ବନ୍ଦ ହେଲା ଦେଶୀ ଟ୍ଵିଟର ‘Koo’, ବିରାଟ କୋହଲିଙ୍କଠାରୁ ନେଇ ୯୦୦୦ ଭିଆଇପି ଓ ମନ୍ତ୍ରୀ କରିଥିଲେ ନିଜର ଆକାଉଣ୍ଟ

ଦେଶୀ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘Koo’ ଶେଷରେ ବନ୍ଦ ହୋଇଯାଇଛି । ଏହି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟ୍ଵିଟର୍‌ର ପ୍ରତିଦ୍ୱନ୍ଦ୍ୱୀ ରୂପେ ଏଣ୍ଟ୍ରି କରିଥିଲା । Kooର ଫାଉଣ୍ଡର ଅପ୍ରମେୟ ରାଧାକୃଷ୍ଣ ଓ ମୟଙ୍କ ବିଦାଓ୍ଵତକା ଏହା ବନ୍ଦ ହେବା ସମ୍ପର୍କରେ ସୂଚନା ଦେଇଛନ୍ତି । ଏକ ସମୟରେ ରାଜନେତାଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ, ଭିଆଇପିଙ୍କ ପର୍ଯ୍ୟନ୍ତ ସମସ୍ତେ Kooରେ ନିଜର ଆକାଉଣ୍ଟ ତିଆରି କରିଥିଲେ ।

ପ୍ରତିଷ୍ଠାତା କହିଛନ୍ତି ଯେ ପାର୍ଟନରଶିପ୍‌ ଆଲୋଚନା ସଫଳ ନ ହେବା ଏବଂ ଉଚ୍ଚ ଟେକ୍ନୋଲୋଜି ମୂଲ୍ୟ ଯୋଗୁ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବନ୍ଦ କରି ଦିଆଯାଇଛି । କମ୍ପାନୀ ୨୦୨୩ ଏପ୍ରିଲରୁ ହିଁ ଓ୍ଵାର୍କଫୋର୍ସକୁ କମ୍‌ କରିବା ଆରମ୍ଭ କରିଦେଇଥିଲା ।

Kooର ଦୈନିକ ଆକ୍ଟିଭ୍‌ ୟୁଜର୍ସଙ୍କ ସଂଖ୍ୟା ଏକ ସମୟରେ ୨୧ ଲକ୍ଷ ଯାଏ ପହଞ୍ଚି ଯାଇଥିଲା । ଏତିକି ନୁହେଁ, ଏହାର ମାସିକ ଆକ୍ଟିଭ୍‌ ୟୁଜର୍ସଙ୍କ ସଂଖ୍ୟା ମଧ୍ୟ ୧ କୋଟିରେ ପହଞ୍ଚିଥିଲା । ଏହି ପ୍ଲାଟ୍‌ଫର୍ମରେ ୯ ହଜାର ଭିଆଇପି ଲୋକଙ୍କର ଆକାଉଣ୍ଟ ରହିଥିଲା । ଏହାକୁୁ ନେତାମାନେ ମଧ୍ୟ ଅଧିକ ପ୍ରମୋଟ୍‌ କରିଥିଲେ ।

ପ୍ରାୟ ସମସ୍ତ ନେତା ଏବଂ କ୍ୟାବିନେଟ୍‌ ମନ୍ତ୍ରୀ Kooରେ ନିଜର ଅଫିସିଆଲ୍‌ ଆକାଉଣ୍ଟ ତିଆରି କରିଥିଲେ । ଏହି ପ୍ଲାଟ୍‌ଫର୍ମକୁ ଦେଶୀ ଟ୍ଵିଟର ରୂପେ ପ୍ରମୋଟ୍‌ କରାଯାଉଥିଲା । ତେବେ ଏତେ ସଫଳତା ପରେ ବି ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା କମ୍ପାନୀକୁ ଶେଷରେ ନିଜର ବ୍ୟବସାୟ ବନ୍ଦ କରିବାକୁ ପଡ଼ିଛି ।