ଏହି କମ୍ପାନୀ ଲଞ୍ଚ୍‌ କରିବାକୁ ଯାଉଛି ଡ୍ରୋନ୍‌ କ୍ୟାମେରାଯୁକ୍ତ ସ୍ମାର୍ଟଫୋନ୍‌, ଉଡ଼ି ଉଡ଼ି ଉଠାଇବ ଫଟୋ ଓ ଭିଡିଓ

ସମୟ ସହ ଟେକ୍ନୋଲୋଜି ବି ଦିନକୁ ଦିନ ଆଡଭାନ୍ସ ହୋଇ ହୋଇ ଯାଉଛି। ପ୍ରଥମେ କ୍ୟାମେରାକୁ ଫୋନ୍‌ରେ ଏକ ଗୁୁରୁତ୍ୱପୂର୍ଣ୍ଣ ଜିନିଷ ବୋଲି କୁହାଯାଉଥିଲା। କିନ୍ତୁ ପରେ ଆସିଲା ସେଲ୍‌ଫି କ୍ୟାମେରା। ମାତ୍ର ଏବେ ଟେକ୍ନୋଲୋଜି ତା’ଠୁ ବି ବହୁତ ଆଗକୁ ଯାଇସାରିଲାଣି। ଏବେ ସ୍ମାର୍ଟ ଫୋନ୍‌ରେ ଆସୁଛି ଡ୍ରୋନ୍‌ କ୍ୟାମେରା ଥିବା ଫିଚର। ଚୀନୀ ସ୍ମାର୍ଟଫୋନ୍‌ କମ୍ପାନୀ ଭିଭୋ ଖୁବ୍‌ଶୀଘ୍ର ଫ୍ଲାଇଂ କ୍ୟାମେରା ଲଞ୍ଚ୍‌ କରିବାକୁ ଯାଉଛି।

ଗତବର୍ଷ ଭିଭୋ ଏହି ସ୍ମାର୍ଟଫୋନ୍‌ର ଡିଜାଇନ୍‌ର ପେଟେଣ୍ଟ ଫାଇଲ୍‌ କରିଥିଲା। ରିପୋର୍ଟ ମୁତାବକ, ଭିଭୋର ଏହି ଫୋନ୍‌ରେ ଫ୍ଲାଇଂ କ୍ୟାମେରା ଫିଚର ମିଳିବ। ଏହି କ୍ୟାମେରା ଫୋନ୍‌ର ବଡିରୁ ଅଲଗା ହୋଇ ଡ୍ରୋନ୍‌ ଭଳି ଉଡ଼ି ଉଡ଼ି ଫଟୋ କ୍ଲିକ୍‌ କରିବ ଓ ଭିଡିଓ ମଧ୍ୟ ତିଆରି କରିବ। ଦେଖିବାକୁ ଏହା ସାଧାରଣ ସ୍ମାର୍ଟଫୋନ୍‌ ଭଳି ହୋଇଥିବା ବେଳେ କେବଳ ଏହାର କ୍ୟାମେରା ହିଁ ଅନ୍ୟ ମୋବାଇଲ ଠାରୁ ଭିନ୍ନ।

ଭିଭୋର ଏହି ଡିଟୋଚେବଲ କ୍ୟାମେରାର ମଡ୍ୟୁଲରେ ୪ଟି ପ୍ରୋପେଲର ଦିଆଯାଇଛି। ଯାହା ସାହାଯ୍ୟରେ କ୍ୟାମେରାଟି ସହଜରେ ପବନରେ ଉଡ଼ିପାରିବ। ଫୋନ୍‌ ବ୍ୟାଟେରୀ ସମେତ ଏଥିରେ ଆଉ ଏକ ବ୍ୟାଟେରୀ ମଧ୍ୟ ଦିଆଯାଇଛି। ଏଥି ସହ ଦୁଇଟି କ୍ୟାମେରା ସେନ୍‌ସର ମଧ୍ୟ ଦିଆଯାଇଛି। ଫ୍ଲାଇଂ କ୍ୟାମେରାରେ ଦୁଇ ଇନ୍‌ଫ୍ରାରେଡ୍‌ ସେନ୍‌ସର ମଧ୍ୟ ଲାଗିଛି, ଯାହା ଉଡ଼ିବା ବେଳେ କ୍ୟାମେରାକୁ ଦୁର୍ଘଟଣାରୁ ରକ୍ଷା କରିବ।

ଭିଭୋର ଏହି ଘୋଷଣା ପରେ ଓପୋ, ସାଓମି, ରିୟଲମି, ଓ୍ଵାନ୍‌ ପ୍ଲସ୍‌ ମଧ୍ୟ ଏଭଳି ଟେକ୍ନୋଲୋଜି ଥିବା ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିପାରନ୍ତି। ତେବେ ଏହି ମୋବାଇଲ କେତେ ସଫଳ ହେଉଛି ଏବେ ତାହା ଦେଖିବା ବାକି ଅଛି।

Leave A Reply

Your email address will not be published.