୀନ ବଡ଼ଚଣା ବ୍ଲକ ଚାରିଗୋଛିଆ ଅଂଚଳରେ । ଆଜି ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ଯୁବକ ନିକଟସ୍ଥ ବନ୍ଧପଲ୍ଲୀ ଜଙ୍ଗଲକୁ ଯାଇଥିବା ସମୟରେ ହାତୀ ହାବୁଡ଼ରେ ପଡି ଯାଇଥିଲେ । ଜଣେ ଯୁବକ ସେଠାରୁ ଦୌଡ଼ି ପଳାଇ ଆସିଥିବା ବେଳେ ଅନ୍ୟ ଜଣେ ଯୁବକ ହାତୀ ହାବୁଡ଼ରେ ପଡି ଯାଇଥିଲେ ।
ଫଳରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ଚାରିଗୋଛିଆ ଗ୍ରାମର ରବି ବିନ୍ଧାଣି । ସେଠାରୁ ଖସି ପଳାଇ ଆସିଥିବା ଯୁବକ ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ । ପରେ ସ୍ଥାନୀୟ ଲୋକେ ଓ ବୈରୀ ବନ ବିଭଗ ଅଧିକାରୀ ଘଟଣାସ୍ଥଳରେ ପହଂଚି ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ବଡ଼ଚଣା ମେଡିକାଲରେ ଭର୍ତ୍ତି କରିଥିଲେ ।
ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏପଟେ ବନ ବିଭାଗ ପକ୍ଷରୁ ହାତୀଟିକୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରହିଛି । ଖବର ପାଇ ବଡ଼ଚଣା ବିଧାୟକ ଅମର ନାୟକ ମେଡିକାଲରେ ପହଂଚି ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ଖୁବ ଶୀଘ୍ର ସରକାରୀ ସ୍ତରରେ ମୃତକ ପରିବାରକୁ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ବିଧାୟକ କହିଛନ୍ତି ।