ଆଜିକାଲିର ଡିଜିଟାଲ୍ ଯୁଗରେ, ପିଲାମାନଙ୍କ ପାଇଁ ନିରାପଦ ଏବଂ ସୁରକ୍ଷିତ ସ୍ମାର୍ଟଫୋନର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯାହାକୁ ଦୃଷ୍ଟିରେ ରଖି ଲଞ୍ଚ ହୋଇଛି ବିଶ୍ୱର ପ୍ରଥମ ଆଣ୍ଟି-ନ୍ୟୁଡ କଣ୍ଟେଣ୍ଟ ସ୍ମାର୍ଟଫୋନ । ଫିନ୍ଲାଣ୍ଡର ଟେକ୍ କମ୍ପାନୀ ଏଚଏମ୍ଡି ଗ୍ଲୋବାଲ ନେଇଆସିଛି ଏହି ଫୋନ୍ । ତେବେ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଆଦିକୁ ବନ୍ଦ କରୁଥିବା ଏହା ବିଶ୍ୱର ପ୍ରଥମ ଫୋନ୍ ବୋଲି ଦାବି କରିଛି କମ୍ପାନୀ । ଆଜିର ସମାଜରେ ଛୋଟ ଛୁଆଙ୍କ ମଧ୍ୟରେ ଅଶ୍ଳୀଳତା ବୃଦ୍ଧି ପାଉଥିବାବେଳେ ଏହି ଫୋନ୍ ସେମାନଙ୍କୁ ଦୂରେଇ ରଖିବ ।
ଯାହାଦ୍ୱାରା ଅଭିଭାବକଙ୍କ ଚିନ୍ତା ମଧ୍ୟ ଦୂର କରିବାରେ ବେଶ୍ ସହାୟକ ହେବ ଏହି ସ୍ମାର୍ଟଫୋନ୍ । HMD Fuse ନାମକ ଏକ ସ୍ମାର୍ଟଫୋନ୍ ଲଞ୍ଚ କରିଛି ଯାହା ବିଶେଷକରି ପିଲାମାନଙ୍କ ସୁରକ୍ଷାକୁ ଧ୍ୟାନରେ ରଖ୍ ଲଞ୍ଚ କରାଯାଇଛି । HMD Fuse ଫୋନଟି HarmBlock+ ନାମକ Al ଟେକ୍ନୋଲୋଜି ସହ ସଜ୍ଜିତ । ଯାହା ପିଲାମାନଙ୍କୁ କ୍ୟାମେରା, ଆପ୍ସ କିମ୍ବା ଲାଇଭ୍ ଷ୍ଟ୍ରିମରେ ଅଶ୍ଳୀଳ ବିଷୟବସ୍ତୁ ଦେଖିବା, ସେୟାର କରିବା କିମ୍ବା ରେକର୍ଡ କରିବାରୁ ବାରଣ କରେ । ତାହା ମଧ୍ୟ ରିୟଲ୍ ଟାଇମ୍ ଏବଂ ଡିଭାଇସରେ ବାହାର ସର୍ଭର ଉପରେ ନିର୍ଭର ନକରି ।
HMD Fuse ଫୋନର ସବୁଠାରୁ ବଡ଼ ବିଶେଷତ୍ବ ହେଉଛି ଏହାର ସୁରକ୍ଷା ବ୍ୟବସ୍ଥା । ଏହାର ଅର୍ଥ ହେଉଛି ପିଲାମାନେ ଏହି ମୋବାଇଲ୍ ସହିତ ସମ୍ପୂର୍ଣ୍ଣ ସୁରକ୍ଷିତ । HMD ଏହା ନିଶ୍ଚିତ କରେ ଯେ ପିଲାଙ୍କ ଡିଜିଟାଲ୍ ସୁରକ୍ଷା ପାଇଁ ଏକ୍ସଟ୍ରା ଆପ୍ ଇନଷ୍ଟଲ୍ କରିବାକୁ କିମ୍ବା ସେଟିଂସ୍ ପରିବର୍ତ୍ତନ କରିବାକୁ ପଡିବ ନାହିଁ; କାରଣ ଫୋନ୍ ନିଜେ ଏହି କାମ କରେ । ତେବେ ଆସନ୍ତୁ ଜାଣିବା HMD Fuse ରେ ଆଉ କ’ଣ ବିଶେଷ ଫିଚର୍ସ ଅଛି ।
HMD Fuse ସ୍ପେଶାଲ ଫିଚର୍ସ:
