ଖୁବ ଶୀଘ୍ର ଶିମିଳିପାଳ ଫେରିବ ଜିନ୍ନତ, ଭଲ ନାହିଁ ବାଘୁଣୀର ସ୍ବାସ୍ଥ୍ୟବସ୍ଥା
ଭୁବନେଶ୍ୱର : ଭଲ ନାହିଁ ଜିନତର ସ୍ବାସ୍ଥ୍ୟବସ୍ଥା । ଜିନତକୁ ଟ୍ରାଙ୍କୁଲାଇଜ କରିବା ପାଇଁ ୩ଟି ସଟ୍ ମରାଯାଇଥିଲା । ଯାହାର ପ୍ରଭାବରେ ବାଘୁଣୀ ଅସୁସ୍ଥ ହୋଇପଡିଛି । କୋଲକାତା ଆଲିପୁର ଚିଡିଆଖାନାରେ ୧୨ ଜଣିଆ ଟିମ୍ ଜିନତର ଚିକିତ୍ସା ଓ ନିରୀକ୍ଷଣ ଦାୟିତ୍ବରେ ଅଛନ୍ତି । ତାର ଶରୀର ସଂପୂର୍ଣ୍ଣ ଦୁର୍ବଳ ରହିଛି । ଆଜି ଡାକ୍ତରୀ ପରୀକ୍ଷା ପରେ ବାଘୁଣୀ କେବେ ଫେରିବ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ତେବେ ସେ ସୁସ୍ଥ ହେବା ପରେ ତାକୁ କେଉଁଠି ରଖାଯିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୁଣି ସଫ୍ଟ ଏନକ୍ଲୋଜରରେ ରଖାଯିବ ନା ଅନ୍ୟ କେଉଁ ଅଭୟାରମ୍ୟକୁ ପଠାୟିବ ସେନେଇ ଚିନ୍ତା କରୁଛି ବନବିଭାଗ ।
ରବିବାର ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲା ଗୋସାଇଣ୍ଡିହି ନିକଟ ଜଙ୍ଗଲରେ ଟ୍ରାଙ୍କୁଲାଇଜ ହୋଇଥିଲା ଜିନ୍ନତ । ନଭେମ୍ବର ୧୪ ତାରିଖରେ ମହାରାଷ୍ଟ୍ରର ତଡ଼ୋବା- ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଶିମିଳିପାଳକୁ ଆସିଥିଲା ଜିନ୍ନତ । ଶିମିଳିପାଳ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ଲକ୍ଷ୍ୟରେ ଏହାକୁ ଅଣାଯାଇଥିଲା । ପ୍ରଥମେ ଦଶଦିନ ସ୍ବତନ୍ତ୍ର ଏନକ୍ଲୋଜରରେ ଏହାକୁ ରଖାଯାଇଥିଲା । ଡିସେମ୍ବର ୮ତାରିଖରୁ ଶିମିଳିପାଳରୁ ବାହାରି ଝାଡଖଣ୍ଡର ଚକୁଲିଆ ଜଙ୍ଗଲରେ ପଶିଥିଲା । ସେଠାରେ ସପ୍ତାହେ ଘୁରିବା ପରେ ପଶ୍ଚିମବଙ୍ଗର ଝାଡ଼ଗ୍ରାମ ମୁହାଁଇଥିଲା ଜିନ୍ନତ । ୨୧ ଦିନ ପରେ ଜନ୍ତାକୁ ଫେରିଛି ଜିନ୍ନତ ।