ଲଞ୍ଚ ହେଲା ‘ହ୍ୟୁମାନ୍ ୱାଶିଂ ମେସିନ୍’, ମାତ୍ର ୧୫ ମିନିଟରେ ଶରୀରକୁ କରିଦେବ ସଫା
ଆପଣମାନଙ୍କ ଘରେ ୱାଶିଂ ମେସିନ୍ ତ ନିଶ୍ଚୟ ଥିବ । ୱାଶିଂ ମେସିନ୍ କଥା ଶୁଣିବା ମାତ୍ରେ ମନରେ ଆସେ ଯେଉଁଥିରେ ଆମେ ଲୁଗା ସଫା କରୁ । କିନ୍ତୁ ଏବେ ଜାପାନ ଏଭଳି ଏକ ମେସିନ୍ ଲଞ୍ଚ କରିଛି ଯାହା ମାତ୍ର ୧୫ ମିନିଟ୍ ମଧ୍ୟରେ ମଣିଷକୁ ସଫା କରିଦେବ ଅର୍ଥାତ ଗାଧୋଇଦେବ । କେବଳ ଯେ ଗାଧୋଇଦେବ ତା’ ନୁହେଁ ଏହା ମଣିଷଙ୍କୁ ଡ୍ରାଏ ମଧ୍ୟ କରିବ । ଏହାକୁ ହ୍ୟୁମାନ୍ ୱାଶିଂ ମେସିନ୍ କୁହାଯାଉଛି ।
ଏ କଥା ଶୁଣିବାକୁ ଆପଣଙ୍କୁ ଟିକେ ଅଡୁଆ ଲାଗୁଥାଇପାରେ କିନ୍ତୁ ଏହା ସମ୍ପୂର୍ଣ୍ଣ ସତ । ଟେକ୍ନୋଲୋଜି କ୍ଷେତ୍ରରେ ବିଶ୍ୱର ସବୁଠାରୁ ଉନ୍ନତ ଦେଶ ଭାବେ ବିବେଚିତ ହେଉଥିବା ଜାପାନ ପୁଣିଥରେ ଏକ ନୂତନ ସଫଳତା ହାସଲ କରିଛି । ତେବେ ଆସନ୍ତୁ ଜାଣିବା ଏହି ହ୍ୟୁମାନ୍ ୱାଶିଂ ମେସିନ୍ ବିଷୟରେ ଏବଂ ଏହା କିପରି କାମ କରେ । ଜାପାନରେ ଏକ ୱାଶିଂ ମେସିନ୍ ବିକଶିତ ହୋଇଛି ଯାହା ୧୫ ରୁ ୨୦ ମିନିଟ୍ ମଧ୍ୟରେ ଜଣେ ବ୍ୟକ୍ତିଙ୍କୁ ଗାଧୋଇଦେବ ଏବଂ ଡ୍ରାଏ ମଧ୍ୟ କରିବ ।
ଜାପାନୀ ଇଞ୍ଜିନିୟର୍ସମାନେ ଏକ ନୂଆ ଏବଂ ଅନନ୍ୟ ହ୍ୟୁମାନ୍ ୱାଶିଂ ମେସିନ୍ ତିଆରି କରିଛନ୍ତି । ଏହି ମେସିନର ନାମ ହେଉଛି ‘Mirai Ningen Sentakuk’ । ଏହି ମେସିନ୍ ପ୍ରଥମେ ଲୋକଙ୍କ ଶରୀରକୁ AI ସାହାଯ୍ୟରେ ବିଶ୍ଳେଷଣ କରିବ ଏବଂ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଶରୀରକୁ ସଫା କରିବ ଅର୍ଥାତ ଗାଧୋଇଦେବ । ଏହି ଯନ୍ତ୍ରଟି ଓସାକା ଭିତ୍ତିକ ସାୱାରହେଡ୍ କମ୍ପାନୀ ସାଇନ୍ସ ଦ୍ୱାରା ଉଦ୍ଭାବନ କରାଯାଇଥିଲା ।
କମ୍ପାନୀ ଦାବି କରିଛି ଯେ ଏହି ୱାଶିଂ ମେସିନରେ ଜଣେ ବ୍ୟକ୍ତିଙ୍କୁ ମାତ୍ର ୧୫ ମିନିଟରେ ସଂପୂର୍ଣ୍ଣ ସଫା କରିବାର କ୍ଷମତା ଅଛି । ଖୁବ୍ ଶୀଘ୍ର ଏହି ମେସିନ୍ ଓସାକା କାନସାଇ ଏକ୍ସପୋରେ ପ୍ରଦର୍ଶିତ ମଧ୍ୟ ହେବ । ସୂଚନା ଅନୁଯାୟୀ, ଏକ୍ସପୋରେ ହଜାର ହଜାର ଲୋକ ଏହି ମେସିନ୍ ବ୍ୟବହାର କରିବେ । ଏହି ମେସିନ୍ ଆସନ୍ତା ବର୍ଷ ଅର୍ଥାତ ୨୦୨୫ ରେ ସର୍ବସାଧାରଣଙ୍କ ପାଇଁ ଲଞ୍ଚ ହେବାକୁ ଯାଉଛି ।
କିପରି କାମ କରିବ ଏହି ମେସିନ୍?
ବର୍ତ୍ତମାନ ଏହି ମେସିନ୍ କିପରି କାମ କରିବ ତାହା ବୁଝିବା ମଧ୍ୟ ଜରୁରୀ । ବାସ୍ତବରେ, ବ୍ୟକ୍ତିଙ୍କୁ ପ୍ରଥମେ ମେସିନରେ ନିର୍ମିତ ପୋର୍ଡରେ ବସିବାକୁ ପଡିବ, ଯାହା ପରେ ପୋର୍ଡକୁ ଅଧା ଗରମ ପାଣିରେ ଭରି ଦିଆଯିବ । ଏହା ପରେ, ଜଳର ଜେଟରୁ ଛୋଟ ଏୟାର୍ ବବଲ୍ସ୍ ଗଠନ ଆରମ୍ଭ ହେବ । ଏହା ପରେ, ଏହି ବବଲ୍ସ୍ ଚର୍ମରେ ଥିବା ମଇଳାକୁ ସଫା କରିବ । ଏଥି ସହିତ, ମେସିନ୍ ଶରୀରର ସମସ୍ତ ସୂଚନା ସଂଗ୍ରହ ମଧ୍ୟ ଜାରି ରଖିବ ।
ଏହି ମେସିନ୍ ଏହା ମଧ୍ୟ ନିଶ୍ଚିତ କରିବ ଯେ ମଣିଷ ଶରୀର ଅନୁଯାୟୀ ତାହାକୁ ଉପଯୁକ୍ତ ତାପମାତ୍ରାରେ ଗାଧୋଇବ ଏବଂ ସଫା କରିବ । ଇଞ୍ଜିନିୟର୍ସମାନଙ୍କ ଅନୁଯାୟୀ, ଏହି ମେସିନ୍ କେବଳ ମଣିଷ ଚର୍ମରୁ ମଇଳା ବାହାର କରିବ ନାହିଁ ବରଂ ଲୋକଙ୍କ ମନକୁ ମଧ୍ୟ ଆରାମ ପ୍ରଦାନ କରିବ ।