HMD Fuse ସ୍ମାର୍ଟଫୋନ୍ ବିଲ୍ଟ-ଇନ୍ HarmBlock+ Al ସୁରକ୍ଷା ସହ ସଜ୍ଜିତ । ଯାହା ଅଶ୍ଳୀଳ ବିଷୟବସ୍ତୁକୁ ଅବରୋଧ କରିଥାଏ । ଫ୍ୟୁଜ୍ ପ୍ରାରମ୍ଭରେ କେବଳ କଲ୍, SMS ଏବଂ ଲୋକେସନ୍ ଟ୍ରାକିଂ ଫିଚର୍ସ ସହିତ ଏକ ବେସିକ୍ “ବ୍ରିକ୍ ଫୋନ୍” ଭାବରେ କାମ କରେ । ପିଲାମାନେ ବଡ଼ ହେବା ସହିତ, ବାପା ମା’ ମାନେ ଧୀରେ ଧୀରେ ଇଣ୍ଟରନେଟ୍ ଆକ୍ସେସ୍, ମେସେଜିଂ ଇତ୍ୟାଦି ଏକ୍ସଟ୍ରା ଫିଚର୍ସଗୁଡିକୁ ଅନଲକ୍ କରିପାରିବେ । ଫୋନରେ ସ୍କ୍ରିନ୍ ସମୟ ସୀମିତ କରିବା ଏବଂ ପିଲାମାନେ ଘର ବାହାରେ ଥିବା ସମୟରେ ରିୟଲ୍ ଟାଇମ୍ ଆଲର୍ଟ ଭଳି ପ୍ୟାରେଣ୍ଟ କଣ୍ଟ୍ରୋଲ ଫିଚର୍ସ ରହିଛି ।
HMD Fuse ସ୍ପେସିଫିକେସନ୍:
HMD Fuse ସ୍ମାର୍ଟଫୋନକୁ ମିଡ୍ ରେଞ୍ଜ ସେଗମେଣ୍ଟରେ ଦମଦାର ସ୍ପେସିଫିକେସନ୍ ସହିତ ଲଞ୍ଚ କରାଯାଇଛି । ଏଥିରେ ୬.୫୬ ଇଞ୍ଚ HD + LCD ଡିସପ୍ଲେ ଅଛି ଯାହା ୯୦Hz ରିଫ୍ରେସ୍ ରେଟ୍ ଏବଂ ୬୦୦ nits ପିକ୍ ବ୍ରାଇଟନେସ୍ ସପୋର୍ଟ କରେ । ପ୍ରୋସେସିଂ ପାଇଁ, ଫୋନରେ Snapdragon 4 Gen 2 ଅକ୍ଟା-କୋର୍ ଚିପସେଟ୍ ଅଛି । ଏହି ଫୋନରେ ୬GB LPDDR4x RAM ଏବଂ ୧୨୮GB UFS 2.2 ଷ୍ଟୋରେଜ୍ ଅଛି । ଯାହାକୁ microSD କାର୍ଡ ମାଧ୍ୟମରେ ୧TB ପର୍ଯ୍ୟନ୍ତ ଏକ୍ସପାଣ୍ଡ କରାଯାଇପାରିବ ।
କ୍ୟାମେରା ସେଟଅପ୍ ବିଷୟରେ କହିବାକୁ ଗଲେ, ଏଥିରେ EIS ସପୋର୍ଟ ସହିତ ୧୦୮MP ପ୍ରାଇମେରୀ କ୍ୟାମେରା ଏବଂ ୨MP ପୋଟ୍ରେଟ୍ କ୍ୟାମେରା ରହିଛି । ଯେତେବେଳେ କି ସେଲଫି ଏବଂ ଭିଡିଓ କଲିଂ ପାଇଁ ୫୦MP ଫ୍ରଣ୍ଟ କ୍ୟାମେରା ରହିଛି । ଫୋନଟି Android 15 ରେ ଚାଲିଥାଏ ଏବଂ ଏଥିରେ ଏକ ସାଇଡ୍-ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସର ଅଛି । HMD Fuse କୁ IP54 ରେଟିଂ ସହ ଧୂଳି ଏବଂ ପାଣିରୁ ମଧ୍ୟ ସୁରକ୍ଷା ମିଳିଥାଏ । ପାୱାର ପାଇଁ, ଏଥିରେ ୫୦୦୦mAh ବ୍ୟାଟେରୀ ଅଛି । ଯାହା ୩୩W ଫାଷ୍ଟ ଚାଜିଂକୁ ସପୋର୍ଟ କରେ ।
Also read: ୨୦୩୦ ସୁଦ୍ଧା ସ୍ମାର୍ଟଫୋନ୍ ଯୁଗର ଘଟିବ ଅନ୍ତ! ଆସିବ ଇଲେକ୍ଟ୍ରୋନିକ୍ ଟାଟୁ