ଏହି ଉପାୟରେ ଲକ୍‌ କରନ୍ତୁ ନିଜ ଆଧାର କାର୍ଡ, କେହି ଚାହିଁଲେ ବି ନେଇପାରିବେନି ଡାଟା

ଆଧାର କାର୍ଡ ହେଉଛି ଆମର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ର। ଏବେ ସବୁ କାମ ପାଇଁ ଏହା ଏକ ଜରୁରୀ କାଗତପତ୍ର ଭାବେ ବ୍ୟବହୃତ ହେଉଛି। ସିମ୍‌ କାର୍ଡ କିଣିବାଠୁ ଆରମ୍ଭ କରି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପର୍ଯ୍ୟନ୍ତ ଏବେ ପ୍ରାୟ ସବୁ କାମ ପାଇଁ ଏହା ଦରକାର ପଡ଼ୁଛି। ଏହା ବିନା ଆପଣଙ୍କ ସମସ୍ତ କାମ ଅଟକିଯାଇପାରେ। ପ୍ରକାଶ ଯେ ଭାରତୀୟଙ୍କ ପାଇଁ ଆଧାର କାର୍ଡ ସବୁଠୁ ଜରୁରୀ ପରିଚୟ ପତ୍ର। ଏଥିରେ ଫ୍ରିଙ୍ଗରପ୍ରିଣ୍ଟ ଠାରୁ ଆରମ୍ଭ କରି ଅନେକ ସମ୍ବେଦନଶୀଳ ସୂଚନା ରହିଛି। ଏଭଳି ସ୍ଥିତିରେ ଯଦି ଡାଟା ଲିକ୍‌ ହୋଇଯାଏ ତେବେ ନିହାତିଭାବେ ଆପଣ ସମସ୍ୟାରେ ପଡ଼ିବେ।

ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ ଅର୍ଥାତ୍‌ ୟୁଆଇଡିଏଆଇ ପକ୍ଷରୁ ଆଧାରକୁ ଲକ୍‌ କରିବା ସୁବିଧା ଉପଲବ୍ଧ କରାଯାଇଛି। ଏ ବିଷୟରେ ଖୁବ୍‌ କମ୍‌ ଲୋକ ହିଁ ଜାଣନ୍ତି। ଆପଣ ବି ଚାହିଁଲେ ମାତ୍ର କିଛି ସମୟ ମଧ୍ୟରେ ନିଜ ଆଧାର କାର୍ଡକୁ ଲକ୍‌ କରିପାରିବେ। ଫଳରେ କେହି ହ୍ୟାକର୍ସ ଚାହିଁଲେ ବି ଏହାର ଭୁଲ ବ୍ୟବହାର କରିପାରିବ ନାହିଁ।

ତେବେ ଆସନ୍ତୁ ଜାଣିବା ଆଧାର କାର୍ଡକୁ ଲକ୍‌ କରିବାର ପ୍ରକ୍ରିୟା ସମ୍ପର୍କରେ…

ଯେଉଁଭଳି ଭାବେ ଆପଣ ଘରର ସୁରକ୍ଷା ପାଇଁ କବାଟରେ ତାଲା ପକାନ୍ତି, ଠିକ୍‌ ସେହିଭଳି ଆଧାର କାର୍ଡକୁ ମଧ୍ୟ ଲକ୍‌ କରିବା ଫିଚର ରହିଛି। ଏହା ମଧ୍ୟ ଏକ ତାଲା ଭଳି କାମ କରିଥାଏ। ଯାହାକୁ କୌଣସି ବାହାର ଲୋକ ଖୋଲି ପାରିନଥାଏ। ଏଥିରେ ଆପଣଙ୍କ ଡାଟା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥାଏ।

ଆଧାର କାର୍ଡକୁ ଲକ୍‌ କରିବା ପାଇଁ ସର୍ବ ପ୍ରଥମେ ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବରରୁ GETOTP ଲେଖି ୧୯୪୭କୁ ଏକ ମେସେଜ୍‌ ପଠାନ୍ତୁ। ଏହା ପରେ ଆପଣଙ୍କ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ। ଓଟିପି ମିଳିବା ପରେ ନିଜ ରେଜିଷ୍ଟର ମୋବାଇଲ ନମ୍ବରରୁ ହିଁ LOCKUID ଆଧାର ନମ୍ବର ଲେଖି ପୁଣିଥରେ ୧୯୪୭କୁ ମେସେଜ୍‌ ପଠାନ୍ତୁ। ଏହା ପରେ ଆଧାର ନମ୍ବର ଲକ୍‌ ହୋଇଯିବ।

ଏମିତି କରନ୍ତୁ ଅନ୍‌ଲକ୍‌:

ଆଧାର କାର୍ଡ ଅନ୍‌ଲକ୍‌ କରିବା ପାଇଁ ଆପଣଙ୍କୁ ସର୍ବପ୍ରଥମେ GETOTP ଆଧାର ନମ୍ବର ଲେଖି ୧୯୪୭ ନମ୍ବରକୁ ମେସେଜ୍‌ କରିବା ପଡ଼ିବ। ୬ ଅଙ୍କ ବିଶିଷ୍ଟ ଓଟିପି ମିଳିଲା ପରେ UNLOCKUID ଆଧାର ନମ୍ବର ଓ ଓଟିପି ଲେଖି ପୁଣିଥରେ ୧୯୪୭ ନମ୍ବରକୁ ମେସେଜ୍‌ ପଠାନ୍ତୁ। ଏମିତି କଲେ ଆପଣଙ୍କ ଆଧାର ନମ୍ବର ଅନ୍‌ଲକ୍‌ ହୋଇଯିବ।

Leave A Reply

Your email address will not be published.