ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

କନ୍ଧମାଳ : ଆଜି ଫୁଲବାଣୀର ସ୍ଵତନ୍ତ୍ର ପକ୍ସୋ କୋର୍ଟ  ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ବନମାଳୀ ପ୍ରଧାନକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ଏକ ଲକ୍ଷ ଦଶ ହଜାର ଟଙ୍କା ଫାଇନ ଓ ଫାଇନ ଅନାଦେୟ ଅଧିକ ୧୩ ମାସ ଜେଲ ଦଣ୍ଡର ରାୟ ଶୁଣାଇଛନ୍ତି । କନ୍ଧମାଳ ଜିଲ୍ଲା ଟିକାବାଲି ଥାନା  ଅଞ୍ଚଳରେ ୨୦୧୮ ରେ ପୀଡିତା ୮ମ ଶ୍ରେଣୀରେ ପଢୁ ଥିବା ବେଳେ ତାର ସାଙ୍ଗ ଘରକୁ ପଢିବାକୁ ଯାଏ ।

ପ୍ରତିଦିନ ସାଙ୍ଗ ଘରକୁ ଜିବା ସମୟରେ  ସାଙ୍ଗର ବଡଭାଇ ନାବାଳିକା ପୀଡ଼ିତା ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା ଏବଂ ଘରେ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲା । କିଛିଦିନ ପରେ ବଡ ଭଉଣୀ ନାବାଳିକା ଭଉଣୀର ଶାରୀରିକ ପରିବର୍ତ୍ତନ ଦେଖି ପଚାରିବାରୁ ବଡ ଭଉଣୀକୁ ସତକଥା କହିଥିଲା ପୀଡ଼ିତା ।

୧୯.୧୧.୨୦୨୨ ରେ ପରିବାର ଓ ନାବାଳିକା ଜଣକ ଟିକାବାଲି ଥାନାରେ ବନମାଳୀ ପ୍ରଧାନ ନାଁରେ ଏକ ମାମଲା ରୁଜୁ କରିଥିଲେ । ଆଜି ମାନ୍ୟବର ପକ୍ସୋ  କୋର୍ଟ ୧୪ ଜଣ ସାକ୍ଷୀ, ମେଡିକାଲ ରିପୋର୍ଟ ଓ ପୀଡ଼ିତାର ବୟାନକୁ ବିଚାର କରି ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ଏକ ଲକ୍ଷ ୧୦ ହଜାର ଟଙ୍କା ଜୋରିମାନା  ଦଣ୍ଡ ଶୁଣାଇଛନ୍ତି ଓ ଜୋରିମାନା ଅନାଦେୟ ୧୩ ମାସ ଅଧିକ ଦଣ୍ଡାଦେଶ ରାୟ ଶୁଣାଇଛନ୍ତି । ଏହା ବ୍ଯତୀତ ପୀଡିତାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦେଶ ଦେଇଛନ୍ତି ।