ବାପା ଆଗରେ ନଦୀକୁ ଡେଇଁ ପଡ଼ିଲା ପୁଅ, ଏଯାଏଁ ମିଳୁନି ପତ୍ତା

ଢେଙ୍କାନାଳ: ନଦୀକୁ ଡେଇଁ ଯୁବକ ନିଖୋଜ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବାଜିରାଉତ ସେତୁରୁ ବ୍ରାହ୍ମଣୀ ନଦୀରୁ ଡେଇଁ ଯୁବକ ଜଣକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକଙ୍କୁ ଠାବ ପାଇଁ ଚାଲିଛି ଉଦ୍ଧାର କାର୍ଯ୍ୟ । ଏପର୍ଯ୍ୟନ୍ତ ଯୁବକଙ୍କ ପତ୍ତା ମିଳିନାହିଁ। ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି। ନିଖୋଜ ଯୁବକ ଜଣଙ୍କ ହେଲେ ପର୍ଶୁରାମ କମାର(୨୫)।
ସୂଚନା ଅନୁସାରେ ପର୍ଶୁରାମ ମାମୁ ଘରେ ରହୁଥିଲେ। ଗତକାଲି ସନ୍ଧ୍ୟାରେ ବାପାଙ୍କ ସହ ମାମୁ ଘରୁ ନିଜ ଘରକୁ ଆସୁଥିଲେ। ବାଜିରାଉତ ସେତୁ ଉପରେ ପର୍ଶୁରାମ ହଠାତ୍ ସାଇକେଲରୁ ଓହ୍ଲାଇ ନଦୀକୁ ଡେଇଁ ପଡ଼ିଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କୁ ଖୋଜାଖୋଜି କରିଥିଲେ। ହେଲେ ପାଇନଥିଲେ। ରାତି ଅଧିକ ହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା। ଆଜି ସକାଳେ ଦମକଳବାହିନୀ ପହଞ୍ଚି ନିଖୋଜ ଯୁବକଙ୍କୁ ଖୋଜାଖୋଜି କରୁଛନ୍ତି। ହେଲେ ଏପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳିନାହିଁ। କେଉଁ କାରଣ ପାଇଁ ପର୍ଶୁରାମ ନଦୀକୁ ଡେଇଁପଡ଼ିଲେ ଜଣାପଡ଼ିନାହିଁ।