Facebook Outage: ଅଫିସ୍‌ରେ ଏଣ୍ଟ୍ରି କରିପାରିନଥିଲେ ଫେସ୍‌ବୁକ କର୍ମଚାରୀ, ଗେଟ୍‌ ଆକ୍ସେସ୍‌ ବି ହୋଇଯାଇଥିଲା ବନ୍ଦ

ଫେସ୍‌ବୁକ୍‌ ଇତିହାସରେ ଏବେ ପର୍ଯ୍ୟନ୍ତର ସବୁଠୁ ବଡ଼ ଆଉଟେଜ୍‌ ସୋମବାର ରାତିରେ ଦେଖିବାକୁ ମିଳିଛି। ସୋମବାର ରାତିରେ ପାଖାପାଖି ୬ ଘଣ୍ଟା ଧରି ହ୍ଵାଟ୍ସ ଆପ୍‌, ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ଠପ୍‌ ହୋଇଯାଇଥିଲା। ଫେସ୍‌ବୁକ୍‌ ପକ୍ଷରୁ କୁହାଯାଇଛି ଯେ କନ୍‌ଫ୍ୟୁଗେରେସନ୍‌ ବେଳେ ଏହି ଆଉଟେଜ୍‌ ହୋଇଥିଲା। ଏହାକୁ ଠିକ୍‌ କରିବା ପାଇଁ କୌଣସି ସୁରାଗ ମିଳିପାରିନଥିଲା। ଏଣୁ ଦୀର୍ଘ ୬ ଘଣ୍ଟା କାଳ ଏହି ୩ଟି ସୋସିଆଲ ମିଡିଆରେ କାମ ବନ୍ଦ ହୋଇଯାଇଥିଲା।

ତେବେ ବର୍ତ୍ତମାନ ସାମ୍ନାକୁ ଆସିଥିବା ଖବରରୁ ଜଣାପଡ଼ିଛି ଯେ ଯେଉଁ ସମୟରେ ଫେସ୍‌ବୁକ୍‌, ହ୍ଵାଟ୍ସ ଆପ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ବନ୍ଦ ରହିଥିଲା, ସେତେବେଳେ କମ୍ପାନୀର କର୍ମଚାରୀମାନେ ଅଫିସ୍‌ରେ ଏଣ୍ଟ୍ରି ମଧ୍ୟ କରିପାରିନଥିଲେ। ସମସ୍ତ କର୍ମଚାରୀଙ୍କ ଏଣ୍ଟ୍ରି ଗେଟ୍‌ର ଆକ୍ସେସ୍‌ ସରି ଯାଇଥିଲା। ଏଣୁ ସେମାନଙ୍କ ପାଇଁ ଆଉ ଗେଟ୍‌ ଖୋଲିନଥିଲା। ଫଳରେ ଦୀର୍ଘ ୬ ଘଣ୍ଟା ଧରି ସେମାନଙ୍କୁ ବାହାରେ ହିଁ ଠିଆ ହେବାକୁ ପଡ଼ିଥିଲା। ସୂଚନାଯୋଗ୍ୟ ଯେ ସୋମବାର ରାତି ୯.୫୦ରୁ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ ଓ ହ୍ଵାଟ୍ସଆପ୍‌ କାମ କରିବା ବନ୍ଦ ଦେଇଥିଲା। ତା’ ପରଦିନ ଭୋର ୩ଟାରେ ପୁଣିଥରେ ସେବା ସ୍ୱାଭାବିକ ହୋଇଥିଲା ଓ ଲୋକମାନେ ସୋସିଆଲ ମିଡିଆ ବ୍ୟବହାର କରିପାରିଥିଲେ।

