ଅସହାୟ ଦିବ୍ୟାଙ୍ଗଙ୍କୁ ଦୀର୍ଘ ବର୍ଷ ଧରି ମାଗଣାରେ ସେବା ପ୍ରଦାନ କରୁଛନ୍ତି ଯୁବକ

ବାଲେଶ୍ବର: କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ଏହାକୁ ନିଜ ଜୀବନର ବ୍ରତ ବୋଲି ଭାବି ଗରିବ ଅସହାୟ ଦିବ୍ଯାଙ୍ଗ ଲୋକ ମାନଙ୍କ ପାଇଁ ନିଜ ଜୀବନକୁ ଉତ୍ସଗୀକୃତ କରିଛନ୍ତି ଜଣେ ଯୁବକ । ଦିବ୍ଯାଙ୍ଗ ଲୋକ ମାନଙ୍କୁ ଦୀର୍ଘ ବର୍ଷ ଧରି ମାଗଣାରେ ସେବା ପ୍ରଦାନ କରୁଛନ୍ତି । ଆଜିର ସ୍ବାର୍ଥପର ଦୁନିଆରେ କିଏ ବା କାହାକୁ ପଚାରେ କିନ୍ତୁ ଏହି ଯୁବକଙ୍କ ଏଭଳି ନିଆରା ପ୍ରୟାସ ଦେଖିବା ପରେ ଆପଣ ବି କହିବେ ସତରେ ଏମିତି ପୁଅ ସମସ୍ତଙ୍କୁ ମିଳୁ । ଆଜିର ପିଲାମାନେ ନିଜ ବାପା ମା’ଙ୍କୁ ଅନାଥ ଆଶ୍ରମରେ ଛାଡ଼ୁଥିବା ବେଳେ ଏଇ ଯୁବକ ଅସହାୟ ଦିବ୍ୟାଙ୍ଗ ଲୋକ ମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ କେତେ କଣ କରୁଛନ୍ତି । ଆଉ ତାଙ୍କ ସାହାରା ପାଲଟିଛନ୍ତି ।
ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ବାଲିକୁଟୀ ପଞ୍ଚାୟତ ବାଇଟିଙ୍ଗରୀ ଗାଁର ବାସିନ୍ଦା ହେଉଛନ୍ତି ରାଜକିଶୋର ପାତ୍ର, ବାପା ଜଣେ ଗରୀବ ଚାଷୀ ହୋଇଥିବା ବେଳେ ରାଜକିଶୋର ପାଠ ପଢା ଶେଷ ହେବା ପରେ ପରିବାର ପ୍ରତିପୋଷଣ ପାଇଁ ଲଙ୍ଗଳେଶ୍ବର ବଜାରରେ ଏକ ଜନସେବା କେନ୍ଦ୍ର ଖୋଲିଛନ୍ତି । ଏହି ଜନସେବା କେନ୍ଦ୍ରରେ ଗରିବ ଅସହାୟ ଦିବ୍ଯାଙ୍ଗ ଲୋକ ମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ବିଭିନ୍ନ ଅନଲାଇନ ସେବା ପ୍ରଦାନ କରିଥାନ୍ତି । ଏହାସହ ଜନସେବା କେନ୍ଦ୍ର ରୁ ଯାହା ସ୍ବଳ୍ପ କିଛି ରୋଜଗାର ହୁଏ ସେଥିରେ କଷ୍ଟେମଷ୍ଟେ ପରିବାର ଚଳାଇବା ସହ ସଞ୍ଚିତ ଅର୍ଥ ଦିବ୍ଯାଙ୍ଗ ଲୋକ ମାନଙ୍କ ପାଇଁ ଖର୍ଚ୍ଚ କରିଥାନ୍ତି ।
ଦିବ୍ୟାଙ୍ଗ ଲୋକମାନଙ୍କୁ ଅନଲାଇନ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ କରିବା ସହ ସେମାନେ କେମିତି ସମସ୍ତ ପ୍ରକାର ସରକାରୀ ସହାୟତା ଏବଂ ଭତ୍ତା ଇତ୍ଯାଦି ସହଜରେ ପାଇ ପାରିବେ ସେନେଇ ‘ଆମ ଅଧିକାର ଫାଉଣ୍ତେସନ’ ଗଢି ଦୀର୍ଘ ବର୍ଷ ଧରି ଦିବ୍ଯାଙ୍ଗ ମାନଙ୍କୁ ସେମାନଙ୍କ ହକ ପ୍ରଦାନ ନିମନ୍ତେ କାର୍ଯ୍ଯ କରୁଛନ୍ତି ରାଜକିଶୋର । ଅସହାୟ ଦିବ୍ଯାଙ୍ଗ ଲୋକ ମାନଙ୍କ ମୁହଁ ରେ ଟିକିଏ ହସ ଫୁଟାଇବା ପାଂଇ ଅଞ୍ଚଳର ଅନେକ ଦିବ୍ଯାଙ୍ଗ ଲୋକ ମାନଙ୍କୁ ପ୍ରାକୃତିକ ସୌନ୍ଦର୍ଯ୍ଯ ରେ ଭରପୁର ଡଗରା ବେଳାଭୂମିକୁ ନେଇ ସମସ୍ତଙ୍କୁ ବେଳାଭୂମି ବୁଲାଇବା ସହ ବଣଭୋଜି କରି ସୁସ୍ଯାଦୁ ଭୋଜନ ଖାଇବାକୁ ଦେଇଛନ୍ତି ।
ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମ ମାନଙ୍କୁ ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧା ପାଇଁ ଅନଲାଇନ ଭିନ୍ନକ୍ଷମ ପ୍ରମାଣ ପତ୍ର ଦାଖଲ କରିବା ପାଇଁ ନିୟମାବଳୀ ଜାରି କରାଯାଇଥିବା ବେଳେ ଅନେକ ଗରିବ ଏବଂ ଅସହାୟ ଦିବ୍ଯାଙ୍ଗ ମାନେ ଜନସେବା କେନ୍ଦ୍ରକୁ ଯାଇ ପ୍ରମାଣ ପତ୍ର ଆବେଦନ କରିପାରୁ ନାହାନ୍ତି । ରାଜକିଶୋର ସେମାନଙ୍କ ଘରକୁ ଯାଇ ଭିନ୍ନକ୍ଷମ ପ୍ରମାଣପତ୍ର ଆବେଦନ କରନ୍ତି । ଶୀତ ଦିନରେ ଭିନ୍ନକ୍ଷମ ମାନଙ୍କୁ କମ୍ବଳ ବାଣ୍ଟିବା ସହିତ କୌଣସି ଦିବ୍ଯାଙ୍ଗ ବ୍ୟକ୍ତିର ଶରୀର ଅସୁସ୍ଥ ହେଲେ ହସପିଟାଲ ନେବା ସହ ଆର୍ଥିକ ସହଯୋଗ ମଧ୍ଯ କରିଥାନ୍ତି ।