ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ କାରାଦଣ୍ଡାଦେଶ ଦେଲେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ

ଯାଜପୁର ଟାଉନ:  ନାବାଳିକା ଦୁଷ୍କର୍ମ ଘଟଣାରେ ଦୋଷୀକୁ ୨୦ବର୍ଷ ର କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁରର ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ୨୦୨୨ ମସିହା ଯାଜପୁର ଜିଲ୍ଲା ଜେନାପୁର ଥାନା ଅଞ୍ଚଳର ୧୫ ବର୍ଷୀୟ ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ବାରମ୍ବାର ଦୁଷ୍କର୍ମ କରିଥିଲେ ଦୋଷୀ । ପୀଡ଼ିତାଙ୍କ ପରିବାର ଵର୍ଗ ଏ ନେଇ ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଦୁଷ୍କର୍ମକାରୀ କେନ୍ଦୁଝର ଜିଲ୍ଲା ଶୋଶୋ ଥାନା ଅଞ୍ଚଳର ମିଥୁନ ମହାକୁଡ଼କୁ ଦଫା ୩୭୬(କ ଖ) ଏବଂ ପୋକ୍ସୋ ଧାରା ୬ ଅନୁଯାୟୀ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ।

ଆଜି ଏହି ମାମଲାର ଶୁଣାଣି କରିଛନ୍ତି ସ୍ବତନ୍ତ୍ର ପୋକ୍ସୋ ଅଦାଲତ । ୧୩ଜଣଙ୍କ ସାକ୍ଷ ପ୍ରମାଣକୁ ଗ୍ରହଣ କରି ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି । ଏଥି ସହିତ ଅନାଦୟ ୧୫ ମାସ ଅଧିକ କାରାଦଣ୍ଡାଦେଶ ସହ ପିଡିତାଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ପୋକ୍ସୋ ବିଚାରପତି ଅଭିଜିତ ପଲାଇ । ଏହି ମାମଲାକୁ ସରକାରୀ ଓକିଲ ରାଜୀବ ମହାନ୍ତି ପରିଚାଳନା କରିଛନ୍ତି ।