ଥରେ କଳ୍ପନା କରନ୍ତୁ… ବାହାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆପଣ ନିଜ ଘରର ଏସି ୧୮ ଡିଗ୍ରୀ ସେଲସିୟସ୍ କରି ଏକଦମ୍ ଥଣ୍ଡା ରୁମରେ ଶାନ୍ତିରେ ଶୋଇବାକୁ ଯାଉଛନ୍ତି । କିନ୍ତୁ ଏହି ସମୟରେ ଆପଣଙ୍କୁ ଏକ ନୋଟିଫିକେସନ ଆସିବ । ଯାହା ଆପଣଙ୍କୁ ଜଣାଇବ ଯେ ଏସି ୨୦ ଡିଗ୍ରୀ ସେଲସିୟସ୍ ତଳକୁ ଚଲାଇହେବନି । ଏକଥା ଶୁଣି ଆପଣ ଭାବୁଥିବେ ଆମେ ଆପଣଙ୍କୁ କୌଣସି ଗପ ଶୁଣାଉଛୁ । କିନ୍ତୁ ଏହା ଖୁବ୍ ଶୀଘ୍ର ଆପଣଙ୍କ ଜୀବନରେ ଘଟିବାକୁ ଯାଉଛି ।
ଦେଶରେ ବଢ଼ୁଥିବା ଗରମକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ଏବେ ଆପଣଙ୍କ ଏସିର ତାପମାତ୍ରା ନିୟନ୍ତ୍ରଣ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ନୂତନ ନିୟମରେ କୁହାଯାଇଛି ଯେ ଆପଣ ୨୦ ଡିଗ୍ରୀ ସେଲସିୟସ୍ ତଳେ କିମ୍ବା ୨୮ ଡିଗ୍ରୀ ଉପରେ ଏସି ଚଲାଇ ପାରିବେ ନାହିଁ । ସରକାରଙ୍କ ଏହି ନିଷ୍ପତ୍ତି ଘର, ଅଫିସ କିମ୍ବା ଗାଡ଼ି ସବୁଠି ପ୍ରଯୁଜ୍ୟ ହେବ । ଏହି ନିୟମ ଘୋଷଣା କରି କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ଯେ ଏହି ପଦକ୍ଷେପ ଶକ୍ତି ସଂରକ୍ଷଣ ଏବଂ ପରିବେଶ ସୁରକ୍ଷା ଦିଗରେ ଏକ ବଡ଼ ପ୍ରୟାସ ।
ଏପର୍ଯ୍ୟନ୍ତ ଆପଣ ନିଶ୍ଚିତ ଭାବରେ ଆପଣଙ୍କର ଏସିକୁ ନିଜ ଇଚ୍ଛା ଅନୁଯାୟୀ ଚଲାଇଥିବେ । ଖରାଦିନେ କେତେବେଳେ ୧୬°C ତାପମାତ୍ରାରେ ପୁରା ଥଣ୍ଡା ତ ଶୀତଦିନେ ୩୦°C ତାପମାତ୍ରାରେ ଗରମ ପବନ । କିନ୍ତୁ ଏବେ ଏହି ଅଭ୍ୟାସଗୁଡ଼ିକୁ ବଦଳାଇବାର ସମୟ ଆସିଛି । କାରଣ ଏବେ ସରକାର ଆପଣଙ୍କ ଏସି ତାପମାତ୍ରା ଉପରେ ନିୟନ୍ତ୍ରଣ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଖୁବ୍ ଶୀଘ୍ର ଏକ ଆଇନ ଆସିବାକୁ ଯାଉଛି ଯାହା ଅନୁଯାୟୀ AC ୨୦°C ତଳେ ଏବଂ ୨୮°C ଉପରେ ଚାଲିପାରିବ ନାହିଁ ।
ଏହି ନୂଆ ନିୟମ କାହିଁକି ଆସିଲା?
