ସାଇବର ଅପରାଧୀଙ୍କ ପାଇଁ ଡିଜିଟାଲ ଅସ୍ତ୍ର ହେବ ମଣିଷ ଡିଏନଏ, ଚେତାବନୀ ଦେଲେ ଗବେଷକ

ସାରା ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ସାଇବର ଆଟାକ୍ । ମୋବାଇଲ ୟୁଜର୍ସ ସାଇବର ଆଟାକ୍ ନାଁ ଶୁଣିଲେ ହିଁ ଚମକି ପଡ଼ନ୍ତି । କିନ୍ତୁ ଏବେ ଆଉ ଏକ ବିପଦ ସାମ୍ନାକୁ ଆସିଛି । ପୂର୍ବରୁ କେବଳ ମୋବାଇଲ୍, ଲାପଟପ୍ କିମ୍ବା କମ୍ପ୍ୟୁଟର ଭଳି ଡିଭାଇସ୍ ହ୍ୟାକ୍ ହେଉଥିବା ଆପଣମାନେ ଶୁଣିଥିବେ କିନ୍ତୁ ଏବେ ମଣିଷର ଡିଏନଏ ମଧ୍ୟ ହ୍ୟାକ୍ ହୋଇପାରିବ ।

ଗବେଷକମାନେ ଡିଏନଏ ହ୍ୟାକ୍ କୁ ନେଇ ଏକ ବଡ଼ ଚେତାବନୀ ଦେଇଛନ୍ତି । ଏବେ ମଣିଷ ଡିଏନଏ ବି ସୁରକ୍ଷିତ ନୁହେଁ । କାହିଁକି ନା ଡିଏନଏରେ ଥିବା ଡାଟାକୁ ହାସଲ କରିବା ପାଇଁ ସାଇବର ଅପରାଧୀମାନେ ଆକ୍ଟିଭ ହୋଇପାରନ୍ତି । ଏହି ଡିଏନଏରେ ଥିବା ଡାଟା ସାଇବର ଅପରାଧୀଙ୍କ ପାଇଁ ଡିଜିଟାଲ ଅସ୍ତ୍ର ହେବ ।

ଡିଏନଏ ପରୀକ୍ଷାରେ ବ୍ୟବହାର ହେଉଥିବା ଅତ୍ୟାଧୁନିକ ଟେକନିକ୍ ହେଉଛି ନେକ୍ସଟ୍ ଜେନେରେସନ୍ ସିକ୍ବେନ୍ସିଂ ବା (NGS) । ଏହି ଏନଜିଏସ୍ କ୍ୟାନ୍ସର ରୋଗ ଚିହ୍ନଟ କରିବାରେ, ଅନେକ ରୋଗର ଚିକିତ୍ସା ତଥା କୌଣସି ସଂକ୍ରମଣକୁ ମନିଟରିଂ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । କିନ୍ତୁ ଏବେ ସାଇବର ଅପରାଧୀଙ୍କ ଟାର୍ଗେଟରେ ରହିଛି ମଣିଷଙ୍କ ଡିଏନଏ । ଏବଂ ଏହି NGS ଟେକନିକ୍ ସମ୍ପୂର୍ଣ୍ଣ ମାତ୍ରାରେ ସୁରକ୍ଷିତ ନୁହେଁ ବୋଲି ମତ ପ୍ରକାଶ ପାଇଛି । କାହିଁକି ନା ଏହା ମଣିଷଙ୍କ ବ୍ୟକ୍ତିଗତ ସୂଚନା ଉଲଂଘନ, ଜୈବିକ ଅନୁସନ୍ଧାନ ଏବଂ ଡାଟା ଚୋରି ଭଳି ଗମ୍ଭୀର ସମସ୍ୟାକୁ ଜନ୍ମ ଦେଇପାରେ ।

ସୂଚନା ଅନୁଯାୟୀ IEEE Access ନାମକ ଏକ ପତ୍ରିକାରେ ପ୍ରକାଶିତ ଏକ ଗବେଷଣାରେ କୁହାଯାଇଛି ଯେ ଯଦି NGS ଟେକନିକକୁ ସୁରକ୍ଷିତ ରଖାନଯାଏ, ତେବେ ମଣିଷଙ୍କ ବ୍ୟକ୍ତିଗତ ସୂଚନା ହ୍ୟାକ ହେବାର ସମ୍ଭାବନା ରହିଛି । ଏପରିକି ଅନେକ ଡାଟା ଚୋରି ହେବା ଭଳି ଗମ୍ଭୀର ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ । ପୋର୍ଟସମାଉଥ୍ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟିଂ ବିଭାଗର ଡାକ୍ତର ନସରିନ ଅଞ୍ଜୁମଙ୍କ ନେତୃତ୍ୱରେ ହୋଇଥିବା ଅଧ୍ୟୟନରେ ଏଭଳି ତଥ୍ୟ ପ୍ରକାଶ ପାଇଛି ।

ଗବେଷଣାରୁ ଏହା ମଧ୍ୟ ଜଣାପଡିଛି ଯେ କେବଳ ମୋବାଇଲ କିମ୍ବା ଲାପଟପକୁ ହ୍ୟାକର୍ସମାନେ ଟାର୍ଗେଟ କରୁଛନ୍ତି ତା ନୁହେଁ ଏବେ ମଣିଷଙ୍କ ଡିଏନଏ ବି ବିପଦରେ ରହିଛି । ହ୍ୟାକର୍ସମାନେ ଏବେ ସିନ୍ଥେଟିକ୍ ଡିଏନଏ ବ୍ୟବହାର କରି ମାଲୱେର୍ ସୃଷ୍ଟି କରିପାରିବେ, ଏଆଇ ବ୍ୟବହାର କରି ଡାଟାରେ ହେରଫେର କରିପାରିବେ । ଡିଏନଏକୁ ହ୍ୟାକ୍ କରି ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ସୂଚନାକୁ ମଧ୍ୟ ହାସଲ କରିପାରିବେ । ଏହି ଗବେଷଣା ଏକ ଚେତାବନୀ ସ୍ବରୂପ ସାମ୍ନାକୁ ଆସିଛି । ତେବେ ଗବେଷଣାରେ ପ୍ରକାଶ ପାଇଥିବା ଏହି ତଥ୍ୟ ସାମ୍ନାକୁ ଆସିବା ପରେ ବୈଜ୍ଞାନିକଙ୍କ ମୁଣ୍ଡ ଉପରେ ଯେମତି ଚଡ଼କ ପଡ଼ି ଯାଇଛି । କାହିଁକି ନା ଜାତୀୟ ସୁରକ୍ଷା ପାଇଁ ମଧ୍ୟ ଏହା ବିପଦ ସୃଷ୍ଟି କରିପାରେ ।

Also Read:ଆଇପିଏଲ ଟିମ ଉପରେ ସାଇବର ଆଟାକ୍‌, ଦିଲ୍ଲୀ କ୍ୟାପିଟାଲ୍ସ ପରେ ରାଜସ୍ଥାନ ରୟାଲ୍ସର ଟ୍ଵିଟର ଆକାଉଣ୍ଟ ହ୍ୟାକ୍‌