ପିଲାଙ୍କ ପାଇଁ UIDAIର ନୂଆ ସୁବିଧା, ଏବେ ଘରେ ବସି ତିଆରି କରିପାରିବେ ବାଲ୍ ଆଧାର କାର୍ଡ

ଆଧାର କାର୍ଡ ଆଜିକାଲି ମଣିଷର ସବୁଠୁ ବଡ ପରିଚୟପତ୍ର ପାଲଟିଛି । ଏହା ବିନା କୌଣସି କାମ କରିବା ବି ସମ୍ଭବ ନୁହେଁ । ତେବେ କେବଳ ବଡ଼ ଲୋକଙ୍କ ପାଇଁ ନୁହେଁ ଛୋଟପିଲାଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ବ୍ଲୁ ଆଧାର କାର୍ଡ ରହିଛି । ଯାହାକୁ ପାଇବା ଏବେ ଆହୁରି ସହଜ ହୋଇଛି । ଏବେ ବାପା ମାଆ ଘରେ ବସି ତିଆରି କରାଯାଇପାରିବ ବାଲ୍ ଆଧାର କାର୍ଡ । ଭାରତରେ ପିଲାମାନଙ୍କ ପାଇଁ ଆଧାର କାର୍ଡ ପାଇବା ଏବେ ପୂର୍ବ ଅପେକ୍ଷା ସହଜ ହୋଇଯାଇଛି ।

UIDAI ବ୍ଲୁ ରଙ୍ଗର ବାଲ୍ ଆଧାର କାର୍ଡର ସୁବିଧା ଆରମ୍ଭ କରିଛି । ପିତାମାତାଙ୍କୁ ବାଲ୍ ଆଧାର କାର୍ଡ ପାଇବା ପାଇଁ ଛୋଟ ପିଲାମାନଙ୍କୁ ଆଧାର କେନ୍ଦ୍ରକୁ ନେବାର କଷ୍ଟ କରିବାକୁ ପଡ଼ିବ ନାହିଁ । ଏବେ ଅଧିକାରୀମାନେ ଘରକୁ ଆସି ପିଲାର ଆଧାର କାର୍ଡ ତିଆରି କରିବେ । ଯାହା ଦ୍ୱାରା ପିଲାମାନଙ୍କ ପରିଚୟ ଏବଂ ସରକାରୀ ସୁବିଧା ପାଇବା ବହୁତ ସହଜ ହେବ ।

ବ୍ଲୁ ଆଧାର କାର୍ଡ ପାଇଁ ସର୍ବନିମ୍ନ ବୟସର କୌଣସି ଆବଶ୍ୟକତା ନାହିଁ । ନବଜାତ ଶିଶୁ ପାଇଁ ମଧ୍ୟ ଏହି ବାଲ୍ ଆଧାର କାର୍ଡ ସହଜରେ ତିଆରି କରାଯାଇପାରିବ । ତେବେ ଜାଣିରଖନ୍ତୁ, ୫ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ବାୟୋମେଟ୍ରିକ୍ସ ନିଆଯାଏ ନାହିଁ, କେବଳ ପିଲାର ଫଟୋ ନିଆଯାଏ । ଆଉ ଏହାକୁ ପିତାମାତାଙ୍କ ଆଧାର କାର୍ଡ ସହିତ ଲିଙ୍କ୍ କରାଯାଏ ।

କେମିତି ଆବେଦନ କରିବେ ବ୍ଲୁ ଆଧାର କାର୍ଡ?

ପିଲାମାନଙ୍କ ବ୍ଲୁ ଆଧାର କାର୍ଡ ପାଇବା ପାଇଁ, ପିତାମାତା UIDAIର ଅଫିସିଆଲ୍ ୱେବସାଇଟ୍ ଭିଜିଟ କରି ଏକ ଆପଏଣ୍ଟମେଣ୍ଟ ବୁକ୍ କରିପାରିବେ । ଆପଣଙ୍କୁ “My Aadhaar” ସେକ୍ସନକୁ ଯାଇ ସହର ଏବଂ ସେବା କେନ୍ଦ୍ର ଚୟନ କରିବାକୁ ପଡିବ । ଏହାପରେ, ମୋବାଇଲ୍ ନମ୍ବର ପ୍ରବେଶ କରିବା ପରେ, OTP ମାଧ୍ୟମରେ ଭ୍ୟାରିଫିକେସନ କରାଯାଏ ।

ଯାହାପରେ ଆପଏଣ୍ଟମେଣ୍ଟ ନିଶ୍ଚିତ କରାଯାଏ । ପିଲାର ଆଧାର କାର୍ଡ ପାଇବା ପାଇଁ ଜନ୍ମ ପ୍ରମାଣପତ୍ର ଏବଂ ମାଆ କିମ୍ବା ବାପାଙ୍କ ଆଧାର କାର୍ଡ ବାଧ୍ୟତାମୂଳକ । କେନ୍ଦ୍ରରେ ପିତାମାତାଙ୍କ ବାୟୋମେଟ୍ରିକ୍ ଅଥେଣ୍ଟିକେସନ କରାଯାଏ ଏବଂ ପିଲାର ଫଟୋ ଉଠାଯାଏ । ଆଧାର ଏନରୋଲମେଣ୍ଟ ପରେ, ବ୍ଲୁ ଆଧାର କାର୍ଡ ପ୍ରାୟ ୬୦ ରୁ ୯୦ ଦିନ ମଧ୍ୟରେ ଆପଣଙ୍କ ଘରେ ପହଞ୍ଚିଯିବ ।

ଏହା ମଧ୍ୟ ଜାଣିରଖନ୍ତୁ ଯେ, ପିଲାଟି ୫ ବର୍ଷ ଏବଂ ୧୫ ବର୍ଷ ବୟସରେ ପହଞ୍ଚିବା ପରେ ବାୟୋମେଟ୍ରିକ୍ସ ଅପଡେଟ୍ କରିବା ଆବଶ୍ୟକ ହୋଇଥାଏ । ଏହା କରିବା ଦ୍ୱାରା, ଭବିଷ୍ୟତରେ ମଧ୍ୟ କାର୍ଡ ଭାଲିଡ୍ ରହିବ ଏବଂ କୌଣସି ସରକାରୀ ଯୋଜନା କିମ୍ବା ସୁବିଧାର ଲାଭ ପାଇବାରେ କୌଣସି ଅସୁବିଧା ହେବ ନାହିଁ । ଯଦି ଆଧାର ସମୟ ମଧ୍ୟରେ ଅପଡେଟ୍ ନହୁଏ ତେବେ ଏହା ଡିଆକ୍ଟିଭେଟ୍ ମଧ୍ୟ ହୋଇପାରେ । ତେବେ ଏଥିପାଇଁ ଆପଣଙ୍କୁ କୌଣସି ଦେୟ ମଧ୍ୟ ଦେବାକୁ ପଡ଼ିବ ନାହିଁ ।

Also read: ଇ-ଆଧାରରେ ବଡ଼ ପରିବର୍ତ୍ତନ! ଏବେ ଘରେ ବସି କରିପାରିବେ ଆଧାର କାର୍ଡ ଅପଡେଟ୍