ଚାକିରି ନାରେ ୨ ଲକ୍ଷ ଟଙ୍କା ଠକେଇ, ସାଇବର ଥାନା ଦ୍ୱାରସ୍ଥ ହେଲେ ଯୁବକ

କଟକ : ଚାକିରୀ ନାରେ ଠକେଇ। ଟାଇମ୍ସ ଜବ୍ ନାମକ କମ୍ପାନିରେ ଚାକିରୀ ଆବେଦନ କରି ହଟହଟା ହେଲେ ଯୁବକ। କଟକ ସହରର ଶ୍ରୀବିହାର କଲୋନୀ ଅଞ୍ଚଳର ବିଶ୍ଵଦୀପ ସେନ ଟାଇମ୍ସ ଜବରେ ଚାକିରୀ ଆବେଦନ କରିଥିଲେ। ଆବେଦନ ପରେ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲେ। ଏହାପରେ ୨ଟି ପର୍ଯ୍ୟାୟରେ ବିଶ୍ୱଜିତଙ୍କ ଠାରୁ ପ୍ରୋସେସିଙ୍ଗ ଏବଂ ଭିଜା ବାବଦରେ ପାଖାପାଖି ୨ ଲକ୍ଷ ଟଙ୍କା ନିଆଯାଇଥିଲା। ଏହା ସତ୍ତ୍ବେ କମ୍ପାନି ଅଧିକ ଅର୍ଥ ଦାବି କରିବାରୁ ବିଶ୍ଵଦୀପ ଟଙ୍କା ଦେବାକୁ ସକ୍ଷମ ନ ଥିବା ଜଣାଇଥିଲେ।

ବକେୟା ଅର୍ଥ ଫେରାଇ ଦେବାକୁ କହିଥିଲେ। ନଭେମ୍ବର ୧୫ ସୁଦ୍ଧା ଅର୍ଥ ଫେରସ୍ତ ଦିଆଯିବ ବୋଲି ଜଣାଇଥିଲେ କମ୍ପାନି କର୍ମଚାରୀ। ହେଲେ ପରବର୍ତ୍ତୀ ସମୟରେ କମ୍ପାନୀ ଦ୍ଵାରା ଦିଆଯାଇଥିବା ମୋବାଇଲ୍ ନମ୍ବର ଓ ହ୍ବାଟ୍ସ୍ ଆପ୍ ବନ୍ଦ ହୋଇଯାଇଥିଲା। ଏନେଇ ବିଶ୍ୱଦୀପ୍ ଏଡିଜିପି, କ୍ରାଇମବ୍ରାଞ୍ଚ୍, ଡିଜିପି ଦିଲ୍ଲୀ ପୋଲିସ୍, ଆଇ ଆଇ ସି ସାଇବର ଥାନା, ପୋଲିସ କମିଶନର କଟକ-ଭୁବନେଶ୍ବରଙ୍କୁ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ । ହେଲେ କୌଣସି ସୁଫଳ ନ ମିଳିବାରୁ ଆଜି କଟକ ଡିସିପିଙ୍କୁ ଭେଟିଛନ୍ତି।