ଭାରତରେ 6G ପାଇଁ ପ୍ରସ୍ତୁତି ଆରମ୍ଭ, କେବେ ସର୍ଭିସ ଆରମ୍ଭ ହେବ ଜଣାଇଲେ କେନ୍ଦ୍ରମନ୍ତ୍ରୀ

5G ପରେ ଏବେ ଭାରତରେ 6G ସର୍ଭିସ ପାଇଁ ପ୍ରସ୍ତୁତି ଚାଲିଛି । ବିଶ୍ୱର ଅନେକ ଦେଶ ଏପର୍ଯ୍ୟନ୍ତ 5G ସର୍ଭିସ ଆରମ୍ଭ କରିପାରି ନଥିଲେ ମଧ୍ୟ ଭାରତ 6G ଆଡକୁ ଆଗକୁ ବଢ଼ିଛି । ଭାରତରେ କେବେ 6G ସର୍ଭିସ ଆରମ୍ଭ ହେବ ସେ ବିଷୟରେ ସୂଚନା ଦେଇଛନ୍ତି କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ର ଶେଖର ପେମାସାନି । ବହୁ ବର୍ଷ ପୂର୍ବରୁ ଭାରତରେ 6G ଟେକ୍ନୋଲୋଜି ଟେଷ୍ଟିଙ୍ଗ ପାଇଁ ଟେଷ୍ଟିଙ୍ଗ ବେଡ୍ ତିଆରି ହୋଇସାରିଛି । ମୋଦି ସରକାର ଏହି ଉଦ୍ଦେଶ୍ୟରେ ଭାରତ 6G ମିଶନ ମଧ୍ୟ ଆରମ୍ଭ କରିଛନ୍ତି ।
5G ପରି, ଭାରତ 6G ଲଞ୍ଚ କରିବାରେ ବିଶ୍ୱର ପ୍ରଥମ ଦେଶ ମଧ୍ୟରୁ ଗୋଟିଏ ହେବ । ଭାରତରେ ୨୦୨୨ ମସିହାରେ 5G ସର୍ଭିସ ଆରମ୍ଭ ହୋଇଥିଲା । ମାତ୍ର ଦୁଇ ବର୍ଷ ମଧ୍ୟରେ, ଭାରତରେ 5G ନେଟୱାର୍କ ପ୍ରତିଷ୍ଠିତ ହୋଇଛି । ଦେଶର ୭୫୦ ଜିଲ୍ଲା ମଧ୍ୟରୁ ୯୮ ପ୍ରତିଶତ ଜିଲ୍ଲାକୁ 5G ନେଟୱାର୍କ ଯୋଗାଇ ଦିଆଯାଇଛି । ଏୟାରଟେଲ୍ ଏବଂ ଜିଓ ପରେ, Vi ମଧ୍ୟ ଏହାର 5G ସର୍ଭିସ ଆରମ୍ଭ କରିଛି । ସେହିପରି, ସରକାରୀ ଟେଲିକମ୍ କମ୍ପାନୀ BSNL ମଧ୍ୟ ଚଳିତ ବର୍ଷ ଜୁନ୍ ମାସରେ ଏହାର 5G ସର୍ଭିସ ଆରମ୍ଭ କରିବ ।
କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ କହିଥିଲେ, “ଭାରତ 6G ମିଶନ ଅଧୀନରେ, ଆମେ ୨୦୩୦ ସୁଦ୍ଧା 6G ସର୍ଭିସ ଆଣିବାକୁ ପ୍ରସ୍ତୁତ ହେଉଛୁ । ଆମେ ପରବର୍ତ୍ତୀ ପିଢ଼ିର କମ୍ୟୁନିକେନ୍ ଟେକ୍ନୋଲୋଜି ଡିଜାଇନ୍, ବିକାଶ ଏବଂ ନିୟୋଜନରେ ନେତୃତ୍ୱ ନେବୁ ଏବଂ ୨୦୩୦ ସୁଦ୍ଧା ଏହି ସର୍ଭିସ ଆରମ୍ଭ କରିବୁ ।” ଟେଲିକମ୍ ରାଷ୍ଟ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ଆମେ ଭାରତକୁ ଏକ ଟେଲିକମ୍ ଏକ୍ସପର୍ଟ ହବ୍ କରିବାକୁ ଯାଉଛୁ । ଆମେ କେବଳ ସେମିକଣ୍ଡକ୍ଟର ଏବଂ ନେଟୱାର୍କ ଇକ୍ଵିପମେଣ୍ଟସ ବ୍ୟବହାର କରିବୁ ନାହିଁ, ବରଂ ସେଗୁଡ଼ିକୁ ଉତ୍ପାଦନ ମଧ୍ୟ କରିବୁ ।
ଆମେ ଭାରତକୁ AI ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟିଂରେ ଅଗ୍ରଣୀ କରିବାକୁ ଚାହୁଁଛୁ । 5G ର ଉନ୍ନତ ନେଟୱାର୍କ ନିୟୋଜନ ଯୋଗୁଁ, AI, ରୋବୋଟିକ୍ସ ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟିଂରେ ଭଲ ଫଳାଫଳ ଆସିବା ଆରମ୍ଭ ହୋଇଛି ।” ଦୂରସଂଚାର ବିଭାଗ (DoT) ନିଜ ସରକାରୀ X ହ୍ୟାଣ୍ଡେଲରୁ ଦୂରସଂଚାର ରାଷ୍ଟ୍ରମନ୍ତ୍ରୀଙ୍କ ଏହି ଷ୍ଟେଟମେଣ୍ଟକୁ ସେୟାର କରିଛି । ଭାରତରେ 6G ବିକାଶ ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତି କରିସାରିଛନ୍ତି । ମୋଦି ସରକାର ଏଥିପାଇଁ ଭାରତ 6G ମିଶନ ଘୋଷଣା କରିଛନ୍ତି । କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ସାଧାରଣ ମଞ୍ଚରେ ଅନେକ ଥର 6G ମିଶନର ଉଲ୍ଲେଖ କରିଛନ୍ତି ।
Also read: Samsung ଲଞ୍ଚ କରିବ ୟୁନିକ୍ Foldable ସ୍ମାର୍ଟଫୋନ୍, ଜାଣନ୍ତୁ କ’ଣ ରହିଛି ଖାସ୍