ଏହି ନିଷ୍ପତ୍ତି ପଛରେ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ବିଦ୍ୟୁତ ଅପଚୟକୁ ରୋକିବା ଏବଂ ପରିବେଶ ସନ୍ତୁଳନ ବଜାୟ ରଖିବା । କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ଯେ ଏସି ଯେତେ ଥଣ୍ଡା ଚାଲିବ, ସେତେ ଅଧିକ ବିଦ୍ୟୁତ ବ୍ୟବହାର ହେବ । ଏହା ଦେଶର ଶକ୍ତି ନୀତି ଏବଂ ପରିବେଶ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ତେବେ ଏହି ନିୟମ କେବଳ ଭାରତରେ ଆସିବ ବୋଲି ଭାବି ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ ।
ମନ୍ତ୍ରୀ ଖଟ୍ଟର ଜାପାନର ଉଦାହରଣ ଦେଇ କହିଥିଲେ ଯେ ସେଠାରେ ୨୬°C ରୁ କମ ତାପମାତ୍ରାରେ ଏସି ଚଲାଯାଇପାରିବ ନାହିଁ । ସେହିଭଳି ଇଟାଲୀରେ ମଧ୍ୟ ସମାନ ବ୍ୟବସ୍ଥା ଅଛି, ଯେଉଁଠାରେ ଏସିର ତାପମାତ୍ରା ସୀମା ୨୩°C ସ୍ଥିର କରାଯାଇଛି । ବିଶ୍ୱର ଅନେକ ବିକଶିତ ଦେଶ ଦୀର୍ଘ ଦିନ ପୂର୍ବରୁ ଏହି ବ୍ୟବସ୍ଥା ଅନୁସରଣ କରୁଛନ୍ତି । ଯାହା ଏବେ ଆମ ଦେଶରେ ମଧ୍ୟ ଲାଗୁ ହେବାକୁ ଯାଉଛି ।
AC ରେ କ’ଣ ପରିବର୍ତ୍ତନ ହେବ?
ବର୍ତ୍ତମାନ ବଜାରରେ ଥିବା ଅନେକ ବ୍ରାଣ୍ଡର ଏସି ୧୬°C ପର୍ଯ୍ୟନ୍ତ ଶୀତଳତା ପ୍ରଦାନ କରନ୍ତି । କିନ୍ତୁ ନୂତନ ନିୟମ କାର୍ଯ୍ୟକାରୀ ହେବା ପରେ, କମ୍ପାନୀଗୁଡ଼ିକୁ ଏହି ମାନଦଣ୍ଡ ଅନୁଯାୟୀ ସେମାନଙ୍କର ନୂତନ ମଡେଲଗୁଡ଼ିକୁ ଡିଜାଇନ୍ କରିବାକୁ ପଡିବ । ଏହାର ଅର୍ଥ ହେଉଛି ଯେ ଏବେ କୌଣସି ନୂତନ ଏସି ୨୦°C ତଳେ ଥଣ୍ଡା ହେବ ନାହିଁ ଏବଂ ୨୮°C ଉପରେ ଗରମ ହେବ ନାହିଁ । ତେବେ କହିବାକୁ ଚାହିଁବୁ ଏହି ନିୟମ ଲୋକଙ୍କ ପାଇଁ ନୂଆ ହେଇ ଥାଇପାରେ ଏବଂ ଏହା ସହ ଅନେକଙ୍କୁ ଅସୁବିଧା ମଧୁ ହୋଇପାରେ । କିନ୍ତୁ ଏହି ନିୟମ ଆମ ପରିବେଶ ପାଇଁ ଅତ୍ୟନ୍ତ ଲଭଦାୟୀ ହେବ ନିଶ୍ଚୟ ।
Also read: ରେଳ ଯାତ୍ରୀଙ୍କ ପାଇଁ ଖୁସିଖବର, ଏବେ ଯାତ୍ରା ଆରମ୍ଭ ହେବାର ୨୪ ଘଣ୍ଟା ପୂର୍ବରୁ ସିଟ୍ କନଫର୍ମେଶନ୍ ଅପଡେଟ୍