୨୦ ବର୍ଷ ପରେ ପୁଣିଥରେ ଧମାଲ କରିବାକୁ ଆସୁଛି Nokiaର ମଜଭୁତ ବ୍ୟାଟେରୀ ଥିବା ଫୋନ୍‌, ଫିଚର୍ସ ଜାଣିଲେ ଆପଣ ବି ଖୁସି ହୋଇଯିବେ

ନୋକିଆ ନିଜର ଏକ କ୍ଲାସିକ୍‌ ଫୋନ୍‌ 6310(Nokia 6310)କୁ ପୁଣିଥରେ ବଜାରକୁ ଆଣୁଛି। ୨୦ ବର୍ଷ ପୂର୍ବେ ଏହି ଫୋନ୍‌ ବେଶ୍‌ ଲୋକପ୍ରିୟ ଥିଲା। ଏବେ ଏହା ପୁଣିଥରେ ଧମାଲ ମଚାଇବାକୁ ପ୍ରସ୍ତୁତ ହେଉଛି। ନିଜର ମଜଭୁତ ବିଲ୍ଡ ଏବଂ ଦୀର୍ଘସ୍ଥାୟୀ ବ୍ୟାଟେରୀ ପାଇଁ ଜଣାଯାଉଥିବା ଏହି ଫିଚର ଫୋନକୁ ପ୍ରଥମ ଥର ମାର୍ଚ୍ଚ ୨୦୦୧ରେ ଲଞ୍ଚ୍‌ କରାଯାଇଥିଲା। ଅର୍ଥାତ୍‌ ଏହାର ପ୍ରଥମ ଲଞ୍ଚ୍‌ ୨୦ ବର୍ଷ ପୂର୍ବେ ହିଁ ହୋଇଥିଲା। ଆସନ୍ତୁ ଜାଣିବା ନୂଆ Nokia 6310ର ଦାମ୍‌ ଓ ଫିଚର୍ସ।

ନୋକିଆ ଅନୁସାରେ, ଚଳିତବର୍ଷ ପୁଣିଥରେ ଏହାର ଲଞ୍ଚ୍‌ ସ୍ୱେଚ୍ଛାକୃତ ଭାବରେ ୨୦ତମ ବାର୍ଷିକୀ ପାଳନ ପରିପ୍ରେକ୍ଷୀରେ କରାଯିବ। କାହିଁକିନା, ୨୦ ବର୍ଷ ତଳେ ଠିକ୍‌ ଏହି ସମୟରେ ଏହା ପ୍ରଥମ ଥର ଲଞ୍ଚ୍‌ ହୋଇଥିଲା। ନୂଆ ମଡେଲରେ ମୂଳ ମଡେଲର ୧.୮ ଇଞ୍ଚ୍‌ ସ୍କ୍ରୀନ୍‌ ତୁଳନାରେ ୨.୮ ଇଞ୍ଚ୍‌ର ଡିସ୍‌ପ୍ଲେ ରହିଛି। ଏହା UNISOC 6531F ପ୍ରୋସେସର ଦ୍ୱାରା ସଞ୍ଚାଳିତ ହେଉଥିବା ବେଳେ ଏଥିରେ 8MB RAM ଏବଂ 16MB ଷ୍ଟୋରେଜ ଦିଆଯାଇଛି। ଏହି ସିରିଜ୍‌ 30+ (S30+) ଅପରେଟିଙ୍ଗ୍‌ ସିଷ୍ଟମ୍‌ ଚଲାଇଥାଏ। ଏହା ବଡ଼ ଆଇକନ୍‌ ସହିତ ଆସୁଛି ଏବଂ ଏକ ଏକ୍ସେସିବିଲିଟି ମୋଡ୍‌ ବି ଅଛି, ଯାହା ମେନ୍ୟୁକୁ ଆହୁରି ସରଳ କରି ଦେଇଥାଏ।

Nokia 6310ର କ୍ୟାମେରା

ଫୋନରେ ଏଲ୍‌ଇଡି ଫ୍ଲାସ୍‌ ସହିତ ପଛ ପାର୍ଶ୍ୱରେ 0.3MPର ସିଙ୍ଗଲ କ୍ୟାମେରା ରହିଛି। ଏକ ମାଇକ୍ରୋଏସ୍‌ଡି କାର୍ଡ ସ୍ଲଟ୍‌ ଅଛି ଏବଂ ୟୁଜର 32GB ପର୍ଯ୍ୟନ୍ତ ଅତିରିକ୍ତ ଷ୍ଟୋରେଜ ଯୋଡ଼ି ପାରିବେ। ଏଥିରେ ବ୍ଲୁଟୁଥ୍‌ ୫.୦, ଓ୍ଵାଇ-ଫାଇ, ଡୁଆଲ ସିମ୍‌ ସପୋର୍ଟ ଏବଂ ଏଫ୍‌ଏମ୍‌ ରେଡିଓ(wired and wireless dual-mode) ରହିଛି।

ବ୍ୟାଟେରୀ

1150mAhର ବ୍ୟାଟେରୀ କ୍ଷମତା ୨୦୦୧ ମଡେଲ ତୁଳନାରେ ଅଳ୍ପ ବଡ଼ ଅଛି, କିନ୍ତୁ ନୋକିଆ ଦାବି କରିଛି କି, ଏହା ୭ ଘଣ୍ଟାରୁ ଅଧିକ ଟକ୍‌ଟାଇମ ପ୍ରଦାନ କରିବ ଏବଂ ଷ୍ଟାଣ୍ଡବାୟ ମୋଡରେ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ବ୍ୟାଟେରୀ ରିମୁଭେବଲ ହୋଇଥିବା ବେଳେ ନୋକିଆ ଏକ ଚାର୍ଜର ଓ ମାଇକ୍ରୋ ୟୁଏସ୍‌ବି କେବଲ ସହିତ ଫୋନ୍‌କୁ ଶିପ୍‌ କରିବ।

ଦାମ୍‌

Nokia 6310ର ଆନିଭର୍ସାରୀ ଏଡିଶନ ୟୁକେରେ 59.99 ପାଉଣ୍ଡ (6,187 ଟଙ୍କା)ରେ ବିକ୍ରି କରାଯିବ। ଡିଭାଇସ୍‌ ଅଲଗା ଅଲଗା ରଙ୍ଗରେ ଉପଲବ୍ଧ ହେବ। ଏହା ଅନ୍ୟ ବଜାରରେ କେବେ ଉପଲବ୍ଧ ହେବ, ତାହା ଉପରେ କିଛି କୁହାଯାଇ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.