ଗୁଗୁଲରେ ମହାକୁମ୍ଭ ସର୍ଚ୍ଚ କଲେ ହେଉଛି ପୁଷ୍ପ ବର୍ଷା, ଗୋଲାପ ପାଖୁଡ଼ାରେ ଭରିଯିବ ମୋବାଇଲ୍ ସ୍କ୍ରିନ୍

ମହାକୁମ୍ଭ ଆସ୍ଥା ଏବଂ ବିଶ୍ୱାସର ଏକ ମହାନ ପର୍ବ । ଜାନୁଆରୀ ୧୩ ରୁ ଆରମ୍ଭ ହୋଇଥିବା ଏହି ବିଶ୍ୱର ସର୍ବବୃହତ ମେଳା ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ଦେଶ ବିଦେଶର କୋଟି କୋଟି ଭକ୍ତ ଏହି ମହାକୁମ୍ଭରେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ଗୁଗୁଲ ମଧ୍ୟ ନିଆରା ଢଙ୍ଗରେ ମହାକୁମ୍ଭ ପାଳନ କରୁଛି । ଦୁନିଆର ସବୁଠୁ ବଡ଼ ସର୍ଚ୍ଚିଂ ପ୍ଲାଟଫର୍ମ ହେଉଛି ଗୁଗଲ । ଯିଏ ଏହି ସମୟରେ ମହାକୁମ୍ଭର ଭକ୍ତିରେ ବୁଡ଼ିଯାଇଛି ।
ଏହି ଅବସରକୁ ଏକ ନିଆରା ଓ ସ୍ୱତନ୍ତ୍ର ପ୍ରକାରର କରିବା ପାଇଁ ଗୁଗଲ ଏକ ମ୍ୟାଜିକ ଟୁଲ୍ ବାହାର କରିଛି । ଯଦି ଆପଣ ଗୁଗଲରେ ‘ମହାକୁମ୍ଭ’ ଲେଖି ସର୍ଚ୍ଚ କରିବେ ତେବେ ଆପଣଙ୍କର ପୂରା ସ୍କ୍ରିନ୍ ଗୋଲାପ ଫୁଲ ପାଖୁଡାରେ ଭରିଯିବ । ଏହାସହ ଆପଣ ଏହି ଫଟୋ ଅନ୍ୟକୁ ସେୟାର ବି କରିପାରିବେ । ତେବେ ଏଥିପାଇଁ ଆପଣଙ୍କୁ ନିଜର ଫୋନ୍ ବା ଡେସ୍କଟପ୍ରେ ଗୁଗଲକୁ ଓପନ କରିବାକୁ ପଡିବ । ଏହାପରେ ଏହା ଉପରେ ହିନ୍ଦୀ, ଇଂରାଜୀ କୌଣସି ବି ଭାଷାରେ ମହାକୁମ୍ଭ ଲେଖନ୍ତୁ ।
ଏହା ଲେଖିବାର କିଛି ମିନିଟ୍ ପରେ ସ୍କ୍ରିନ୍ରେ ଗୋଲାପ ପାଖୁଡାର ବର୍ଷା ହେବାକୁ ଲାଗିବ । ଏହାସହ ତଳେ ଆପଣଙ୍କୁ ସ୍କ୍ରିନ୍ରେ ୩ଟି ଅପ୍ସନ ମଧ୍ୟ ଦେଖାଯିବ । ଏହା ପୂର୍ବରୁ ଅପ୍ସନରେ କ୍ଲିକ୍ କରି ଗୋଲାପର ପାଖୁଡ଼ା ଖସିବା ରୋକା ଯାଇପାରିବ । ମିଡ଼ିଲ ଅପ୍ସନରେ ଟ୍ୟାପ୍ କରି ଅଧିକ ସଂଖ୍ୟାରେ ଗୋଲାପ ପାଖୁଡ଼ା ବର୍ଷା କରିପାରିବେ । ସେହିଭଳି ତୃତୀୟ ଅପ୍ସନରେ ଟ୍ୟାପ୍ କରି ଏହି ଗୋଲାପ ବର୍ଷା ହେଉଥିବା ସ୍କ୍ରିନ୍କୁ ଅନ୍ୟ କାହା ସହ ସେୟାର ବି କରିପାରିବେ । ଆପଣ ନିଜ ଡେସ୍କଟପ୍ କିମ୍ବା ମୋବାଇଲରେ ଏହି ଆନିମେସନ୍ ଉପଭୋଗ କରିପାରିବେ ।
ସୂଚାନଯୋଗ୍ୟ, ମହାକୁମ୍ଭ ମେଳା ପାଇଁ ଜନସମୁଦ୍ର ପ୍ରୟାଗରାଜ । ହିନ୍ଦୁ ଧର୍ମର ପରମ୍ପରା ଓ ସଂସ୍କୃତିରେ ଏକ ମହାମେଳା ବା ମହାପର୍ବ । ଏହା ଭାରତ ଉପଖଣ୍ଡର ତ୍ରିବେଣୀ ସଙ୍ଗମଠାରେ ଆୟୋଜିତ ହୁଏ । ପ୍ରତି ୧୨ ବର୍ଷରେ ଥରେ ହୁଏ ଏହି ମହାକୁମ୍ଭ ମେଳା । ଏହି ମହାକୁମ୍ଭ ପ୍ରତି ୧୨ବର୍ଷ ବ୍ୟବଧାନରେ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ୧୪୪ ବର୍ଷ ପରେ ଏକ ବିଶେଷ ଯୋଗ ପଡୁଥିବା ଜଣାପଡିଛି ।
ବିଶ୍ବାସ ରହିଛି ଏହି ମହାକୁମ୍ଭ ରେ ସ୍ନାନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ । ସେଥିପାଇଁ ଭାରତବର୍ଷର କୋଣ ଅନୁକୋଣରୁ ସାଧୁ ସନ୍ଥ ନାଗାବାବାଙ୍କ ଠାରୁ ଆରମ୍ଭ କରି ଶ୍ରଦ୍ଧାଳୁ ମାନେ ବୁଡ଼ ପକାଇବା ପାଇଁ ଏଠାରେ ଭବ୍ୟ ଆୟୋଜନ କରାଯାଇଛି ।