ଟ୍ଵିଟରରେ ବ୍ଲୁ ଟିକ୍‌ ପାଇଁ ପ୍ରତି ମାସ ଦେବାକୁ ପଡିବ ୧୬୦୦ ଟଙ୍କା, ନଚେତ୍‌ ଶେଷ ହୋଇଯିବ ଭେରିଫିକେସନ୍‌

ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଦ୍ୱାରା ଟ୍ଵିଟର କିଣାଯିବା ପରେ ଅନେକ ଲୋକ ଖୁସି ଅଛନ୍ତି ତ ଆଉ କିଛି ଲୋକ କ୍ରୋଧିତ ବି ଅଛନ୍ତି। ଅନେକ ଲୋକ ଏଲନ ମସ୍କଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରୁଛନ୍ତି ତ ଆଉ କିଛି ଲୋକ ମସ୍କ ମାଲିକ ହେବା ପରେ ଟ୍ଵିଟରରେ ମନଖୋଲି ସ୍ୱାଧିନ ଭାବେର ନିଜ ମତାମତ ରଖିପାରିବେ ବୋଲି ଭାବୁଛନ୍ତି। ତେବେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି।

ମସ୍କ ଏହାକୁ କିଣିବା ପରେ ଟ୍ବିଟରରେ ଅନେକ ପରିବର୍ତ୍ତନ କରାଯିବା ନେଇ ଆଲୋଚନା କରାଯାଉଛି। କିନ୍ତୁ କମ୍ପାନୀର ପରିବର୍ତ୍ତନରେ ଅନେକ ଲୋକଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ଏକ ରିପୋର୍ଟ ଅନୁଯାୟୀ ଯଦି ଆପଣ ମଧ୍ୟ ଟ୍ଵିଟରରେ ଭେରିଫାଏଡ ବା ବ୍ଲୁଟିକ ୟୁଜର୍ସ ଅଟନ୍ତି ତାହେଲେ ଆପଣଙ୍କୁ ପ୍ରତି ମାସ ପ୍ରାୟ ୧୬୦୦ ଟଙ୍କା ଶୁଳ୍କ ଦେବାକୁ ପଡିପାରେ। ବ୍ଲୁ ଟିକ୍ ପାଇଁ ଟ୍ବିଟର ଚାର୍ଜ କରିପାରେ। ଅର୍ଥାତ୍ ଏବେ ଗ୍ରାହକଙ୍କୁ ଏହି ସୁବିଧା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ।

ଏକ ରିପୋର୍ଟରେ କୁହାଯାଇଛି ଯେ ବ୍ଲୁ ଟିକ୍ କେବଳ ଟ୍ବିଟର ବ୍ଲୁ ମେମ୍ବର୍ସଙ୍କୁ ଦିଆଯିବ। ଟ୍ବିଟର ବ୍ଲୁ ପାଇଁ କମ୍ପାନୀର ସବସ୍କ୍ରିପସନ ପ୍ଲାନ ନେବାକୁ ପଡ଼ିବ। ଏଥିରେ ଅନେକ ଅତିରିକ୍ତ ଫିଚର୍ସ ଦିଆଯାଏ। ଟ୍ବିଟର ବ୍ଳୁରେ, ଏଡିଟ୍ ଟ୍ବିଟ୍ ଏବଂ ଅନଡୁ ଟ୍ବିଟ୍ ଭଳି ଫିଚର୍ସ ଦେଖିବାକୁ ମିଳିଥାଏ।

ରିପୋର୍ଟରେ କୁହାଯାଇଛି ଯେ ବ୍ଳୁ ଫି ବୃଦ୍ଧି ହୋଇ ୧୯.୯୯ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୧୬୦୦ ଟଙ୍କା ହୋଇପାରେ। ତେବେ ଯେଉଁ ଲୋକମାନଙ୍କ ଆକାଉଣ୍ଟ ପୂର୍ବରୁ ଭେରିଫାଇଡ୍ ଅଟେ ତାଙ୍କୁ ଟ୍ବିଟର ବ୍ଲୁ ସବସ୍କ୍ରାଇବ୍ କରିବା ପାଇଁ ୯୦ ଦିନର ସମୟ ଦିଆଯିବ। ଏହି ସମୟ ମଧ୍ୟରେ ସବସ୍କ୍ରାଇବ୍ ନକଲେ ତାଙ୍କ ନାମ ଆଗରୁ ବ୍ଲୁ ଟିକ୍ ହଟାଇଦିଆଯିବ।

ଅବଶ୍ୟ ଏହା ମଧ୍ୟ ସ୍ପଷ୍ଟ ହୋଇନାହିଁ ଯେ ଟ୍ବିଟର ବ୍ଲୁ ଟିକ୍ ଭେରିଫିକେସନ ନିୟମରେ ପରିବର୍ତ୍ତନ କରାଯିବ କି ନାହିଁ। ଏବେ ଟ୍ବିଟର ଡିଲକୁ ଗୋଟିଏ ସପ୍ତାହ ମଧ୍ୟ ପୂରା ହୋଇନାହିଁ ଏବଂ ମସ୍କ ଏଥିରେ ବଡ଼ ପରିବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି। ଏହା ପୂର୍ବରୁ ମସ୍କ ସିଇଓ ପରାଗ ଅଗ୍ରଓ୍ବାଲ ଏବଂ ଅନ୍ୟ ଅଧିକାରୀଙ୍କୁ କାଢ଼ିସାରିଛନ୍ତି ।
ସୂଚନାଯୋଗ୍ୟ, ଟ୍ବିଟର ବ୍ଲୁରେ ଏଡିଟ୍ ଟ୍ବିଟ୍ ଅପ୍ସନ ରହିଛି। ଏହାଦ୍ବାରା ୟୁଜର୍ସଙ୍କ ପାଖରେ ଟ୍ବିଟ୍କୁ ଏଡିଟ୍ କରିବାର ଅପ୍ସନ ରହିଥାଏ। ଏହି ଫିଚରକୁ ଆମେରିକା ଏବଂ ଅନ୍ୟ ଦେଶରେ ଚଳିତ ମାସର ପ୍ରାରମ୍ଭରେ ଉପଲବ୍ଧ କରାଯାଇଥିଲା ।