ଚାରି କୁନି ବୈଜ୍ଞାନିକଙ୍କ କମାଲ, ତିଆରି କଲେ ବଢ଼ିଆ ଟେକନିକ୍ର ସବୁଠୁ ଶସ୍ତା ଇଲେକଟ୍ରି କାର

ଲକ୍ଷ୍ନୌ : ବୋଧହୁଏ ଭାରତ ଇତିହାସରେ ଏହା ପ୍ରଥମ ଘଟଣା ହେବ । ଚାରି ଜଣ ନାବାଳକ ତିଆରି କରିଛନ୍ତି ଏକ ଅତ୍ୟାଧୁନିକ କାର୍ । ଏହି କୁନି କୁନି ବୈଜ୍ଞାନିକମାନେ ପ୍ରଦୂଷଣ ହୀନ କାର୍ ତିଆରି କରି ସମସ୍ତଙ୍କ ଚମକାଇ ଦେଇଛନ୍ତି । ଏମାନେ ହେଲେ ୧୧ ବର୍ଷ ବୟସ୍କ ବିରାଜ, ୯ ବର୍ଷ ବୟସର ଆର୍ଯ୍ୟବ, ୧୨ ବର୍ଷର ଗର୍ବିତ ଏବଂ ୧୪ ବର୍ଷ ବୟସର ଶ୍ରେୟାଂସ ।
ଏମାନେ ନିର୍ମାଣ କରିଥିବା କାର୍ଟି ସବୁଠାରୁ ଶାସ୍ତା ଇଲେକଟ୍ରି କାର ବୋଲି କୁହାଯାଉଛି । ଓ୍ଵାନ୍, ଟୁ ଏବଂ ଫୋର୍ ସିଟର କାର୍ ସେମାନେ ତିଆରି କରିଛନ୍ତି । ରୋବୋଟିକ୍ ବିଶେଷଜ୍ଞ ମିଲିନ୍ଦ ରାଜଙ୍କ ତତ୍ତ୍ୱାବଧାନ ଏବଂ ପରାମର୍ଶରେ ଏହି ଚାରି ଜଣ ବାଳକ କାର୍ ତିଆରି କରିଥିଲେ ।
ବିଶ୍ୱରେ ପ୍ରଥମଥର କୌଣସି କାର୍ରେ ସୋଲାର ହାଇବ୍ରିଡ୍ ଡିଏଫ୍ଏସ୍ ଲଗା ଯାଇଛି । ଏହା ସହ ଅଲଟ୍ରାଭାଓଲେଟ୍ ଟେକନୋଲୋଜିକୁ ବ୍ୟବହାର କରାଯାଇଛି । ପୁଣି ଏଥିରେ ଧୂଳି ଓ ଧୂଆଁକୁ ଫିଲଟର କରିଲା ଭଳି ଟେକନୋଲୋଜି ମଧ୍ୟ ରହିଛି । ଏହି ଟେକନୋଲୋଜିରେ ଧୂଳି ଓ ଧୂଆଁ ଆପେ ଆପେ ଫିଲଟର ହୋଇଯିବ ଏବଂ ବାୟୁମଣ୍ଡଳ ସ୍ୱଚ୍ଛ ରହିବ । ଫଳରେ ବଢୁଥିବା ତାପମାତ୍ରା ମଧ୍ୟ କମି ପାରିବ ।
ଏହି ଚାରିଜଣ କୁନି ବୈଜ୍ଞାନିକ ପ୍ରାୟ ସାତ ଆଠ ମାସ ଧରି ପୂରା ନିଷ୍ଠାର ସହ ମିଲିନ୍ଦ ରାଜଙ୍କ ପରାମର୍ଶ ଅନୁସାରେ କାମ କରିଥିଲେ । ଶେଷରେ ତାର ଫଳ ମିଳିଛି ବୋଲି ମିଲିନ୍ଦ କହିଛନ୍ତି । ଏହା ସହିତ ପିଲାମାନଙ୍କୁ ଖୁବ୍ ପ୍ରଶଂସା କରି ଏମାନେ ଭବିଷ୍ୟତରେ ନିଶ୍ଚୟ ଜଣେ ଜଣେ ବଡ଼ ବୈଜ୍ଞାନିକ ହେବେ ବୋଲି କହିଛନ୍ତି । ମିଲିନ୍ଦ ଆହୁରି କହିଛନ୍ତି ଯେ ଲକ୍ଷ୍ନୌ ସହରକୁ ଦେଶର ଶ୍ରେଷ୍ଠ ସ୍ୱଚ୍ଛ ସହର ଭାବେ ପୁରସ୍କାର ମିଳିଛି । ଆଉ ଏଇ ସହରର ପିଲାମାନେ ଯେଉଁ ନୂଆ ଇଲେକଟ୍ରି କାର୍ ତିଆରି କରିଛନ୍ତି ତାହା ଉଭୟ ରାଜ୍ୟ ଏବଂ ଦେଶ ପାଇଁ ଗୌରବର କଥା । କାରଣ ସହରକୁ ଧୂଳି ଶୂନ୍ୟ କରିବାରେ ଏହି କାର୍ରେ ଲାଗିଥିବା ଫିଲଟର ସହାୟକ ହେବ ।