ନୟାଗଡ଼ ନାବାଳିକା ହତ୍ୟା ମାମଲା: ମୃତ ନାବାଳିକାଙ୍କ ମାଆଙ୍କ ଆବେଦନ ଉପରେ ସିବିଆଇକୁ ନୋଟିସ କଲେ ସୁପ୍ରିମକୋର୍ଟ

କେନ୍ୟୁଜ୍(ବ୍ୟୁରୋ): ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତାଙ୍କ ମାଆ । ସିବିଆଇ ତଦନ୍ତ ପାଇଁ ଆବେଦନ କରିଛନ୍ତି । ପିଟିସନରେ ଦର୍ଶାଇଛନ୍ତି ଯେ, ତାଙ୍କ ୫ ବର୍ଷର ଝିଅକୁ ସ୍ପଷ୍ଟ ଦିବାଲୋକରେ ଅପହରଣ ପରେ ହତ୍ୟା କରାଯାଇଛି । ମାମଲାକୁ ଭଣ୍ଡୁର ପାଇଁ ପୋଲିସ, କ୍ରାଇମବ୍ରାଞ୍ଚ ଓ ଏସଆଇଟି ଉଦ୍ୟମ କରିଛନ୍ତି । ତତ୍କାଳୀନ ନୟାଗଡ଼ ସଦର ଥାନା ଆଇଆଇସିଙ୍କ ଭୂମିକାକୁ ତଦନ୍ତ ପରିସରଭୁକ୍ତ କରିନାହିଁ ଏସଆଇଟି । ମାମଲାରେ ପ୍ରକୃତ ଦୋଷୀକୁ ଘଣ୍ଟ ଘୋଡ଼ାଯାଉଛି । ନାବାଳିକା ଝିଅକୁ ଦୁଷ୍କର୍ମ ଓ ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାକୁ ପିଟିସନରେ ପ୍ରାର୍ଥନା କରିଛନ୍ତି ନାବାଳିକାଙ୍କ ମାଆ ।

ସେହିପରି ଏନସିଆରବି ରେକର୍ଡ ଅନୁସାରେ ରାଜ୍ୟରେ ପ୍ରତିଦିନ ୧୩ ଜଣ ଶିଶୁ ନିଖୋଜ ହେଉଥିବାରୁ ଏହାର ସିବିଆଇ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଉ ବୋଲି ପିଟିସନରେ ଉଲ୍ଲେଖ ରହିଛି । ଯଦୁପୁର ନାବାଳିକା ହତ୍ୟା ମାମଲାରେ ଏବେ ଏସଆଇଟି ତଦନ୍ତ କରୁଥିବା ବେଳେ ଆଇପିଏସ ଅଫିସର ଅରୁଣ ବୋଥ୍ରା ନେତୃତ୍ୱ ନେଉଛନ୍ତି । ୨୦୧୨ରେ ବୋଥ୍ରା ସିବିଆଇ ଡିଆଇଜି ଭାବେ କାର୍ଯ୍ୟରତ ଥିବା ବେଳେ ଉତ୍ସର୍ଗୀକୃତ ସେବା ପାଇଁ ପାଇଥିଲେ ପୋଲିସ ମେଡାଲ । ଗତ ୧୨ ତାରିଖରେ ହାଇକୋର୍ଟରେ ଏ ସଂପର୍କିତ ମାମଲାର ଶୁଣାଣିରେ ଏସଆଇଟି ତଦନ୍ତର ଅଗ୍ରଗତିକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ ହାଇକୋର୍ଟ । ଏବେ ସିବିଆଇ ତଦନ୍ତ ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟ କଣ ନିଷ୍ପତ୍ତି ନେଉଛନ୍ତି ତା ଉପରେ ନଜର ରହିବ ।

nayagarh 2

ସେପଟେ ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ବ୍ରେନ ମ୍ୟାପିଂ ଟେଷ୍ଟ ପାଇଁ ରାଜି ହେଲାନି ଗିରଫ ଅଭିଯୁକ୍ତ । ଏନେଇ ସେ ଲିଖିତ ଭାବେ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ଜଣାଇଛି । ପୂର୍ବରୁ ଅଭିଯୁକ୍ତ ମଧ୍ୟ ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ରାଜି ହୋଇନଥିଲା । ଏବେ ଅଭିଯୁକ୍ତର ଲେୟର ଭଏସ ଆନାଲିସିସ୍‌ ଟେଷ୍ଟ-LVA ପାଇଁ ଆବେଦନ ଏସଆଇଟି । ଆସନ୍ତା ୨୦ ତାରିଖରେ ଏହା ଉପରେ ଶୁଣାଣି ହେବ ।ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ତଦନ୍ତ ପାଇଁ ନଭେମ୍ବର ୨୮ରେ ଗଠନ ହୋଇଥିଲା ଏସଆଇଟି । ଏହି ମାମଲାରେ ଅଭିଯୁକ୍ତ ନାବାଳକକୁ ଏବେ ଅନୁଗୁଳ ବାଳ ସୁଧାର ଗୃହରେ ରଖାଯାଇଛି ।

Leave A Reply

Your email address will not be published.