ତାଳଚେର: କମେଣ୍ଟ ମାରିବାରୁ ଯୁବକକୁ ଲଣ୍ଡା କରି ବୁଲାଇଲେ ଯୁବଗୋଷ୍ଠୀ, ଭିଡ଼ିଓ କଲେ ଭାଇରାଲ

ତାଳେଚେର(କେନ୍ୟୁଜ୍): ପୁଣି ହଜିଗଲା ମାନବିକତା । ସାମାନ୍ୟ ଭୁଲ ପାଇଁ ଯୁବକଙ୍କୁ କଙ୍ଗାରୁ କୋର୍ଟରେ ଦଣ୍ଡିତ କଲେ ଗ୍ରାମବାସୀ । ଏଭଳି ଘଟଣା ତାଳଚେର ବାଲୁଗାଁରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବାଲୁଗାଁର ଯୁବତୀ ମାନେ କଲେଜକୁ ପାଠ ପଢିବାକୁ ଯାଉଥିବା ବେଳେ ସ୍ଥାନୀୟ ୩ ଜଣ ଯୁବକ ସେମାନଙ୍କୁ କମେଣ୍ଟ ମାରୁଥିଲେ । ଏପରିକି ଅଶ୍ଳୀଳ ଇଙ୍ଗିତ ମଧ୍ୟ କରୁଥିଲେ । ଏହି କଥା ଯୁବତୀମାନେ ଗାଁରେ କହିବା ପରେ ଗାଁ ଲୋକ ଏକାଠି ହୋଇ ଆଜି ଛକି ରହିଥିଲେ । ସେହି ୩ ଜଣ ଯୁବକ ଆଜି ପୁଣି ଯୁବତୀ ମାନଙ୍କୁ କମେଣ୍ଟ କରିବା ବେଳେ ଗାଁ ଲୋକ ଧରିବାକୁ ଚେଷ୍ଟା କରିଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଖସି ପଳାଇବାକୁ ସକ୍ଷମ ହୋଇଥିବା ବେଳେ ଜଣଙ୍କୁ କାବୁ କରିନେଇଥିଲେ ଗ୍ରାମବାସୀ ।

ଯୁବକଙ୍କୁ ଧରିବା ପରେ ଉତ୍ତମ ମଧ୍ୟମ ଦେଇ ପରେ ସଂପୃକ୍ତ ଯୁବକଙ୍କୁ ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଥିଲେ । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ମାନବିକତା ଭୁଲି ଯାଇ ଆଇନକୁ ହାତକୁ ନେଇ ଯୁବକଙ୍କୁ ଏଭଳି ଦଣ୍ଡିତ କରିଛନ୍ତି ଗ୍ରାମବାସୀ । ତେବେ ଏ ସମ୍ପର୍କରେ ଖବର ପାଇ ତାଳଚେର ପୁଲିସ ଗାଁରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଥିଲା । ଏହାପରେ ଅନ୍ୟ ଦୁଇ ଯୁବକଙ୍କୁ ମଧ୍ୟ ଆଣି ଥାନାରେ ଅଟକ ରଖିଛି । ତେବେ ସାମାନ୍ୟ ଭୁଲ ପାଇଁ ଏଭଳି କଙ୍ଗାରୁକୋର୍ଟରେ ଦଣ୍ଡିତ କରିବା ଘଟଣା ଅଞ୍ଚଳରେ  ଚର୍ଚ୍ଚାର ବିଷୟ ପାଲଟିଛି ।