ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍ ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ଇତି ମଧ୍ୟରେ ସୁଶାନ୍ତଙ୍କ ରୋଷେୟା ଏକ ନୂଆ କଥା କହିଛନ୍ତି। ୨୦୧୬ରୁ ୨୦୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ସୁଶାନ୍ତ ସିଂହ ରାଜପୁତଙ୍କର ରୋଷେୟା ଭାବେ କାମ କରୁଥିବା ଅଶୋକ କୁମାର ଖାସୁକୁ ୨୦୧୯ ମସିହାରେ କାମରୁ ବାହାର କରି ଦିଆଯାଇଥିଲା।
ଏକ ଇଣ୍ଟରଭ୍ୟୁରେ ଅଶୋକ କହିଛନ୍ତି ସୁଶାନ୍ତ ତାଙ୍କ ପୁରୁଣା ଷ୍ଟାଫ୍ଙ୍କୁ କାଢ଼ିବାକୁ ଆଦୌ ପସନ୍ଦ କରନ୍ତି ନାହିଁ। ରିୟା ବାରମ୍ବାର କହିବା ପରେ ସୁଶାନ୍ତ ତାଙ୍କୁ ଚାକିରିକୁ ବିଦା କରିଦେଇଥିଲେ। ରିୟା ଓ ସୁଶାନ୍ତଙ୍କ ମ୍ୟାନେଜର ତାଙ୍କୁ ମେସେଜ୍ କରି ଚାକିରି ଚାଲିଯାଇଥିବା ଖବର ଦେଇଥିଲେ। ପରେ ସେ ଖବର ପାଇଥିଲେ ଯେ ରିୟାଙ୍କ କହିବା ପରେ ହିଁ ତାଙ୍କୁ ଚାକିରିରୁ ବିଦା କରାଯାଇଥିଲା। କୁକ୍ କହିଛନ୍ତି ଯେ ତାଙ୍କ ବ୍ୟତୀତ ଜଣେ ବଡିଗାର୍ଡ ସାହିଲ ଓ ଆକାଉଣ୍ଟାଣ୍ଟ ରଜତଙ୍କୁ ମଧ୍ୟ ଗତ ବର୍ଷ ଅକ୍ଟୋବର ପରେ କାମରୁ ହଟାଇ ଦିଆଯାଇଥିଲା।
ଅଶୋକ କହିଛନ୍ତି ଯେ ଗତ ବର୍ଷ ଡିସେମ୍ବର ମାସରେ ସୁଶାନ୍ତଙ୍କ ଭଉଣୀ ଦିଲ୍ଲୀରୁ ମୁମ୍ବାଇ ଆସିଥିଲେ ଓ ମୁମ୍ବାଇରେ ରହୁଥିବା ଭଉଣୀ ମିତୁ ମଧ୍ୟ ସାଙ୍ଗରେ ବାନ୍ଦ୍ରାସ୍ଥିତ ଘରକୁ ସୁଶାନ୍ତଙ୍କୁ ଭେଟିବାକୁ ଯାଇଥିଲେ। କିନ୍ତୁ ଭିତରୁ ମେସେଜ୍ ଆସିଲା ଯେ ସୁଶାନ୍ତ ବ୍ୟସ୍ତ ଅଛନ୍ତି ଓ କାହା ସହ ଦେଖା କରିପାରିବେ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଅକ୍ଟୋବର ନଭେମ୍ବର ମାସରେ ସୁଶାନ୍ତ ମେଡିକାଲରେ ଆଡ୍ମିଟ୍ ହୋଇଥିଲେ ଓ କୁହାଯାଇଥିଲା ଯେ ତାଙ୍କୁ ଡେଙ୍ଗୁ ହୋଇଛି। କିନ୍ତୁ ସେତେବେଳେ କେହି ଡିପ୍ରେସନ୍ କଥା ବି ଉଠାଇନଥିଲେ। ଏଣୁ ଏସବୁ ଏବେ ନିଜ ଦୋଷ ଲୁଚାଇବାକୁ ରିୟା କହୁଥିବା ସେ ଅଭିଯୋଗ କରିଛନ୍ତି।