ତେବେ ଏହି ସମୟ ମଧ୍ୟରେ କମ୍ପାନୀର କର୍ମଚାରୀମାନେ ଅଫିସରେ ଏଣ୍ଟ୍ରି କରିପାରିନଥିବା ଖବରକୁ କେତେକ ବଡ଼ ବଡ଼ ବ୍ୟକ୍ତି ବିଶେଷ ମଧ୍ୟ ସତ ବୋଲି କହିଛନ୍ତି। ନ୍ୟୁୟର୍କ ଟାଇମ୍ସର ଟେକ୍ନୋଲୋଜି ରିପୋର୍ଟର ଶୀରା ଫ୍ରେନ୍‌କେଲ ଟ୍ଵିଟ୍‌ କରି ସ୍ପଷ୍ଟ କରିଛନ୍ତି ଯେ ଫେସ୍‌ବୁକ, ଇନ୍‌ଷ୍ଟାଗ୍ରାମ୍‌ ଓ ହ୍ଵାଟ୍ସଆପ୍‌ ସେବା ବନ୍ଦ ଥିବା ବେଳେ ଫେସ୍‌ବୁକ୍‌ର କର୍ମଚାରୀମାନେ ଅଫିସରେ ପ୍ରବେଶ କରିପାରିନଥିଲେ। ଏଣ୍ଟ୍ରି ଗେଟ୍‌ର ଆକ୍ସେସ୍‌ ବି କାମ କରିବା ବନ୍ଦ କରିଦେଇଥିଲା। ରିପୋର୍ଟରେ କୁହାଯାଇଛି ଯେ ଆଉଟେଜ୍‌ ବେଳେ ଚେକ୍‌ କରିବାକୁ ବାହାରକୁ ଆସିଥିବା କର୍ମଚାରୀ ଅଫିସ ବାହାରେ ହିଁ ଠିଆ ହୋଇ ରହିଥିଲେ। କାରଣ ଗେଟ୍‌ ଖୋଲିବାକୁ ବ୍ୟବହୃତ ହେଉଥିବା ସେମାନଙ୍କ ବ୍ୟାଜ୍‌ ଆଉ କାମ କରିନଥିଲା। ଆଉ କିଛି କର୍ମଚାରୀ କନ୍‌ଫରେନ୍ସ ରୁମ୍‌କୁ ବି ଯାଇପାରିନଥିଲେ ବୋଲି କୁହାଯାଉଛି।

ଅନ୍ୟପଟେ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ ଓ ହ୍ଵାଟ୍ସଆପ୍‌ ବନ୍ଦ ହେବା ପରେ ସାରା ବିଶ୍ୱର ବଡ଼ ବଡ଼ ଟେକ୍ନୋଲୋଜି ଏକ୍ସପର୍ଟ ଏଭଳି ଗ୍ଲୋବାଲ ଆଉଟେଜ୍‌ର କାରଣ ଖୋଜିବାରେ ଲାଗିପଡ଼ିଥିଲେ। ଜଣେ ସାଇବର ସ୍ପେଶାଲିଷ୍ଟଙ୍କ କହିବାନୁସାରେ ବର୍ଡର ଗେଟୱେ ପ୍ରୋଟୋକଲ(BGP)ରେ ସମସ୍ୟା ଥିବାରୁ ଫେସ୍‌ବୁକ୍‌ର ତିନିଟି ଆପ୍‌ ଡାଉନ୍‌ ହୋଇଯାଇଥିଲା।

ପ୍ରକାଶ ଯେ BGP ଯୋଗୁ ହିଁ ଇଣ୍ଟରନେଟ୍‌ କାମ କରିଥାଏ। ଏହା ଏକାଧିକ ନେଟଓ୍ଵାର୍କକୁ ଯୋଡ଼ି ରଖିବାରେ ସାହାଯ୍ୟ କରେ। ଏହି ପ୍ରୋଟୋକଲ ଯୋଗୁ ହିଁ କମ୍ପାନୀମାନେ କହିପାରନ୍ତି ଯେ ସେମାନେ ଇଣ୍ଟରନେଟ୍‌ରେ ଅଛନ୍ତି। କିନ୍ତୁ ଫେସ୍‌ବୁକ୍‌ରେ କେତେକ ସମସ୍ୟା ଉପୁଜିଥିଲା ଓ ସେ କହିପାରିନଥିଲା ଯେ ସେ ଇଣ୍ଟରନେଟ୍‌ରେ ଅଛି। ତେବେ ଏହି ସମୟ ମଧ୍ୟରେ ଫେସ୍‌ବୁକର ମାଲିକଙ୍କର ଶତାଧିକ କୋଟି ଡଲାର କ୍ଷତି ହୋଇଥିବା ଜଣାଯାଇଛି। ଏଣୁ ଧନୀ ତାଲିକାରେ ବି ସେ ତଳକୁ ଖସିଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.