ନୂଆ ଫିଚର ଲଞ୍ଚ୍‌ କଲା ଟିକ୍‌ଟକ୍‌, ଏବେ ସବୁ ଭିଡିଓରେ ପ୍ରଶ୍ନ ପଚାରିପାରିବେ ୟୁଜର୍ସ

ଚୀନୀ ସର୍ଟ ଭିଡିଓ ଆପ୍‌ ଟିକ୍‌ଟକ୍‌ ଏକ ନୂଆ ଫିଚର ଲଞ୍ଚ୍‌ କରିଛି। ଏହି ଫିଚରରେ ୟୁଜରମାନେ ପ୍ରଶ୍ନ-ଉତ୍ତର କରିପାରିବେ। ଏହା ଦ୍ୱାରା ୟୁଜରମାନେ କ୍ରିଏଟରଙ୍କ ସହ ସହଜରେ ଯୋଡ଼ି ହୋଇପାରିବେ। ଭିଡିଓରେ ୟୁଜର୍ସ ନିଜ କମେଣ୍ଟକୁ ପ୍ରଶ୍ନ ଭାବେ ନାମିତ କରିପାରିବେ। ଏହାକୁ କମେଣ୍ଟ ସେକ୍ସନ୍‌ରେ ପ୍ରଶ୍ନ ଭାବେ ଲେବଲ କରାଯିବ। ଟିକ୍‌ଟକ୍‌ ତରଫରୁ କୁହାଯାଇଛି, ଏହି ଫିଚର କ୍ରିଏଟରଙ୍କୁ ନିଜ ଭିଡିଓର କମେଣ୍ଟସ୍‌ରେ ଥିବା ପ୍ରଶ୍ନକୁ ଶୀଘ୍ର ଚିହ୍ନିବାରେ ଓ ଉତ୍ତର ଦେବାରେ ସାହାଯ୍ୟ କରିବ।

ଏହି ଫିଚର ପ୍ରି ରେକର୍ଡେଡ୍‌ ଓ ଲାଇଭ୍‌ ଭିଡିଓରେ କାମ କରିବ। ଫଳରେ କ୍ରିଏଟର ତାଙ୍କୁ ପ୍ରଶ୍ନ ପଚାରୁଥିବା ବ୍ୟକ୍ତିଙ୍କୁ ସହଜରେ ରିପ୍ଲାଏ କରିପାରିବେ। ଟିକ୍‌ଟକ୍‌ରେ କଥାବାର୍ତ୍ତା ହେବାର ଏହା ଏକ ବଡ଼ ମାଧ୍ୟମ ପାଲଟିବ ବୋଲି ଟିକ୍‌ଟକ୍‌ କହିଛି। ଏଥିପାଇଁ କ୍ରିଏଟର୍ସଙ୍କ ପ୍ରୋଫାଇଲ ବାୟୋରେ ଏକ ପ୍ରଶ୍ନ ଓ ଉତ୍ତର ସମ୍ବନ୍ଧିତ ପ୍ରୋଫାଇଲ ଲିଙ୍କ୍‌ ମଧ୍ୟ ଯୋଡ଼ାଯିବ, ଯାହା ପ୍ରଶ୍ନ ଓ ଉତ୍ତର ପେଜ୍‌କୁ ଅଲଗା କରିବାରେ ସାହାଯ୍ୟ କରିବ।

ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ଭାରତରେ ଟିକ୍‌ଟକ୍‌ ଆପ୍‌କୁ ବ୍ୟାନ୍‌ କରାଯାଇଛି। ଏହା ପରେ ଟିକ୍‌ଟକ୍‌ ନୂଆ ପ୍ରାଇଭେସୀ ପଲିସି ସହ ଖୁବ୍‌ଶୀଘ୍ର ଭାରତକୁ ଫେରିବ ବୋଲି କୁହାଯାଉଛି। ଇତି ମଧ୍ୟରେ ନିକଟରେ ଆମେରିକାରେ ପ୍ରାଇଭେସି ପଲିସି ଉଲ୍ଲଂଘନ କରିବା ଅଭିଯୋଗରେ ଟିକଟକ୍‌କୁ ୯.୨ କୋଟି ଟଙ୍କା ଗଣିବାକୁ ପଡ଼ିଛି।