ରାତିରେ ଗ୍ରାମବାସୀଙ୍କ ଧାରଣା ପରେ ଗିରଫ ହେଲା ଅଭିଯୁକ୍ତ, ଏବେ ଖସାଇ ଦେବାକୁ ଚାପ ପକାଉଛନ୍ତି ଜିଲ୍ଲାପରିଷଦ ସଦସ୍ୟା

ଯାଜପୁର ଟାଉନ୍: ସାରା ରାତି ଗ୍ରାମବାସୀ ଥାନା ସାମ୍ନାରେ ଧାରଣା ଦେବା ପରେ ଗିରଫ ହେଲା ଅଭିଯୁକ୍ତ । ଆଉ ସକାଳୁ ସହଯୋଗୀ ଅଭିଯୁକ୍ତକୁ ଖସାଇବା ପାଇଁ ଜିଲ୍ଲାପରିଷଦ ସଦସ୍ୟାଙ୍କ ସହିତ ଥାନା ଅଧିକାରୀଙ୍କ ଯୁକ୍ତିତର୍କକୁ ନେଇ ଦେଖାଦେଇଛି ଆଉ ଏକ ବିବାଦ । ଯାଜପୁର ଜିଲ୍ଲା ମଂଗଳପୁର ଥାନା ଅନ୍ତର୍ଗତ ପାଲଟପୁର ଗାଁରେ ଦିନ ଦ୍ୱିପହରରେ ମହିଳାଙ୍କୁ ଛୁରୀ ଦେଖାଇ ଆକ୍ରମଣ ଘଟଣାରେ ଅଭିଯୁକ୍ତ ହେମନ୍ତ ମଲ୍ଲିକଙ୍କୁ ଗିରଫ କରିବା ପାଇଁ ଗତକାଲି ରାତିରୁ ଗ୍ରାମବାସୀ ଥାନା ସାମ୍ନାରେ ଧାରଣା ଦେବାପରେ ପୋଲିସ ରାତାରାତି ତାକୁ ଗିରଫ କରିଥିଲା । ଏଥିସହିତ ତାର ଅନ୍ୟ ଜଣେ ସହଯୋଗୀ ଅନିରୁଦ୍ଧ ମଲ୍ଲିକଙ୍କୁ ପୋଲିସ ଅଟକ ରଖିଛି ।

ତେବେ ଆଜି ସକାଳୁ ଅନିରୁଦ୍ଧ ନିର୍ଦୋଷ ଥିବା ଦର୍ଶାଇ ତାକୁ ଛାଡିବା ପାଇଁ ଥାନା ଅଧିକାରୀଙ୍କୁ ଜିଲ୍ଲା ପରିଷଦ ସଦସ୍ୟା ମାମିନା ମଲ୍ଲିକ ଚାପ ପକାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ । ସାଧାରଣ ଲୋକଙ୍କ ଦାବିକୁ ସମ୍ମାନ ଜଣାଇ ଅଭିଯୁକ୍ତକୁ ପୋଲିସ ଗିରଫ କରିବା ଘଟଣାକୁ ସାଧାରଣରେ ପ୍ରଶଂସା କରାଯାଉଥିବା ବେଳେ ଅନ୍ୟପଟେ ଜିଲ୍ଲାପରିଷଦ ସଦସ୍ୟାଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ନିନ୍ଦା କରାଯାଇଛି । ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ହେମନ୍ତ ମଲ୍ଲିକ ଗାଁ ଭୋଜିକୁ କେନ୍ଦ୍ର କରି ଗ୍ରାମବାସୀଙ୍କୁ କଟୁରୀ ଦେଖାଇ ହାଣିବାକୁ ଗୋଡାଇଥିବା ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ମାମଲା ରୁଜୁ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.