ପଳାସୁଣୀ ଛକରେ ଟ୍ରକ୍ ସ୍କୁଟିକୁ ଧକ୍କା ଦେବାରୁ ଯୁବକଙ୍କ ମୃତ୍ୟୁ, ଆଉ ଜଣେ ଗୁରୁତର

ଭୁବନେଶ୍ୱର: ଶନିବାର ଦିନ ଭୁବନେଶ୍ୱରର ପଳାସୁଣୀ ଛକରେ ଏକ ଦ୍ରୁତଗାମୀ ଟ୍ରକ୍ ସ୍କୁଟିକୁ ପଛରୁ ଧକ୍କା ଦେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।  ସୂଚନା ଅନୁଯାୟୀ, ଦୁଇଜଣ ଯୁବକ ଏକ ସ୍କୁଟିରେ ଚଢ଼ି ଯାଉଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ୍ ପଛରୁ ସେମାନଙ୍କୁ ଧକ୍କା ଦେଇଥିଲା । ଧକ୍କା ଫଳରେ ଆରୋହୀ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ​​ଏବଂ ଟ୍ରକ୍ ତାଙ୍କ ଉପରେ ଚଢ଼ିଯାଇଥିଲା । ଜଣଙ୍କର ଦୁର୍ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ସୂଚନା ପାଇ ମଞ୍ଚେଶ୍ୱର ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଛି । ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ମୃତକ ଏବଂ ଆହତ, ଉଭୟଙ୍କ ପରିଚୟ ଖବର ଲେଖାହେବା ଯାଏ ସ୍ପଷ୍ଟ ହୋଇନାହିଁ ବୋଲି ଅଧିକାରୀମାନେ କହିଛନ୍ତି। ପଳାସୁଣୀ ଛକରେ ଗାଡ଼ିଗୁଡ଼ିକ ଜମା ହୋଇଯିବାରୁ କିଛି ସମୟ ପାଇଁ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ପୋଲିସ ରାସ୍ତା ସଫା କରି ଘଟଣାର ତଦନ୍ତ ଆରମ୍ଭ କରିଛି।