ସିମ୍ କାର୍ଡ ପାଇଁ ବଦଳିଲା ନିୟମ, ୯ରୁ ଅଧିକ ସିମ୍ ଥିଲେ ଦେବାକୁ ପଡ଼ିବ ଜରିମାନା

ନୂଆ ଟେଲିକମ୍ ଆକ୍ଟ ୨୦୨୩ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହି ନୂଆ ଟେଲିକମ୍ ଆକ୍ଟରେ ସିମ୍ କାର୍ଡ କିଣିବା ଠାରୁ ଆରମ୍ଭ କରି ନକଲି କନେକ୍ସନ ଏବଂ କଲ୍ ଟ୍ୟାପିଂ ଉପରେ କଡା ବ୍ୟବସ୍ଥା କରାଯିବ । ଗତ ବର୍ଷ ଡିସେମ୍ବରରେ କେନ୍ଦ୍ର ସରକାର ଲୋକସଭାରେ ନୂଆ ଟେଲିକମ୍ ବିଲ୍ ଆଗତ କରିଥିଲେ । ଏହି ବିଲ୍ ଆଗତ ହେବା ପରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଛି । ବର୍ତ୍ତମାନ ଏହି ଆଇନର କିଛି ସେକ୍ସନ ଜୁନ୍ ୨୬ରୁ କାର୍ଯ୍ୟକାରୀ ହେବ । ଏହି ନୂଆ ଟେଲିକମ୍ ଆକ୍ଟରେ ୯ ରୁ ଅଧିକ ସିମ୍ କାର୍ଡ କିଣୁଥିବା ଲୋକଙ୍କ ପାଇଁ ସମସ୍ୟା ଆଣିପାରେ ।
ଟେଲିକମ୍ ଆକ୍ଟ ୨୦୨୩ ଲାଗୁ ହେବା ପରେ ୧୫୦ ବର୍ଷ ପୁରୁଣା ଭାରତୀୟ ଟେଲିଗ୍ରାଫ୍ ଆକ୍ଟ ୧୮୮୫ ରଦ୍ଦ ହେବ । ନୂଆ ଟେଲିକମ୍ ଆକ୍ଟ ଏହାକୁ ବଦଳାଇବ । ଏହା ସହିତ ଏହି ନୂଆ ନିୟମ ୧୯୯୩ ର ଓ୍ଵାୟରଲେସ୍ ଟେଲିଗ୍ରାଫି ଆକ୍ଟକୁ ମଧ୍ୟ ରଦ୍ଦ କରିବ । ନକଲି ସିମ୍ କାର୍ଡ ଏବଂ ଜାଲିଆତିକୁ ରୋକିବା ପାଇଁ ସରକାର ନୂଆ ଟେଲିକମ୍ ଆକ୍ଟରେ ଅନେକ ବ୍ୟବସ୍ଥା ଯୋଡିଛନ୍ତି, ଯେଉଁଥିରେ ଜେଲ ଯିବା ଠାରୁ ଆରମ୍ଭ କରି ଜରିମାନା ରହିଛି।
ଯଦି ଗୋଟିଏ ଆଧାର କାର୍ଡରୁ ୯ ରୁ ଅଧିକ ସିମ୍ କାର୍ଡ ଜାରି କରାଯାଇଥାଏ , ତେବେ ତାଙ୍କୁ ପ୍ରଥମ ଭୁଲ ପାଇଁ ୫୦,୦୦୦ ଟଙ୍କା ଏବଂ ଦ୍ୱିତୀୟ ଭୁଲ ପାଇଁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯାଇପାରେ। ଏହା ବ୍ୟତୀତ ଯଦି ସିମ୍ କାର୍ଡ କିଣିବା ପାଇଁ ୟୁଜର୍ ଆଇଡିରେ ଜାଲିଆତି କରାଯାଇଥାଏ, ତେବେ ଜଣଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିବ ଏବଂ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ଉଭୟ ଜେଲ ଏବଂ ଜରିମାନା ଲାଗୁ କରାଯାଇପାରେ । ଏହା ବ୍ୟତୀତ ଟେଲିକମ୍ ଅପରେଟରମାନଙ୍କୁ କେବଳ ବାୟୋମେଟ୍ରିକ୍ ଆଧାରିତ ପରିଚୟ ଯଥା ଆଧାର କାର୍ଡ ମାଧ୍ୟମରେ ଯାଞ୍ଚ କରିବାକୁ ପଡିବ ।