ଏବେ ମଶାଙ୍କ ଗୁଣୁଗୁଣୁ ଶବ୍ଦକୁ ବ୍ୟବହାର କରି ମରାଯିବ ମଶା, ବୈଜ୍ଞାନିକଙ୍କ ନୂଆ ଉଦ୍ଭାବନ

ମ୍ୟାଲେରିଆ, ଡେଙ୍ଗୁ ଭଳି ମାରାତ୍ମକ ରୋଗର ବାହକ ମଶା ଏବେ ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି। ଖାସ୍‌ କରି ଆଫ୍ରିକୀୟ ଦେଶରେ ମଶାଙ୍କ କାରଣରୁ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି। ୨୦୧୭ ମସିହାରେ ୨୦ କୋଟି ଲୋକ ମ୍ୟାଲେରିଆରେ ପୀଡ଼ିତ ହୋଇଥିବା ବେଳେ ସେଥିରୁ ୫ ଲକ୍ଷଙ୍କ ମୃତ୍ୟୁ ଘଟିଥିଲା। ଏଣୁ ମଶା ବଂଶକୁ ସମୂଳେ ନାଶ କରିବା ପାଇଁ ସବୁସ୍ତରରେ ଉଦ୍ୟମ କରାଯାଉଛି। ଖାସ୍‌ କରି ବର୍ଷାଦିନେ ଦୃତଗତିରେ ମଶାଙ୍କ ବଂଶ ବୃଦ୍ଧି ପାଉଥିବାରୁ ଘର ପାଖ ସ୍ଥାନ ପରିଷ୍କାର ରଖିବା ପାଇଁ ସଚେତନ କରାଯାଏ। ତେବେ ମଶାଙ୍କୁ ଘଉଡ଼ାଇବା ପାଇଁ ଭିନ୍ନ ଭିନ୍ନ ପନ୍ଥା ଆପଣାଯାଉଥିବା ବେଳେ ମଶାଙ୍କୁ କିନ୍ତୁ ସମ୍ପୂର୍ଣ୍ଣ ଲୋପ କରିବା ସମ୍ଭବ ହୋଇପାରୁନାହିଁ।

ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ବୈଜ୍ଞାନିକମାନେ ଏବେ ନୂତନ ପଦ୍ଧତିରେ ମଶା ଘଉଡ଼ାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ମଶାଙ୍କ ସ୍ୱର ମାଧ୍ୟମରେ ସେମାନଙ୍କୁ ଘଉଡ଼ାଇବାକୁ ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି।

ଏହାସହ ପଢ଼ନ୍ତୁ: ଏବେ ଫେସ୍‌ବୁକ୍‌ ସମସ୍ତଙ୍କ ପାଇଁ ଜାରି କଲା ଫେସ୍‌ ରେକଗ୍ନିସନ୍‌, କିନ୍ତୁ ହଟାଇଲା ଏହି ଫିଚର

ବୈଜ୍ଞାନିକଙ୍କ ସୂଚନାନୁଯାୟୀ, ମଶାମାନେ ଏକ ଖାସ୍‌ ଶବ୍ଦ ମାଧ୍ୟମରେ ପରସ୍ପର ସହ ଭାବର ଆଦାନପ୍ରଦାନ କରିଥାନ୍ତି। ଏହାକୁ ମାଧ୍ୟମ କରି ସେମାନେ ମଶାଙ୍କୁ ଘଉଡ଼ାଇବାକୁ ଚେଷ୍ଟା ଆରମ୍ଭ ହୋଇଛି। ସ୍ତ୍ରୀ ମଶା ପୁରୁଷ ମଶାଙ୍କୁ ଆକର୍ଷିତ କରିବା ପାଇଁ ଏକ ସ୍ୱତନ୍ତ୍ର ସ୍ୱର ବ୍ୟବହାର କରିଥାନ୍ତି। ସେହି ସ୍ୱର ଶୁଣି ପୁରୁଷ ମଶା ମାନେ ଆକର୍ଷିତ ହୋଇ ଆସିଥାନ୍ତି। ପ୍ରଜନନ କରିବା ପାଇଁ ମଶା ମାନେ ଏଭଳି ଉପାୟ ଆପଣାଇଥାନ୍ତି। ବୈଜ୍ଞାନିକମାନେ ମଶାଙ୍କ ଏହି ସ୍ୱରକୁ ଅସ୍ତ୍ର କରି ସେମାନଙ୍କୁ ତଡ଼ିବାକୁ ଯୋଜନା କରିଛନ୍ତି।

ଲଣ୍ଡନ ବିଶ୍ୱବିଦ୍ୟାଳୟର ପ୍ରଫେସର ଜର୍ଜ ଆଲବର୍ଟଙ୍କ କହିବାନୁସାରେ, ଏହା ଏକ ଖାସ୍‌ ଧ୍ୱନି। ଏହାକୁ ଆମେ ନୂଆ ଡିଭାଇସ୍‌ରେ ବ୍ୟବହାର କରି ମଶାଙ୍କୁ ଆକର୍ଷିତ କରିପାରିବା। ମଶାଙ୍କୁ ଏହି ଶବ୍ଦ ଶୁଣାଇ ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରକୁ ନିଆଯିବ। ପରେ ସେମାନଙ୍କୁ ସମୂଳେ ନାଶ କରିବାରେ ଏହି ଡିଭାଇସ୍‌ ସାହାଯ୍ୟ କରିବ। ସୂଚନାଯୋଗ୍ୟ ଯେ, ମଶାଙ୍କ ଗୁଣୁ ଗୁଣୁ ଶବ୍ଦ ସେମାନଙ୍କ ଡେଣାରୁ ବାହାରିଥାଏ। ସ୍ତ୍ରୀ ମଶା ଅପେକ୍ଷା ପୁରୁଷ ମଶାର ଶବ୍ଦ ତୀବ୍ର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.