ଇନଭର୍ଟର ଏସି ଏବଂ ନନ-ଇନଭର୍ଟର ଏସିକୁ ନେଇ ଚିନ୍ତାରେ ଅଛନ୍ତି କି ? ଜାଣନ୍ତୁ କେଉଁଟା ଭଲ

ଉପରମୁହାଁ ହୋଇଛି ତାପମାତ୍ରା । ଅସମ୍ଭାଳ ତାତିକୁ ନେଇ ଲୋକେ ନିଜ ଘରେ ଏସି ଲଗାଉଛନ୍ତି । ଏସିର ଥଣ୍ଡା ଥଣ୍ଡା ପବନ ଟିକେ ଦେହରେ ବାଜିଗଲେ ନିଦ ବି ଆସିଯାଏ । ଦିନକୁ ଦିନ ଖରାର ପ୍ରକୋପ ବଢ଼ିଚାଲିଛି । ଦେଶର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରୀ ପାଖାପାଖି ପହଞ୍ଚିଲାଣି । ଲୋକମାନେ ଏସି ଏବଂ ପଙ୍ଖା ଚଲାଇ ଗରମରୁ ମୁକ୍ତି ପାଉଛନ୍ତି । କିନ୍ତୁ ଅନେକ ଥର ଦେଖାଯାଇଛି ଯେ ଲୋକମାନେ ଇନଭର୍ଟର ଏସି ଏବଂ ନନ-ଇନଭର୍ଟର ଏସିକୁ ନେଇ ଚିନ୍ତାରେ ପଡ଼ନ୍ତି । ଘରେ କେଉଁ ଏସି ଲଗେଇଲେ ଭଲ ହେବ ତାକୁ ନେଇ ଦ୍ବନ୍ଦରେ ପଡ଼ନ୍ତି । ତେବେ ଆସନ୍ତୁ ଜାଣିବା ଇନଭର୍ଟର ଏବଂ ନନ୍-ଇନଭର୍ଟର ଏସି ମଧ୍ୟରେ କଣ ପାର୍ଥକ୍ୟ ରହିଛି ।
କହି ରଖୁଛୁ ଯେ ଇନଭର୍ଟର ACରେ ଏମିତି କମ୍ପ୍ରେସର ଥାଏ ଯାହାର ସ୍ପିଡକୁ ରୁମର ତାପମାତ୍ରା ଅନୁସାରେ ବୃଦ୍ଧି କିମ୍ବା ହ୍ରାସ କରାଯାଇପାରିବ । କିନ୍ତୁ ନନ୍-ଇନଭର୍ଟର AC ରେ ଥିବା କମ୍ପ୍ରେସର ନିର୍ଦ୍ଦିଷ୍ଟ ସ୍ପିଡରେ ଚାଲିଥାଏ ଯାହା ସମ୍ପୂର୍ଣ୍ଣ ଭାବରେ ଚାଲୁ ରୁହେ କିମ୍ବା ବନ୍ଦ ରୁହେ । ଏହି କାରଣରୁ ଇନଭର୍ଟର ଏସି କମ୍ ବିଦ୍ୟୁତ୍ ବ୍ୟବହାର କରେ । କିନ୍ତୁ ନନ୍-ଇଭର୍ଟର ଏସି ବାରମ୍ବାର ଚାଲୁ ଏବଂ ବନ୍ଦ ହେବା ପ୍ରୋସେସ ଯୋଗୁଁ ଅଧିକ ବିଦ୍ୟୁତ୍ ବ୍ୟବହାର କରେ ଏବଂ ଅଧିକ ଶବ୍ଦ ମଧ୍ୟ କରେ ।
ଇନଭର୍ଟର ଏସିଗୁଡ଼ିକ କେବଳ କମ୍ ବିଦ୍ୟୁତ୍ ଖର୍ଚ୍ଚ କରେ ନାହିଁ ବରଂ ତାପମାତ୍ରାକୁ ସ୍ଥିର ରଖେ । ଏହି ଟେକ୍ନୋଲୋଜି ବାହାରର ତାପମାତ୍ରା କିମ୍ବା ରୁମରେ କେତେ ଲୋକ ଉପସ୍ଥିତ ଅଛନ୍ତି ତାକୁ ନେଇ ଏସିର ସ୍ପିଡକୁ କମାଇଥାଏ ଓ ବଢ଼ାଇଥାଏ । ଇନଭର୍ଟର ACରେ ଥିବା ସିଷ୍ଟମ ପାଇଁ ଏହା ସାଧାରଣ AC ଅପେକ୍ଷା ଭଲ କାମ କରିଥାଏ ।
