ଚିନ୍ତାଧାରାକୁ ସଲାମ, ଏଠି ମଣିଷ ନୁହେଁ ମାଙ୍କଡର ହେଉଛି ଅନ୍ତିମ ସଂସ୍କାର
ଆନନ୍ଦପୁର(କେ ନ୍ୟୁଜ): ଏଠି ଅର୍ଥ ହିଁ ଅନର୍ଥର ମୂଳ । କେଉଁଠି ଭାଇ ଭାଇକୁ ସମ୍ପତ୍ତି ପାଇଁ ହାଣି ଦେଉଛି ତ କେଉଁଠି ପୁଅ ମା’ ବାପାଙ୍କୁ ତଣ୍ଟି ଚିପି ମାରିଦେଉଛି । ଏଇ ଘୋର କଳିକାଳରେ ମଣିଷ ତ ମଣିଷକୁ ଚିନ୍ହୁନି, ନିଜ ଲୋକଙ୍କୁ ଖାତିର କରୁନି, ଧନ ଟିକିଏ ପାଇଁ ରକ୍ତର ନଦୀ ବୁହାଇବାକୁ ବି ପଛଉନି । ତେବେ ଏଠି ସାଧାରଣ ପଶୁଟିଏ ପାଇଁ ଜାଗା କେଉଁଠି ମିଳିବ । ସେ ଯେ ପୁଣି ବାନର । ହଁ ବଡବଡିଆ ମାନେ ଅବଶ୍ୟ ସଉକରେ ପୋଷା କୁକୁର ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଛଉ ନାହାନ୍ତି । ଏମିତି ଅନେକ ନଜିର ରହିଛି ଯେଉଁଠି କୁକୁରର ମୃତ୍ୟୁ ପରେ ମଣିଷ ପରି ଶବସତ୍କାର କରିବା ସହ ଭୋଜିଭାତର ଆୟୋଜନ ମଧ୍ୟ କରୁଛନ୍ତି । କିନ୍ତୁ ଏମିତି ଘଟଣା କେତେ ବା ଘଟୁଛି ।
କାଁ ଭାଁ କେଉଁଠି କେମିତି । କିନ୍ତୁ କୁକୁର ବ୍ୟତୀତ ଅନ୍ୟ କୌଣସି ଜୀବଜନ୍ତୁଙ୍କୁ ସେତେଟା ଧ୍ୟାନ ଦିଆଯାଏ ନାହିଁ । ଆଉ ମାଙ୍କଡ଼ ଗଛରୁ ଗଛ ଡେଇଁ ବାଡ଼ି ବଗିଚାର ଫୁଲ ଫଳ ଛିଡ଼େଇ ଦିଅନ୍ତି ବୋଲି ସେମାନଙ୍କୁ ଦେଖିବା କ୍ଷଣି ଲୋକେ ଛି ଛାକର କରି ଗୋଡେଇ ଥାନ୍ତି । କିନ୍ତୁ ମାଙ୍କଡଟିର ମୃତ୍ୟୁ ପରେ ତାକୁ ସମ୍ମାନର ସହ ବିଦାୟ ଦେବା ଭଳି ଘଟଣା ହୁଏତ ପ୍ରଥମ ଥର ପାଇଁ ଘଟିଥିବ । ଆଜି ଆନନ୍ଦପୁର ଉପଖଣ୍ଡ ଘଷିପୁରା ବସଷ୍ଟାଣ୍ଡ ନିକଟରେ ମାଙ୍କଡ଼ଟିର କୌଣସି କାରଣରୁ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଅଞ୍ଚଳର କିଛି ଯୁବକ ମାଙ୍କଡ଼ ଟିକୁ ଶୋଭାଯାତ୍ରାରେ ଝାଡେଶ୍ୱର ଶ୍ମଶାନକୁ ନେବା ସହିତ ଭକ୍ତି ସହକାରେ ସସମ୍ମନେ ଶେଷ କୃତ୍ୟ ସମ୍ପର୍ଣ୍ଣ କରିଛନ୍ତି। ଯୁବକ ମାନଙ୍କର ଏମିତି ପଦକ୍ଷେପକୁ ଆଖପାଖ ଅଞ୍ଚଳରୁ ପ୍ରଶଂସାର ସୁଅ ଛୁଟୁଛି ।
ହିନ୍ଦୁ ଧର୍ମରେ ବାନରକୁ ପ୍ରଭୁ ହନୁମାନଙ୍କର ଅବତାର ଭାବେ ଧରାଯାଇଥାଏ | ଶ୍ରୀରାମଙ୍କ ବଡ଼ ଭକ୍ତ ଭାବରେ ପୂଜା କରାଯାଏ । ଆଉ ଯୁବଗୋଷ୍ଠୀଙ୍କ ଏହି ପଦକ୍ଷେପ ନିଶ୍ଚିନ୍ତ ରୂପେ ପ୍ରଶଂସା ଯୋଗ୍ୟ |