ଫେସବୁକ୍, ଇନଷ୍ଟାଗ୍ରାମ ବ୍ୟବହାର କରିବା ପାଇଁ ଦେବାକୁ ପଡିବ କି ଟଙ୍କା? ଚିନ୍ତାରେ ୟୁଜର୍ସ

ଏବେ ଫେସବୁକ୍, ଇନଷ୍ଟାଗ୍ରାମ ବ୍ୟବହାର କରିବା ପାଇଁ ଦେବାକୁ ପଡ଼ିପାରେ ମାସିକ ଶୁଳ୍କ । ମେଟାର ନୂତନ ପଲିସି ଏବେ କୋଟି କୋଟି ୟୁଜର୍ସଙ୍କ ଚିନ୍ତା ବଢାଇ ଦେଇଛି । ରିପୋର୍ଟ ଅନୁସାରେ, ମେଟା ୟୁରୋପୀୟ ୟୁନିଅନର ୟୁଜର୍ସଙ୍କ ପାଇଁ ମାସିକ ଶୁଳ୍କ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ବ୍ୟବହାର କରିବା ପାଇଁ ୟୁଜର୍ସଙ୍କଠାରୁ ପ୍ରତି ମାସରେ $14 ଅର୍ଥାତ୍ ପ୍ରାୟ ୧୧୯୦ ଟଙ୍କା ଆଦାୟ କରାଯିବ । କିନ୍ତୁ ଏହି ଚାର୍ଜ ସେହି ୟୁଜର୍ସଙ୍କଠାରୁ ନିଆଯିବ ଯେଉଁମାନେ ମେଟାର ଏହି ଦୁଇଟି ପ୍ଲାଟଫର୍ମରେ ବିଜ୍ଞାପନ ଦେଖିବାକୁ ଚାହୁଁନାହାଁନ୍ତି ।
ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ବ୍ୟବହାର ପାଇଁ ସାଧାରଣ ୟୁଜର୍ସଙ୍କ ଠାରୁ କୌଣସି ଶୁଳ୍କ ନିଆଯିବ ନାହିଁ । ଗତ ସପ୍ତାହର ଏକ ରିପୋର୍ଟ ଅନୁଯାୟୀ, ମେଟା ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପାଇଁ ଏକ କମ୍ବୋ ଅଫର ମଧ୍ୟ ଲଞ୍ଚ କରିପାରେ, ଯାହା ପାଇଁ ୟୁଜର୍ସଙ୍କୁ ପ୍ରତି ମାସରେ $17 (ପ୍ରାୟ ୧୪୪୫ ଟଙ୍କା) ଖର୍ଚ୍ଚ କରିବାକୁ ପଡିବ । କିନ୍ତୁ ଏହା କେବଳ ଡେସ୍କଟପରେ କାମ କରିବ । ରିପୋର୍ଟ ଅନୁସାରେ, ଟେକ୍ କମ୍ପାନୀଗୁଡ଼ିକ ବିରୁଦ୍ଧରେ ୟୁରୋପୀୟ ୟୁନିଅନ ଦ୍ୱାରା ନିଆଯାଇଥିବା କଠୋରତା ଯୋଗୁଁ ମେଟା ଏହି ନିଷ୍ପତ୍ତି ନେଇଛି ।
ୟୁରୋପୀୟ ସଂଘ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ଅନଲାଇନ୍ ହିଷ୍ଟ୍ରି ଏବଂ ଆକ୍ଟିଭିଟି ଉପରେ ଆଧାରିତ ବିଜ୍ଞାପନ ନ ଦେଖାଇବାକୁ ନିର୍ଦ୍ଦେଶ ଦେଇଛି । ଫ୍ରି ଭର୍ସନରେ, ୟୁଜର୍ସଙ୍କୁ ବିଜ୍ଞାପନ ଦେଖାଯାଏ, ଯାହା ମାଧ୍ୟମରେ ମେଟା ଏବଂ ଗୁଗୁଲ୍ ଭଳି କମ୍ପାନୀଗୁଡ଼ିକ ଟଙ୍କା ରୋଜଗାର କରନ୍ତି । ଏହି କମ୍ପାନୀଗୁଡ଼ିକ ଗତ ଦଶନ୍ଧି ମଧ୍ୟରେ ଏହି ମଡେଲ ମାଧ୍ୟମରେ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି । ତଥାପି, ଫେସବୁକ୍ କହିଛି ଯେ ୟୁଜର୍ସଙ୍କୁ ବିଜ୍ଞାପନ ଦେଖାଇବା ପୂର୍ବରୁ ସେମାନଙ୍କ ଠାରୁ ସମ୍ମତି ନିଆଯିବ ।
କମ୍ପାନୀ କୌଣସି ୟୁଜର୍ସଙ୍କ ସହମତି ବିନା ପସନ୍ଦିତ ବିଜ୍ଞାପନ ପଠାଇବ ନାହିଁ । ୟୁଜରଙ୍କ ଆକ୍ଟିଭିଟି ଆଧାରରେ ବିଜ୍ଞାପନ ଦେବା ପାଇଁ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ଆମେରିକା ସରକାର ମଧ୍ୟ ପ୍ରଶ୍ନ କରିଛନ୍ତି । ୟୁରୋପୀୟ ୟୁନିଅନ କହିଛି ଯେ ଏହା କରିବା ପାଇଁ କମ୍ପାନୀଗୁଡ଼ିକ ଉପରେ ଭାରୀ ଜରିମାନା ଲାଗୁ କରାଯିବ ।
SNA ମଡେଲ୍ କ’ଣ?
ନୂଆ ବିଜ୍ଞାପନ ପଲିସି ପରେ, ଟେକ୍ କମ୍ପାନୀକୁ ଏହାର ୟୁଜର୍ସଙ୍କ ଠାରୁ ରେଭେନ୍ୟୁ ପାଇବା ପାଇଁ ସବସ୍କ୍ରିପସନ ବିକ୍ରି କରିବାକୁ ପଡିବ । ତଥାପି, ଏହା ପ୍ରଥମ ଥର ନୁହେଁ ଯେ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ପେଡ୍ ମଡେଲ ବିଷୟରେ କଥା ହୋଇଛନ୍ତି । ପୂର୍ବରୁ ୨୦୨୩ ମସିହାରେ ମଧ୍ୟ ସମାନ ପ୍ରସ୍ତାବ ଅଣାଯାଇଥିଲା । ଏବେ ଏହା ସମ୍ପୂର୍ଣ୍ଣ ଭାବରେ ୟୁରୋପୀୟ ସଂଘ ଉପରେ ନିର୍ଭର କରେ ଯେ ସେ ମେଟାକୁ ସବସ୍କ୍ରିପସନ୍ ନୋ ଆଡସ୍ (SNA) ମଡେଲ୍ ପ୍ରଚଳନ କରିବାକୁ ବାଧ୍ୟ କରିବ ।
Also read: ଏଣ୍ଟ୍ରି କରିବାକୁ ଯାଉଛି Motorola ର ପ୍ରିମିୟମ୍ ସ୍ମାର୍ଟଫୋନ୍, ଜାଣନ୍ତୁ ଏହାର ଦାମ୍ ଏବଂ ଫିଚର୍ସ