ଅସରପା କହିବ ମାଟି ତଳେ କେଉଁଠି ମଣିଷ ଫସି ରହିଛି, ଆସିଲା ନୂଆ ଟେକ୍ନୋଲୋଜି

ସାରା ବିଶ୍ବକୁ ଡରାଇଛି ମିଆଁମାର ଭୂକମ୍ପ । ମିଆଁମାର ଓ ଥାଇଲାଣ୍ଡରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ୭.୭ ଏବଂ ୭.୨ ତୀବ୍ରତାର ୨ଟି ଭୂକମ୍ପ ପ୍ରଭାବରେ ମିଆଁମାରରେ ଅନେକ ସୁଉଚ୍ଚ ଅଟ୍ଟାଳିକା ଆଖି ପିଛୁଳାକେ ମାଟିରେ ମିଶିଯାଇଛି । ଅନେକ ଲୋକ ଧ୍ବଂସ ସ୍ତୁପ ତଳେ ଚାପି ହୋଇ ରହିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ । ଧ୍ବଂସସ୍ତୁପ ତଳୁ ଜୀବନର ସନ୍ଧାନ କରୁଛନ୍ତି ଉଦ୍ଧାରକାରୀ ଦଳ ।
ଭୂକମ୍ପ ପରଠାରୁ ମିଆଁମାରରେ ନିରନ୍ତର ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଉଦ୍ଧାରକାରୀ ଦଳ ମାଟି ତଳେ କେଉଁଠି ମଣିଷ ଫସି ରହିଛନ୍ତି ଜାଣିବା ମୁସ୍କିଲ ହୋଇପଡ଼ୁଛି। ତେଣୁ ଉଦ୍ଧାରକାରୀ ଦଳଙ୍କୁ ସାହାଯ୍ୟ କରିବା ପାଇଁ ଆସିଛି ସାଇବର୍ଗ ଅସରପା । ଭୂକମ୍ପ ରିଲିଫ୍ କାର୍ଯ୍ୟରେ ସାମିଲ ହେବାକୁ ଯାଉଛି ଅସରପା । ଏହି ସାଇବର୍ଗ ଅସରପା ମାଟି ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ଖୋଜିବାରେ ଉଦ୍ଧାର ଦଳଗୁଡ଼ିକୁ ସାହାଯ୍ୟ କରିବ।
କହିରଖୁଛୁ ଭୂକମ୍ପର ଗୋଟିଏ ସପ୍ତାହ ପରେ ମଧ୍ୟ ମିଆଁମାରରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୂକମ୍ପରେ ନିଖୋଜ ଥିବା ଲୋକଙ୍କୁ ଖୋଜିବା ପାଇଁ ପ୍ରୟାସ କରାଯାଉଛି । ଭୂକମ୍ପ ପରେ ରିଲିଫ୍ କାର୍ଯ୍ୟକୁ ସହଜ କରିବା ପାଇଁ ସିଙ୍ଗାପୁର ଦ୍ୱାରା ଏକ ଖାସ୍ ଟେକ୍ନୋଲୋଜି ପ୍ରସ୍ତୁତ କରାଯାଇଛି । ସିଙ୍ଗାପୁରର ହୋମ୍ ଟିମ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି ନାନୟାଙ୍ଗ୍ ଟେକ୍ନୋଲୋଜିକାଲ ୟୁନିଭର୍ସିଟି ଏବଂ କ୍ଲାସ ଇଞ୍ଜିନିୟରିଂ ଆଣ୍ଡ୍ ସଲ୍ୟୁସନ୍ ସହିତ ପାର୍ଟନରସିପ୍ ଦ୍ବାରା ଏକ ଭିନ୍ନ ଅସରପା ତିଆରି କରିଯାଇଛି । ଏହି ଅସରପାଗୁଡ଼ିକ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ସାମିଲ୍ ହେବେ ।
ବୈଜ୍ଞାନିକମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଅସରପାଗୁଡ଼ିକ ସାଧାରଣ ଅସରପା ନୁହଁନ୍ତି । ଏଗୁଡ଼ିକ ସମ୍ପୂର୍ଣ୍ଣ ରୋବୋଟିକ୍ । ଏହି ଅସରପାଗୁଡ଼ିକରେ କ୍ୟାମେରା ଏବଂ ସେନ୍ସର ଲଗାଯାଇଛି । ଏହି ରୋବୋଟିକ୍ ଅସରପାଗୁଡ଼ିକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ଖୋଜିବାରେ ସାହାଯ୍ୟ କରିବେ । ବୈଜ୍ଞାନିକମାନେ ୧୦ଟି ରୋବୋଟିକ୍ ହାଇବ୍ରିଡ୍ ତିଆରି କରିଛନ୍ତି ।
ସୂଚନା ଥାଉ କି ଏପରି ରୋବୋଟିକ୍ ଅସରପା ସାଧାରଣତଃ ସେହି ସ୍ଥାନଗୁଡ଼ିକରେ ବ୍ୟବହାର କରାଯାଏ ଯେଉଁଠାରେ ବିପର୍ଯ୍ୟୟ ପରେ ଉଦ୍ଧାର ଦଳ ପହଞ୍ଚିପାରନ୍ତି ନାହିଁ । ସାଇବର୍ଗ ଅସରପାଗୁଡ଼ିକ ଭଗ୍ନାବଶେଷ ତଳେ ଥିବା ଛୋଟ ରାସ୍ତାରେ ପ୍ରବେଶ କରିପାରନ୍ତି । ଅସରପାଗୁଡ଼ିକରେ ଲଗାଯାଇଥିବା କ୍ୟାମେରା ଏବଂ ସେନ୍ସର ସାହାଯ୍ୟରେ ମଣିଷ କେଉଁଠି ଫସି ରହିଛି ତାହା ଜାଣିବା ସହଜ ହୋଇଯାଏ । ସିଙ୍ଗାପୁର ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ସାଇବର୍ଗ ଅସରପାଗୁଡ଼ିକୁ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ବ୍ୟବହାର କରାଯିବ । ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ସାଇବର୍ଗ ଅସରପାଗୁଡ଼ିକୁ ୨୦୨୬ରୁ ବ୍ୟବହାର କରାଯିବାର ଥିଲା, କିନ୍ତୁ ବର୍ତ୍ତମାନ ପରିସ୍ଥିତିକୁ ବିଚାର କରି ସମୟ ପୂର୍ବରୁ ଏହାକୁ ବ୍ୟବହାର କରାଯାଉଛି । ଭବିଷ୍ୟତରେ ମଧ୍ୟ ଏହି ରୋବଟିକ ଅସରପା ନିଶ୍ଚିତ ଭାବେ ବିପର୍ଯ୍ୟୟ ସମୟରେ ସାହାଯ୍ୟ କରିବ ବୋଲି ଆଶା ରଖାଯାଇଛି ।
Also Read: ମିଆଁମାରର ପିଛା ଛାଡୁନି ଭୂମିକମ୍ପ, ଗତକାଲି ଦୁଇ ଦୁଇ ଥର ଦେଲା ଝଟକା