ଇନଭର୍ଟର AC ରେ ଏକ ଖାସ୍ ଟେକନିକ୍ ‘ପଲ୍ସ ୱିଡଥ୍ ମଡ୍ୟୁଲେସନ୍’ ଅର୍ଥାତ୍ PWM ବ୍ୟବହାର କରାଯାଏ, ଯାହା କମ୍ପ୍ରେସରକୁ ଗୋଟିଏ ସ୍ପିଡରେ ଚାଲୁ ରଖିଥାଏ। ଏହା ଦ୍ଵାରା ରୁମ୍ ଶୀଘ୍ର ଥଣ୍ଡା ହୁଏ ଏବଂ ମେସିନ୍ ଉପରେ କମ୍ ଚାପ ପଡ଼େ । ଏହା ବ୍ୟତୀତ ଏହି ଟେକନିକ୍ ଦ୍ବାରା ACର ଲାଇଫ୍ ମଧ୍ୟ ବଢ଼ିଥାଏ । ଏହା ବ୍ୟତୀତ ଇନଭର୍ଟର ଏସିର ମେଣ୍ଟେନାନ୍ସ ମଧ୍ୟ ନନ-ଇନଭର୍ଟର ଏସି ତୁଳନାରେ କମ୍ ହୋଇଥାଏ ।
ନନ୍-ଇନଭର୍ଟର ଏସିଗୁଡ଼ିକରେ ପୁରୁଣା ରେଫ୍ରିଜରେଣ୍ଟ ବ୍ୟବହାର ହେଉଥିବା ବେଳେ, ଇନଭର୍ଟର ଏସିଗୁଡ଼ିକରେ R32 ଭଳି ଇକୋ ଫ୍ରେଣ୍ଡଲି ରେଫ୍ରିଜରେଣ୍ଟ ବ୍ୟବହାର କରାଯାଏ । ଯାହା ଭଲ ଥଣ୍ଡା ପ୍ରଦାନ କରେ ଏବଂ ପରିବେଶ ଉପରେ ମଧ୍ୟ କମ୍ ପ୍ରଭାବ ପକାଏ ।
ଇନଭର୍ଟର ACର ଆଉ ଏକ ଖାସ୍ କଥା ହେଉଛି ଏହା ପବନରୁ ଆର୍ଦ୍ରତାକୁ ଭଲ ଭାବରେ ଦୂର କରିପାରିବ । ଖାସ୍ କରି ଯେଉଁ ଅଞ୍ଚଳରେ ଅଧିକ ଆର୍ଦ୍ରତା ଥାଏ, ସେହି ସ୍ଥାନ ପାଇଁ ଇନଭର୍ଟର AC ଉପଯୋଗୀ ହେବ । ହଠାତ୍ ତାପମାତ୍ରା ପରିବର୍ତ୍ତନ ହେଲେ ଏହି ଏସି କମ୍ପ୍ରେସରର ସ୍ପିଡକୁ ମଧ୍ୟ କଣ୍ଟ୍ରୋଲ ରଖେ, ଯାହା ଦ୍ୱାରା ଆପଣଙ୍କ ରୁମ୍ ଦିନସାରା ସମାନ ଭାବରେ ଥଣ୍ଡା ରହିବ ।
ମୂଲ୍ୟ ବିଷୟରେ କହିବାକୁ ଗଲେ ଇନଭର୍ଟର ଏସିର ପ୍ରାରମ୍ଭିକ ମୂଲ୍ୟ ଅଧିକ ଥାଏ । ଏହି ଏସିକୁ ଆପଣ ଲଙ୍ଗ ଟାଇମ୍ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ଏବଂ ଏହି ଏସି କମ୍ ବିଦ୍ୟୁତ୍ ବ୍ୟବହାର ମଧ୍ୟ କରେ । ଅନ୍ୟପଟେ ନନ୍-ଇନଭର୍ଟର ଏସିଗୁଡ଼ିକ ଶସ୍ତା ଦାମରେ ମିଳିଯିବ କିନ୍ତୁ ଏହାର ମେଣ୍ଟେନାନ୍ସ ଖର୍ଚ୍ଚ ଏବଂ ବିଦ୍ୟୁତ୍ ବିଲ୍ ଅଧିକ ହୋଇଥାଏ । ଏହା ବ୍ୟତୀତ ଇନଭର୍ଟର ଏସିଗୁଡ଼ିକ ଅଧିକ ସ୍ଥାୟୀ ଏବଂ କମ୍ ମେଣ୍ଟେନାନ୍ସ ପାଇଁ ଭଲ ହୋଇଥାଏ ଯେତେବେଳେ ନନ୍-ଇନଭର୍ଟର ଏସିଗୁଡ଼ିକୁ ଅଧିକ ଦିନ ବ୍ୟବହାର କରି ହୁଏ ନାହିଁ ।
Also Read:ଗରମ ଦାଉରୁ ସୁରକ୍ଷିତ ରହୁଛନ୍ତି ପଶୁପକ୍ଷୀ, କୁଲର ଓ ଏସିରେ ରହୁଛନ୍ତି ଭାଲୁ ଓ ବାଘ