ଗୁଗଲ ଆଣିଲା Theft Detection Lock ଫିଚର, ଚୋର ହାତରେ ଲାଗିଲେ ଲକ୍ ହୋଇଯିବ ଫୋନ

ଗୁଗଲ୍ ଦ୍ୱାରା ଆଣ୍ଡ୍ରଏଡ୍ 15 ରିଲିଜ୍ ହୋଇଛି । ବର୍ତ୍ତମାନ ନୂଆ ଆଣ୍ଡ୍ରଏଡ୍ ସିଷ୍ଟମ୍ ସହିତ ସ୍ମାର୍ଟଫୋନ୍ ଅଧିକ ଆଡଭାନ୍ସ ହୋଇଛି । ଗୁଗଲ୍ ଆଣ୍ଡ୍ରଏଡ୍ 15 ରେ ଅନେକ ଫିଚର୍ସ ରହିଛି । ଆଣ୍ଡ୍ରଏଡ୍ 15 ରେ ଏପରି କିଛି ଫିଚର ରହିଛି ଯାହା ଆପଣଙ୍କର ସ୍ମାର୍ଟଫୋନ୍ କୁ ଅଧିକ ସୁରକ୍ଷିତ କରିବ । ଗୁଗଲ ବର୍ତ୍ତମାନ ଏହାର ୟୁଜରମାନଙ୍କୁ Theft Detection Lock ଫିଚର ଦେଇଛି । ନାଁ ରୁ ହିଁ ଅନୁମାନ କରି ହେଉଛି ଏହି ଫିଚରର କାମ କଣ । ଏହି ଫିଚର ଚୋରି ହେଲେ ଫୋନକୁ ଲକ୍ କରିଥାଏ । Theft Detection Lock ବ୍ୟତୀତ ଗୁଗଲ ଅଫଲାଇନ୍ ଡିଭାଇସ୍ ଲକ୍ ଏବଂ ରିମୋଟ ଲକ୍ ନାମକ ଦୁଇଟି ନୂଆ ସେଫ୍ଟି ଫିଚର ମଧ୍ୟ ବାହାର କରିଛି । ଆସନ୍ତୁ ଏହି ସିକ୍ୟୁରିଟି ଫିଚର ବିଷୟରେ ଡିଟେଲ୍ସରେ ଜାଣିବା ।
Theft Detection Lock ଫିଚର :
ଗୁଗଲର ନୂଆ Theft Detection Lock ଫିଚର ଦ୍ବାରା ଫୋନ ଚୋରି ହେଲେ ତୁରନ୍ତ ଫୋନ୍ ଲକ୍ ହୋଇଯିବ । ଅର୍ଥାତ ବର୍ତ୍ତମାନ ଯଦି ଆପଣଙ୍କ ଫୋନ୍ ଚୋରି ହୋଇଯାଉଛି, ତେବେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ । ଅନ୍ୟ କେହି ଆପଣଙ୍କର ବ୍ୟକ୍ତିଗତ ତଥ୍ୟକୁ ଆକ୍ସେସ କରିପାରିବେ ନାହିଁ ।
ଗୁଗଲ ଅନୁଯାୟୀ ଚୋର ଆପଣଙ୍କ ଫୋନ୍ ନେଇ ପଳାଇଯିବା ବେଳେ କିମ୍ବା ବାଇକରେ ନେବା ମାତ୍ରେ ସ୍ମାର୍ଟଫୋନ୍ ସେହି ମୁହୂର୍ତ୍ତକୁ ଅନୁଭବ କରି ଫୋନକୁ ଲକ୍ କରିଥାଏ । ଗୁଗଲ୍ କହିଛି ଯେ ଏହି ଫିଚର ସମସ୍ତ ଆଣ୍ଡ୍ରଏଡ୍ ଡିଭାଇସରେ ଉପଲବ୍ଧ । କିନ୍ତୁ ଯଦି ଆପଣଙ୍କର ଆଣ୍ଡ୍ରଏଡ୍ ଗୋରେ ଫୋନ୍ ଏବଂ ଟ୍ୟାବ୍ ଚାଲୁଛି ତେବେ ଏହି ଫିଚର ଏଥିରେ କାମ କରିବ ନାହିଁ ।
ଅଫଲାଇନ୍ ଡିଭାଇସ୍ ଲକ୍ ଏବଂ ରିମୋଟ ଲକ୍ :
ଗୁଗଲ୍ ଆଣ୍ଡ୍ରଏଡ୍ ୟୁଜରଙ୍କ ପାଇଁ ଅଫଲାଇନ୍ ଡିଭାଇସ୍ ଲକ୍ ଏବଂ ରିମୋଟ ଲକ୍ ଫିଚର ଆଣିଛି । କମ୍ପାନୀ ଅନୁଯାୟୀ ଯେତେବେଳେ ଆପଣଙ୍କର ଫୋନ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଫଲାଇନରେ ରହିବ ସେତେବେଳେ ଅଫଲାଇନ୍ ଡିଭାଇସ୍ ଲକ୍ କାମ କରିବ । ଏପରି ଅବସ୍ଥାରେ ଏହା ଅଟୋମେଟିକ୍ ଭାବରେ ଫୋନକୁ ଲକ୍ କରିବ । ରିମୋଟ ଲକ୍ ରେ ଯଦି ଆପଣଙ୍କର ଫୋନ୍ ଚୋରି ହୁଏ ତେବେ ଆପଣ ତୁରନ୍ତ ଅନ୍ୟ ଏକ ଫୋନ୍ ମାଧ୍ୟମରେ ଆପଣଙ୍କର ଡିଭାଇସ୍ ଲକ୍ କରିପାରିବେ ।