ହୋଲି ପର୍ବରେ କେମିତି ମୋବାଇଲକୁ ରଖିବେ ସୁରକ୍ଷିତ, ଆପଣାନ୍ତୁ ଏହି ଖାସ୍ ଟିପ୍ସ

ହୋଲି ପର୍ବ ପାଇଁ ମସଗୁଲ ଅଛନ୍ତି ପିଲା ଠୁ ବୁଢ଼ା । ସାତ ରଙ୍ଗରେ ରଙ୍ଗୀନ ହୋଇ ସମସ୍ତେ ଉପଭୋଗ କରୁଛନ୍ତି ହୋଲି । ଆଜିର ଡିଜିଟାଲ ଯୁଗରେ ଏହି ଅଭୁଲା ମୁହୂର୍ତ୍ତକୁ ସାଇତି ରଖିବା ପାଇଁ ସମସ୍ତଙ୍କ ପାଖରେ ଅଛି ଫୋନ । ଲୋକମାନେ ରଙ୍ଗ ଖେଳିବା ପରେ ମୋବାଇଲରେ ଫଟୋ ଉଠାନ୍ତି । କିନ୍ତୁ ବେଳେବେଳେ ହୋଲି ଖେଳୁଥିବା ସମୟରେ ଲୋକଙ୍କ ଫୋନରେ ପାଣି ପଶିଯାଏ ।

ହୋଲିରେ ବାହାରକୁ ବାହାରିଲେ ଆପଣ ପାଣିରେ ଓଦା ହେବା ସୁନିଶ୍ଚିତ । କିନ୍ତୁ ଆପଣ ନିଜ ଫୋନକୁ ପାଣିରୁ କିପରି ରକ୍ଷା କରିବେ । ଏକଥା ହୁଏତ ଆପଣଙ୍କୁ ମନକୁ ଆସିନଥିବ । ତେଣୁ ଆପଣ ୱାଟରପ୍ରୁଫ୍ ପାଉଚ୍ ରେ ଫୋନ ରଖି ଘରୁ ବାହାରି ପାରିବେ । କିନ୍ତୁ ଯଦି ଫଟୋ ଉଠାଇବା ବେଳେ କିମ୍ବା ଭିଡିଓ କରିବା ସମୟରେ ଫୋନରେ ପାଣି ପଶିଯାଏ, ତେବେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । କିଛି ଟିପ୍ସକୁ ଆପଣାଇଲେ ଆପଣଙ୍କ ଫୋନ ପାଣିରେ ଓଦା ହୋଇଥିଲେ ବି ଆପଣ ଫୋନକୁ ବଡ଼ କ୍ଷତିରୁ ରକ୍ଷା କରିପାରିବେ । ତେବେ ଆସନ୍ତୁ ଜାଣିବା ଫୋନ ଓଦା ହେଲେ ପ୍ରଥମେ କଣ କରିବା ଉଚିତ ହେବ ।

ଯଦି ଆପଣଙ୍କୁ ଲାଗୁଛି ଯେ ଫୋନରେ ପାଣି ପଶିଯାଇଛି, ତେବେ ତୁରନ୍ତ ଏହାକୁ ସୁଇଚ୍ ଅଫ୍ କରିଦିଅନ୍ତୁ । ଫୋନକୁ ସୁଇଚ୍ ଅଫ୍ କରିବା ଦ୍ୱାରା ସର୍ଟ ସର୍କିଟ ହେବାର ଆଶଙ୍କା ଦୂର ହେବ । ଏହିପରି ଭାବରେ ଫୋନ ଖରାପ ହେବ ନାହିଁ ।

ଯଦି ଫୋନରେ ପାଣି ପଶିଯାଇଛି, ତେବେ ସିମ୍ କାର୍ଡ କାଢ଼ି ଦିଅନ୍ତୁ । ଯଦି ଆପଣ ମେମୋରୀ କାର୍ଡ ବ୍ୟବହାର କରୁଛନ୍ତି, ତେବେ ସିମ୍ କାର୍ଡ ସହିତ ଏହି ଚିପ୍ କୁ ବାହାର କରିଦିଅନ୍ତୁ । ପାଣି ଜମି ରହିବା ଯୋଗୁଁ ଏସବୁ କ୍ଷତିଗ୍ରସ୍ତ ହେବାର ଆଶଙ୍କା ବଢ଼ିଯାଏ ।

ପାଣିରେ ଫୋନ ଓଦା ହୋଇଯାଇଥିଲେ ଶୁଖାଇବା ପାଇଁ ଏହାକୁ ଖୋଲା ସ୍ଥାନରେ ରଖନ୍ତୁ । ଆବଶ୍ୟକ ହେଲେ ଆପଣ ଫୋନକୁ ଫ୍ୟାନ୍ ସାମ୍ନାରେ ମଧ୍ୟ ରଖିପାରିବେ । ଫୋନକୁ ସୁତା କପଡ଼ାରେ ଫୋଚିବା ପରେ ଚାର୍ଜିଂ ପୋର୍ଟ ଏବଂ ଅନ୍ୟାନ୍ୟ ସ୍ଥାନରୁ ପାଣି ଶୁଖାଇପାରିବେ, କିନ୍ତୁ ଭିତର ଅଂଶରୁ ପାଣି ଶୁଖାଇବା ପାଇଁ ଡ୍ରାୟର ଭଳି ଜିନିଷ ବ୍ୟବହାର କରିବେ ନାହିଁ । ଡ୍ରାୟର ଫୋନର ଭିତର ଅଂଶକୁ କ୍ଷତି ପହଞ୍ଚାଇପାରେ । ତେଣୁ ଫୋନକୁ ଶୁଖାଇବା ପାଇଁ ଏକ ଖୋଲା କିମ୍ବା ସୁରକ୍ଷିତ ସ୍ଥାନରେ ରଖନ୍ତୁ ।

ଯଦି ଉପରୋକ୍ତ ଟିପ୍ସ ଆପଣାଇବା ପରେ ମଧ୍ୟ ଫୋନ୍ କାମ କରୁନାହିଁ, ତେବେ ଏହାକୁ ସର୍ଭିସ୍ ସେଣ୍ଟରକୁ ନେଇଯାଆନ୍ତୁ । ଏହାକୁ ଖୋଲି ଘରେ ମରାମତି କରିବାକୁ ଚେଷ୍ଟା କରନ୍ତୁ ନାହିଁ । ଏହା କରିବା ଦ୍ୱାରା ଆପଣଙ୍କୁ ଲାଭ ବଦଳରେ ଅଧିକ କ୍ଷତି ସହିବାକୁ ପଡ଼ିପାରେ ।

Also Read: Samsung Galaxy A56 ଉପରେ ୩୫% ର ବଡ଼ ଡିସକାଉଣ୍ଟ, ଶସ୍ତା ମୂଲ୍ୟରେ ଘରକୁ ଆଣନ୍ତୁ Samsung ର ଲାଟେଷ୍ଟ 5G ଫୋନ୍