ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇବା ଘଟଣା; ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀଙ୍କୁ ପଶ୍ଚିମବଙ୍ଗରରୁ ଗିରଫ କଲା ପୋଲିସ

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ ମାମଲା। ପଶ୍ଚିମବଙ୍ଗର ୟୁଟ୍ୟୁବ ବ୍ଲଗର ଅନିମେଶ ଚକ୍ରବର୍ତ୍ତୀଙ୍କୁ ଗିରଫ କଲା ପୁରୀ ପୋଲିସ। କୋଲକାତା ବାରାକପୁରରୁ ଅନିମେଶଙ୍କୁ ଗିରଫ କରାଯାଇଛି। ବାରାକପୁର କମିସନରେଟର ନିମତା ଥାନା ଅଞ୍ଚଳରେ ଅନିମେଶ ବୁଲାବୁଲି କରୁଥିବା ବେଳେ ସିଟି ଡିଏସପି କେ କୋଣ୍ଡାଦର ହରିପ୍ରସାଦଙ୍କ ନେତୃତ୍ୱରେ ଏକ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।
ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇ ଭିଡିଓକୁ ନିଜ ୟୁଟ୍ୟୁବ ପେଜରେ ଅପଲୋଡ କରିଥିଲେ। ଭିଡିଓ ବିକ୍ରି ପାଇଁ ଟଙ୍କା ମାଗୁଥିବା ଅଭିଯୋଗ ମଧ୍ୟ ହୋଇଥିଲା। ଏନେଇ ବିରୋଧ ହେବା ପରେ କ୍ଷମା ମାଗିଥିଲେ ଅନିମେଶ। ଆଜି ଅଭିଯୁକ୍ତକୁ ପୁରୀ ପୁଲିସ ବାରାକପୁର କୋର୍ଟରେ ହାଜର କରିବ । କୋର୍ଟଙ୍କ ଅନୁମତି ମିଳିବା ପରେ ଟ୍ରାନଜିଟ ରିମାଣ୍ଡରେ ଶ୍ରୀକ୍ଷେତ୍ରକୁ ଅଣାଯିବ ବୋଲି ସିଟି ଡିଏସପି କେ କୋଣ୍ଡାଦର ହରିପ୍ରସାଦ ସୂଚନା ଦେଇଛନ୍ତି ।
ଗତ ନଭେମ୍ବର ୧୯ ତାରିଖରେ ୟୁନିଫାଏଡ ଅନିମେଶ ଓ ୟୁନିଫାଏଡ ମୁଭିର ୱାଟର ମାର୍କ ଥାଇ ୟୁଟ୍ୟୁବରେ ଶ୍ରୀମନ୍ଦିରର ଭିଡିଓ ଅପଲୋଡ କରାଯାଇଥିଲା । ଏହି ଭିଡିଓରେ ଶ୍ରୀମନ୍ଦିର ଉପର ଓ ଭିତର ବେଢାର ସ୍ପଷ୍ଟ ଦୃଶ୍ୟ ରହିଥିଲା । ରାଜ୍ୟ ସରକାର ମଧ୍ୟ ଘଟଣାକୁ ଗୁରୁତ୍ୱ ଦେଇ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।